Hindi News >>Home >>Odisha Trending

Russia Ukraine War: ଗୋଳା ବାରୁଦ କିଣିବାକୁ ମିଳିଥିଲା ଟଙ୍କା; କଳା କନା ବୁଲାଇ ଦେଲେ ସରକାରୀ ଅଧିକାରୀ

Russia Ukraine War Latest News: ଋଷିଆ ସହ ଚାଲିଥିବା ଯୁଦ୍ଧ ବେଳେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟରେ ହେଉଥିବା ଦୁର୍ନୀତି ୟୁକ୍ରେନ ସରକାରଙ୍କ ଲାଗି ଚିନ୍ତା ବଢାଇ ଦେଇଛି।

Advertisement
Russia Ukraine War: ଗୋଳା ବାରୁଦ କିଣିବାକୁ ମିଳିଥିଲା ଟଙ୍କା; କଳା କନା ବୁଲାଇ ଦେଲେ ସରକାରୀ ଅଧିକାରୀ
Stop
Zee Odisha Desk|Updated: Dec 25, 2023, 05:30 PM IST

Russia Ukraine War Latest Update: ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ବଡ଼ ଖବର। ଦୁର୍ନୀତି ଅଭିଯୋଗରେ ୟୁକ୍ରେନ ପୋଲିସ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଧିକାରୀ ଜଣଙ୍କ ୟୁକ୍ରେନ ସୈନ୍ୟବାହିନୀ ପାଇଁ ଗୋଳା ବାରୁଦ କିଣିବାର ଏକ ଅଂଶ ଭାବରେ ପ୍ରାୟ ୪୦ ମିଲିୟନ ଆମେରିକୀୟ ଡଲାର ଚଳୁ କରିଦେଇଛନ୍ତି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ଜଣଙ୍କ ଭାରତୀୟ ମୁଦ୍ରାରେ ପ୍ରାୟ ୩୩୨ କୋଟି ୬୯ ଲକ୍ଷ ଟଙ୍କାର ମିଥ୍ୟା ଗୋଳା ବାରୁଦ କ୍ରୟ କରିଥିବାର ଅଭିଯୋଗ ହୋଇଛି। ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ୟୁକ୍ରେନ ସୁରକ୍ଷା ସେବା ଗତ ଶୁକ୍ରବାର ଦେଶର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିବାର ସ୍ପଷ୍ଟ କରିଛି। ହେଲେ ଗିରଫ ହୋଇଥିବା ଅଧିକାରୀଙ୍କ ନାମ ପ୍ରକାଶ ପାଇନାହିଁ।

ଆପଣଙ୍କୁ କହିରଖୁଛୁ ଯେ ଗତ ସେପ୍ଟେମ୍ବର ମାସରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦୁର୍ନୀତି ଏବଂ ଆର୍ଥିକ ଅବ୍ୟବସ୍ଥା ଅଭିଯୋଗରେ ହଟାଇ ଦିଆଯାଇଥିଲା। ସେବେ ଠାରୁ ୟୁକ୍ରେନ ସରକାରଙ୍କ ଅଧିକାରୀ ଦେଶ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଦୁର୍ନୀତିର ମୁକାବିଲାକୁ ତାଙ୍କର ଏକ ପ୍ରମୁଖ ଯୁଦ୍ଧକାଳୀନ ଲକ୍ଷ୍ୟରେ ପରିଣତ କରିଛନ୍ତି। ରାଷ୍ଟ୍ରପତିଙ୍କ ଲକ୍ଷ୍ୟ ହେଉଛି ଯେ ୟୁକ୍ରେନ ଏହାର ପାଶ୍ଚାତ୍ୟ ସହଯୋଗୀଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ଅପବ୍ୟବହାର କରାଯାଉନାହିଁ। ଏହା ସହିତ ରାଷ୍ଟ୍ରପତି ମଧ୍ୟ ସମ୍ବଳର ଦକ୍ଷ ଆବଣ୍ଟନ ନିଶ୍ଚିତ କରିବାକୁ ଚାହୁଁଛନ୍ତି। କାରଣ ଋଷୀୟ ସୈନ୍ୟବାହିନୀ ସହିତ ଲଢିବା ପାଇଁ ୟୁକ୍ରେନ ସେନା ପାଖରେ ଆବଶ୍ୟକୀୟ ପରିମାଣର ଅସ୍ତ୍ରଶସ୍ତ୍ର କିମ୍ବା ଗୋଳା ବାରୁଦ ମହଜୁଦ ନାହିଁ।

