Hindi News >>Home >>Odisha Trending

Srimandir Parikrama Prakalpa: ଗ୍ରୀଷ୍ମ ଆରମ୍ଭରୁ ସ୍ଥିତି ଅସମ୍ଭାଳ; ତତଲା ଖରାରେ ଛଟ ଛଟ ହେଉଛନ୍ତି ଭକ୍ତ

Devotees Darshan Issue Srimandir: ଖରା ତାତି ଆରମ୍ଭ ହେବା ପୂର୍ବରୁ ସ୍ଥିତି ଆଗୁଆ ହୋଇ ଉଠିଲାଣି ଅସମ୍ଭାଳ।  ତତଲା ରାସ୍ତାରେ ଦୌଡ଼ିବା ଭଳି ଶ୍ରୀମନ୍ଦିର ଆସୁଛନ୍ତି ଭକ୍ତ। 

Advertisement
Srimandir Parikrama Prakalpa: ଗ୍ରୀଷ୍ମ ଆରମ୍ଭରୁ ସ୍ଥିତି ଅସମ୍ଭାଳ; ତତଲା ଖରାରେ ଛଟ ଛଟ ହେଉଛନ୍ତି ଭକ୍ତ
Stop
Zee Odisha Desk|Updated: Mar 14, 2024, 02:01 AM IST

Srimandir Heritage Corridor: କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା ତଥାପି ଭକ୍ତ ଅଶାନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଲା ମାତ୍ର ଖରାଦିନେ ଭକ୍ତଙ୍କ କଷ୍ଟକୁ ଭୁଲିଗଲା ପ୍ରଶାସନ। ଡହଡହ ଖରାରେ ଭକ୍ତଙ୍କ ପାଦ ସିଜୁଥିବା ବେଳେ ନିରାକରଣ ଦିଗରେ ଚିନ୍ତା କରୁନାହାଁନ୍ତି ସରକାର। କେବଳ ଛୋଟପିଲା ନୁହଁନ୍ତି ଦିବ୍ଯାଙ୍ଗ ଏବଂ ବରିଷ୍ଠ ନାଗରିକ ମଧ୍ୟ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ସେପଟେ ତାତି ବଢୁଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ସମସ୍ଯା ସୃଷ୍ଟି ହୋଇଛି। ମରଚିକୋଟ ଛକ ଜୋତାଷ୍ଟାଣ୍ଡ ଠାରେ ଜୋତା ରଖି ତତଲା ଦାଣ୍ଡରେ ଚାଲି ଚାଲି ମନ୍ଦିର ଯିବା ଆସିବା କରିବା କଷ୍ଟ ଦାୟକ ହେଉଛି। ଯାହା ଫଳରେ ଭକ୍ତ ଖରା ସମୟରେ ଦୌଡ଼ାଦୌଡ଼ି କରୁଥିବାର ଦେଖିବାକୁ ମିଳୁଛି। 

ଛୋଟପିଲା, ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ ଅଧିକ ଡହଳ ବିକଳ ହେଉଛନ୍ତି। ଆଉ ଏଭଳି ତତଲା ଦାଣ୍ଡରେ ଖାଲି ପାଦରେ ଚାଲିବା ଅତ୍ଯନ୍ତ କଷ୍ଟ ଦାୟକ ବୋଲି କହିଛନ୍ତି ଭକ୍ତ। ସେପଟେ ଗ୍ରୀଷ୍ମ ପ୍ରବାହ ସମୟରେ ଭକ୍ତଙ୍କ ଶଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ସବୁଠି ଜଳଛତ୍ର ଖୋଲାଯିବ। ଶ୍ରୀମନ୍ଦିର ନିକଟରେ ପିଇବା ପାଣିର ବ୍ଯବସ୍ଥା ସହ ବ୍ୟାରିକେଡ ଠାରେ ଅଧିକ ରେଡକାର୍ପେଟ ବିଛାଯିବ। କେବଳ ସେତିକି ନୁହଁ ଗ୍ରୀଷ୍ମପ୍ରବାହ ସମୟରେ ଭକ୍ତଙ୍କ ଶଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଭକ୍ତଙ୍କ ଶଙ୍ଖଳିତ ଦର୍ଶନ ପାଇଁ ସମ୍ବେଦନଶୀଳ ନୁହଁନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିରରେ ଭକ୍ତଙ୍କୁ ସର୍ବାଧିକ ସୁବିଧା ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଭକ୍ତ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ତତଲା ଦାଣ୍ଡରେ ଖାଲିପାଦରେ ଅଧ କିଲୋମିଟର ଚାଲିଚାଲି ଶ୍ରୀମନ୍ଦିର ଆସୁଛନ୍ତି ଭକ୍ତ। ଆଉ ଦର୍ଶନ ସାରି ସେହିଭଳି ଫେରୁଛନ୍ତି। ମରଚିକୋଟ ଛକ ନିକଟ ଷ୍ଟାଣ୍ଡ ଠାରେ ଜୋତା ରଖିବା ପରେ ଖାଲି ପାଦରେ ଦୀର୍ଘ ପଥ ଚାଲିବାକୁ ପଡୁଛି। ଅନ୍ଯଦିନେ ସେଭଳି ଅସୁବିଧା ନଥାଏ ମାତ୍ର ଖରାଦିନେ ଦାଣ୍ଡ ତାତିଥିବାରୁ ଭକ୍ତଙ୍କ ପାଇଁ ବଡ ସମସ୍ଯା ସୃଷ୍ଟି ହୋଇଛି। ବଡଦାଣ୍ଡରେ ପାଦ ତାତିଯିବା ଫଳରେ ଆଉ ଚାଲିକି ନୁହେଁ ଦୌଡ଼ାଦୌଡ଼ି କରି ଯିବାକୁ ପଡୁଛି। 

