Hindi News >>Home >>Odisha Trending

Ramadan 2024: ବିନା ଯୁଦ୍ଧ ବିରାମରେ ଆରମ୍ଭ ହୋଇଗଲା ରମଜାନ; କଣ ହେବ ଗାଜା ସ୍ଥିତି?

Ramadan started without ceasefire in Gaza: ଚଳିତ ବର୍ଷ ବିନା ଯୁଦ୍ଧ ବିରାମରେ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆରମ୍ଭ ହୋଇଯାଇଛି ରମଜାନ। ପ୍ରାୟ ୬ ମାସ ଧରି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଗାଜା ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି।   

Advertisement
ପ୍ରତୀକାତ୍ମକ ଫଟୋ
Stop
Updated: Mar 14, 2024, 05:59 PM IST

Ramadan Begins Amid War in Gaza: ମାର୍ଚ୍ଚ ୧୦ ତାରିଖ ରବିବାର ଇସଲାମ ଧର୍ମର ପବିତ୍ର ରମଜାନ ମାସର ଚନ୍ଦ୍ର ସାଉଦି ଆରବରେ ଦୃଶ୍ୟମାନ ହୋଇଥିଲା। ଏହା ସହିତ ପଶ୍ଚିମ ଏସିଆର ଅନେକ ଦେଶରେ ମାର୍ଚ୍ଚ ୧୧ ତାରିଖ ସୋମବାର ଠାରୁ ଚଳିତ ବର୍ଷର ରମଜାନ ମାସରେ "ରୋଜା" ଅର୍ଥାତ ଉପବାସ ରଖିବା ଆରମ୍ଭ ହୋଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ପାଲେଷ୍ଟାଇନ ଗାଜା ଅଞ୍ଚଳରେ ବିନା ଯୁଦ୍ଧ ବିରାମରେ ଆରମ୍ଭ ହୋଇଯାଇଛି ରମଜାନ। ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳ ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି। 

ରମଜାନ ଆରମ୍ଭ ହେବା ପୂର୍ବରୁ ଇଜିପ୍ଟ,, କତାର ଏବଂ ଆମେରିକା ଆଦି ଦେଶ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବିରାମ କରିବାକୁ ପ୍ରୟାସ କରିଥିଲେ। ହେଲେ ତାହା ଫଳପ୍ରଦ ହୋଇପାରିଲା ନାହିଁ। ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ନଲାଗିବା ପରେ ପାଲେଷ୍ଟାଇନ ଗାଜା ଅଞ୍ଚଳରେ କେଉଁ ସ୍ଥିତି ସୃଷ୍ଟି ହେବ ତାହା ଜାଣିନିଅନ୍ତୁ।

ଯୁଦ୍ଧ ବିରାମ ପାଇଁ ଜାରି ରହିଛି ପ୍ରୟାସ 
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ କରିବା ପାଇଁ ପ୍ରୟାସ ଜାରି ରହିଛି। ଏନେଇ ମିଳିଥିବା ଖବର ଅନୁସାରେ ରମଜାନ ସମୟରେ ଗାଜା ଅଞ୍ଚଳରେ ଯୁଦ୍ଧ କରିବା ଲାଗି ଇଜିପ୍ଟ ବରିଷ୍ଠ ହମାସ ନେତା ଏବଂ ଇସ୍ରାଏଲ ଅଧିକାରୀ ତଥା ଅନ୍ୟ ମଧ୍ୟସ୍ଥିଙ୍କ ସହ ଆଲୋଚନା କରିଛି। ଇଜିପ୍ଟ ପକ୍ଷରୁ କରାଯାଇଥିବା ପ୍ରୟାସରୁ ଆଶା କରାଯାଇପାରେ ଯେ ପବିତ୍ର ରମଜାନ ମାସରେ କିଛି ସମୟ ଲାଗି ଯୁଦ୍ଧ ବିରାମ ହୋଇପାରେ।

