Hindi News >>Home >>Odisha Trending

Election Boycott 2024 Odisha: ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ; ଜାଣନ୍ତୁ କାରଣ

Gajapati Ramapadar Village: ମତଦାନ ପୂର୍ବରୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗଜପତି ଜିଲ୍ଲାର ରାମପଦର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Advertisement
Election Boycott 2024 Odisha: ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ; ଜାଣନ୍ତୁ କାରଣ
Stop
PREMANANDA PUJARI|Updated: Apr 12, 2024, 08:37 PM IST

villagers boycott vote before polling: (ପ୍ରେମାନନ୍ଦ ପୂଜାରୀ): ବର୍ଷ ପରେ ବର୍ଷ ବିତିବା ସହ ପ୍ରତ୍ୟେକ ନିର୍ବାଚନ ବେଳେ ଆସି ନେଇ ଯାଉଛନ୍ତି ଭୋଟ। ହେଲେ ପ୍ରତି ଥର ଦେଇଆସୁଥିବା ପ୍ରତିଶୃତି ପାଲଟିଛି ପାଣିର ଗାର। ହେଲେ ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଗାଁ କୁ ନାଁ ପହଞ୍ଚିଛି ପକ୍କା ରାସ୍ତା ନାଁ ମିଳୁଛି ପିଇବା ପାଣି! ଏଥର ଏହାର ଉଚିତ୍ ଜବାବ ଦେବାକୁ ପଣ କରିଛନ୍ତି ଗ୍ରାମବାସୀ। ଆଉ ଗାଁରେ ଲଗାଯାଇଛି ବ୍ୟାନର। ଯେଉଁଥିରେ ଲେଖାହୋଇଛି ଯେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ କଥା ଏତିକି ନୁହେଁ ବରଂ ନିର୍ବାଚନ ପାଇଁ ଭୋଟ ମାଗିବାକୁ ଯଦି କୌଣସି ନେତା ଆସିଲେ ତାହେଲେ ବାଡ଼ ପକାଇ ତାଙ୍କୁ ଗାଁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଭଳି ଚରମ ପନ୍ଥାକୁ ଆପଣେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ୧୯ ନମ୍ବର ୱାର୍ଡ ଅଧିନସ୍ଥ ରାମପଦର ଗ୍ରାମବାସୀ। 

ରାସ୍ତା-ପାନୀୟ ଜଳ ନାହିଁ ତ ଭୋଟ ନାହିଁ। ଏଭଳି ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳର ବସବାସ କରୁଥିବା ରାମପଦର ଗ୍ରାମବାସୀ। ଗାଁ ଲୋକେ ବାରମ୍ୱାର ପକ୍କା ସଡ଼କ ଏବଂ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ୫ଟି ସଚିବଙ୍କୁ ଜଣାଇ ସାରିଛନ୍ତି। ହେଲେ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ। ଯଦି ଗାଁ ରେ କୌଣସି ଲୋକେ ରୋଗରେ ଆକ୍ରାନ୍ତ ହୁଅନ୍ତି ତାହେଲେ ୫ କିଲୋ ମିଟର ପଥୁରିଆ ରାସ୍ତାରେ ଖଟିଆରେ ବୋହି ନେବାକୁ ପଡିଥାଏ। ପାନୀୟ ଜଳ ମଧ୍ୟ ଗାଁ ଠାରୁ ୧ କିଲୋମିଟର ଦୂରରେ ରହିଥିବା ଏକ କୂଅରୁ ଆଣିବାକୁ ପଡୁଛି। ଏବେ ସେହି କୂଅରେ ପାଣି ମଧ୍ୟ ଶୁଖି ଗଲାଣି। 

ଜଙ୍ଗଲ ମଧ୍ୟରେ ରହିଥିବା ରାମପଦର ଗ୍ରାମରେ ବସବାସ କରୁଥିବା ୨୩ କୁଇ କନ୍ଧ ପରିବାର ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଯାହାଫଳରେ ବାଧ୍ୟ ହୋଇ ସେମାନେ ଶେଷରେ ଭୋଟ ବର୍ଜନ କରିବା ସହ କୌଣସି ନେତା କିମ୍ୱା ଅଧିକାରୀଙ୍କୁ ଗାଁ ରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଗାଁକୁ ରାସ୍ତା ନିର୍ମାଣ ହେଲେ ପାର୍ଶ୍ଵରେ ଥିବା ଅନ୍ୟ ଦୁଇଟି ଗ୍ରାମ କଣ୍ଟାଗୁଡା, ଗାଡ୍ରୁମା ଗ୍ରାମବାସୀ ଉପକୃତ ହୋଇପାରିବେ। ଏନେଇ ଶିକୁଳିପଦର ସରପଞ୍ଚ ସତ୍ୟ ନାରୟଣ ଦଣ୍ଡସେନାଙ୍କୁ ପଚାରା ଯାଇଥିଲା। ଯାହାର ଜବାବ ରଖି ସରପଞ୍ଚ କହିଛନ୍ତି ରାମପଦର ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ହେଲେ ଏହାର ସୁଫଳ ମିଳୁନଥିବା କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ନୂତନ ଭାବେ ଦାୟିତ୍ୱ ନେଇଥିବା ମୋହନା ବ୍ଲକ ବିଡ଼ିଓ ରାଜିବ ଦାସ କହିଛନ୍ତି ଯେ ସେ ଏହି ସମସ୍ୟା ବିଷୟରେ ଅବଗତ ନାହାଁନ୍ତି। ହେଲେ ତଥାପି ନିର୍ବାଚନ ଆଚରଣବିଧି ସମୟରେ ଯାହା ସମ୍ଭବ ହୋଇପାରିବ ସେ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ।

{}{}