ସେନା ଅସ୍ତ୍ରାଗାରରେ ଦେଖାଦେଇଛି ଗୁଳିଗୋଳାର ଅଭାବ 
ନିକଟ ଅତୀତରେ ୟୁକ୍ରେନ ସେନା କମାଣ୍ଡୋ କହିଥିଲେ ଯେ ଅସ୍ତ୍ରାଗାରରେ ଦେଖାଦେଇଥିବା ଗୁଳିଗୋଳାର ଅଭାବ ସେମାନଙ୍କୁ କିଛି ସାମରିକ କାର୍ଯ୍ୟକଳାପକୁ ହ୍ରାସ କରିବାକୁ ବାଧ୍ୟ କରିଛି। ଯେଉଁଥିପାଇଁ ଋଷିଆ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ୟୁକ୍ରେନ ସେନା ବାହିନୀ ହରାଇଛି। ଜାତୀୟ ସୁରକ୍ଷା, ପ୍ରତିରକ୍ଷା ଏବଂ ଗୁପ୍ତଚର ଉପରେ ୟୁକ୍ରେନ ସଂସଦ କମିଟି ଡେପୁଟି ଚେୟାରମ୍ୟାନ୍ ୟେହୋର ଚେର୍ନେଭ ଶୁକ୍ରବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ଆମ ପାଖରେ ଗୁଳି ଗୋଳାର ଅଭାବ ରହିଛି ସେତେବେଳେ ଆମେ ଆଗକୁ ବଢିପାରିବୁ ନାହିଁ।

କ'ଣ ରହିଛି ପୁରା ଘଟଣାକ୍ରମ?
ଶୁକ୍ରବାର ଘୋଷିତ ହୋଇଥିବା ମାମଲାରେ ୟୁକ୍ରେନ ଓକିଲ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ବର୍ଦ୍ଧିତ ମୂଲ୍ୟରେ ଗୋଳା ବାରୁଦ କ୍ରୟ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ଅଧିକାରୀ ଜଣଙ୍କ ଜଣେ ନିର୍ମାତାଙ୍କ ସହିତ ୟୁକ୍ରେନ ସେନା ବ୍ୟବହାର କରୁଥିବା ତୋପ ଲାଗି ଗୋଳା ବାରୁଦ କ୍ରୟ କରିବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ କ୍ରୟ ଏଜେନ୍ସି ସେହି ସମାନ ଉତ୍ପାଦକଙ୍କ ସହ ଏକ ନୂତନ ଚୁକ୍ତି କରିଥିଲା। ଯାହା ଗୁଳି ଗୋଳା ଖର୍ଚ୍ଚକୁ ୩୦ ପ୍ରତିଶତ ହ୍ରାସ କରିଥିଲା। ବିଦେଶୀ ମଧ୍ୟସ୍ଥିଙ୍କୁ ହଟାଇ ବିତରଣ ସମୟକୁ ଯଥେଷ୍ଟ ହ୍ରାସ କରିଥିଲା।
ହେଲେ ଓକିଲଙ୍କ କହିବା କଥା ଯେ ଅଧିକାରୀ ଜଣଙ୍କ ପୂର୍ବ ଚୁକ୍ତିନାମାକୁ ବଢାଇ ଦେଇଥିଲେ। ପ୍ରାୟ ୪୦ ମିଲିୟମ ଆମେରିକୀୟ ଡଲାର ବିଦେଶୀ ମଧ୍ୟସ୍ଥି କମ୍ପାନୀକୁ ହସ୍ତାନ୍ତର କରିଥିଲେ। ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସେନାବାହନୀକୁ ଗୋଳା ବାରୁଦ ମିଳିନାହିଁ। ଅସ୍ତ୍ରଶସ୍ତ୍ର କ୍ରୟ କରିବା ପାଇଁ ବ୍ୟୟ କରାଯାଇଥିବା ପାଣ୍ଠି ପୁନରୁଦ୍ଧାର ପାଇଁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

ପୂର୍ବରୁ ମଧ୍ୟ ଆସିସାରିଛି ଦୁର୍ନୀତି ମାମଲା 
ଯୁଦ୍ଧ ସମୟରେ ୟୁକ୍ରେନ ସେନାକୁ ପ୍ରଭାବିତ କରିବାର ଏହା ପ୍ରଥମ ଦୁର୍ନୀତି ମାମଲା ନୁହେଁ। ଗତ ବର୍ଷ ଶୀତ ଋତୁରେ ସେନା ପାଇଁ ବର୍ଦ୍ଧିତ ମୂଲ୍ୟରେ ଅଣ୍ଡା କିଣିବାର ଖବର ସାମ୍ନାକୁ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୨ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଭୁଲ ଖର୍ଚ୍ଚର ମୁକାବିଲା ପାଇଁ ବଢୁଥିବା ଚାପର ମୁକାବିଲା କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗତ ସେପ୍ଟେମ୍ବରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ହଟାଇ ଦେଇଥିଲେ। ତାଙ୍କ  ବିରୋଧରେ ର୍ନୀତି ଏବଂ ଆର୍ଥିକ ଅବ୍ୟବସ୍ଥା କରିଥିବାର ଅଭିଯୋଗ ହୋଇଥିଲା। ଅଗଷ୍ଟ ମାସରେ ୟୁକ୍ରେନ ରାଷ୍ଟ୍ରପତି ଦେଶର ସାମରିକ ନିଯୁକ୍ତି କାର୍ଯ୍ୟାଳୟର ମୁଖ୍ୟଙ୍କୁ ମଧ୍ୟ ବରଖାସ୍ତ କରିଥିଲେ। କାରଣ ସେମାନଙ୍କ ମଧ୍ୟରୁ କେତେକ ସାମରିକ ସେବାକୁ ଏଡ଼ାଇବାକୁ ଚାହୁଁଥିବା ଲୋକଙ୍କ ଠାରୁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲେ।

 

 

Read More
{}{}