ରବିବାର ଦିନ ଏକ ଟେଲିଭିଜନ ଭାଷଣରେ ବରିଷ୍ଠ ହମାସ ନେତା ଇସମାଇଲ ହାନିଆ କହିଛନ୍ତି ଯେ ହାମାସ ଏପରି ଏକ ଚୁକ୍ତି ବୁଝାମଣା ଚାହୁଁଛି ଯାହା ଯୁଦ୍ଧକୁ ପରିସମାପ୍ତ କରିବ। ଇସ୍ରାଏଲ ସୈନ୍ୟବାହିନୀକୁ ଗାଜା ଅଞ୍ଚଳରୁ ପ୍ରତ୍ୟାହାରକୁ ସୁନିଶ୍ଚିତ କରିବ। ବିସ୍ଥାପିତ ପାଲେଷ୍ଟାଇନ ନାଗରିକ ସେମାନଙ୍କ ଘରକୁ ଫେରିପାରିବେ। ଗାଜା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମାନବୀୟ ଆବଶ୍ୟକତା ପୂରଣ ହୋଇପାରିବ। ସେ ଆହୁରି କହିଛନ୍ତି ଯେ, ଇସ୍ରାଏଲ ଏହାର ବନ୍ଧକଙ୍କୁ ଫେରାଇ ଆଣିବାକୁ ଚାହୁଁଛି। ହେଲେ ଏହା ପରେ ଇସ୍ରାଏଲ ଆମ ବିରୋଧରେ ପୁଣି ଥରେ ଯୁଦ୍ଧ ଆରମ୍ଭ କରିପାରେ।

ରମଜାନ ଆରମ୍ଭରୁ ବଢିପାରେ ବିବାଦ 
International Crisis Group ନାମକ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରୁ ରମଜାନ ଆରମ୍ଭ ହେବା ପରେ ୱେଷ୍ଟବ୍ୟାଙ୍କ ଏବଂ ଏହାର ବାହ୍ୟ ଅଞ୍ଚଳେର ବିବାଦ ବଢିପାରେ। ଯଦି ଇସ୍ରାଏଲ୍, ଜେରୁସେଲମ ସ୍ଥିତ ଅଲ-ଅକ୍ସା ମସଜିଦ ପରିସରକୁ ମୁସଲମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରେ, ତାହେଲ ଲେବାନନ୍ ଠାରେ ସକ୍ରିୟ ରହିଥିବା ହିଜବୁଲ୍ଲା କିମ୍ବା ପାଲେଷ୍ଟାଇନ ଭିତ୍ତିକ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ହିଂସା ଆରମ୍ଭ ହୋଇପାରେ। ଯାହା ଦ୍ୱାରା ଯୁଦ୍ଧର ଆଶଙ୍କା ଆହୁରି ବଢିପାରେ।

ସବୁଠାରୁ ବଡ଼ ସଂକଟ ହେଉଛି ଅନାହାର
ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଅନାହାର ସବୁଠାରୁ ଗୁରୁତର ବିପଦ ଭାବେ ଉଭା ହୋଇଛି। ଗତ ଫେବୃଆରୀ ମାସରେ ସହାୟତା ପ୍ରବାହ ଅଧା ହୋଇଯାଇଥିଲା।  ଜାତିସଂଘ ରିପୋର୍ଟ ଦର୍ଶାଇଛି ଯେ ପ୍ରାୟ ୯୦% ଜନସଂଖ୍ୟା ଗୁରୁତର ଖାଦ୍ୟ ନିରାପତ୍ତା ସାମ୍ନା କରୁଛି। ସେହିପରି ପ୍ରାୟ ୬ ଲକ୍ଷ ଲୋକ ଅନାହାର-ଦୁର୍ଭିକ୍ଷ ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି। ଖାଦ୍ୟ ଅଧିକାର ଉପରେ ମିଳିତ ଜାତିସଂଘର ସ୍ୱତନ୍ତ୍ର ଦୂତ ଦାବି କରିଛନ୍ତି ଯେ ଇସ୍ରାଏଲ୍ ଜାଣିଶୁଣି ପାଲେଷ୍ଟାଇନ ନାଗିରକଙ୍କୁ ଭୋକରେ ରଖିଛି। ଯାହା ଦ୍ୱାରା ନରସଂହାର ଭଳି ସ୍ଥିତି ଉପୁଜିଛି।

ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ପ୍ରାଣ ହରାଇଲେଣି ୩୦ ହଜାରରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକ
ଗତ ବର୍ଷ  ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିଲା ଇସ୍ରାଏଲ-ହମାସ ଯୁଦ୍ଧ। ଯେଉଁଥିରେ ୩୦ ହଜାରରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ  ହମାସ ବିରୋଧରେ ଅକ୍ଟୋବର ୭ ତାରିଖରେ ଯୁଦ୍ଧ ଘୋଷଣା କରିଥିଲା। ଯେତେବେଳେ ହମାସ ଆକ୍ରମଣରେ ୧୧ ଶହରୁ ଉଦ୍ଧ୍ୱ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହେବା ସହ ୨ ଶହରୁ ଅଧିକ ଲୋକଙ୍କୁ ବନ୍ଧକ ବନାଯାଇଥିଲା।  

 

{}{}