ଛୋଟପିଲା, ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ସେପଟେ ମୁଣ୍ଡ ଉପରେ ପ୍ରବଳ ଖରା, ତଳେ ନିଆଁ ଚୁଲିର ତାତି ଭଳି ଫୋଟକା ହେଉଛି ପାଦ। ତଥାପି ମନ ବ୍ୟାକୁଳ ଜଗାକୁ ଦେଖିବା ପାଇଁ। ସାରା ରାଜ୍ଯ ଏବେ ତତଲା କଡେଇରେ ଭାଜି ହେଉଥିବା ବେଳେ ଶୀକ୍ଷେତ୍ରେର ଅବସ୍ଥା ସାଙ୍ଘାତିକ। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ପାଦ ଖରାରେ ପୋଡିଯାଉଛି। ସେଥିପାଇଁ କିଏ ରୁମାଲ୍ ଉପରେ ଘଡିଏ ଠିଆ ହେଉଛି ତ ଆଉ କିଏ ପାଣି ବୋତଲ୍ କିଣି ପାଣି ତଳେ ଢାଳି ତାତିର ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି। ସବୁ ଦେଖି ଚୁପ୍ ଜିଲ୍ଲା ପ୍ରଶାସନ। 

ପରିକ୍ରମା ପ୍ରକଳ୍ପ ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଭକ୍ତଙ୍କ ଦର୍ଶନ ସହ ବେଢା ବୁଲିବାକୁ ସିନା ସୁବିଧା କରାଗଲା। ହେଲେ ଖରାଦିନେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଖରାର ତାତିରୁ ବଞ୍ଚିବାକୁ ନାଁ କାର୍ପେଟ୍ ବିଛାଯାଇଛି ନାଁ ପାଣି ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୃଦ୍ଧ ବୃଦ୍ଧା, ଛୋଟପିଲା କେହି ଟାଣ ଖରାରୁ ନିସ୍ତାର ପାଉନାହାଁନ୍ତି। କିଏ ଦୌଡ଼ାଦୌଡ଼ି କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛି। ଆଉ କିଏ ମୁଣ୍ଡ ଉପରେ ଗାମୁଛା ରଖି ଖରା ଦାଉରୁ ନିଜକୁ ସୁରକ୍ଷା ଦେଉଛି। ପରିସ୍ଥିତିକୁ ଦେଖିଲେ ଅଂଶୁଘାତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଯାହାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତୁରନ୍ତ କିଛି ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସେପଟେ ଦିନକୁ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାରୁ ଯଥାଶୀଘ୍ର ଖରାର ମୁକାବିଲା କରିବାକୁ ତଳେ କାର୍ପେଟ୍ ବିଛାଇବା ସହ ଜଳଛତ୍ର, ପାଣି ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ସେବାୟତ। ମରିଚକୋଟ ଛକ ଠାରୁ କାରପେଟ୍ ବ୍ୟବସ୍ଥା କରାଗଲେ ଆଉ ଭକ୍ତଙ୍କ ଯନ୍ତ୍ରଣା ରହିବ ନାହିଁ। ଗ୍ରୀଷ୍ମପ୍ରବାହ ବଢୁଥିବାରୁ ସବୁ ସ୍ଥାନରେ ଜଳଛତ୍ର ଖୋଲାଯାଉ। ଶ୍ରୀମନ୍ଦିର ଭିତରେ ଆଉ ବାହାରେ ପର୍ଯ୍ଯାପ୍ତ ପରିମାଣର ପିଇବା ପାଣି ଷ୍ଟଲ୍ ଖୋଲାଯାଇ ପାନୀୟ ଜଳ ବଣ୍ଟନ କରାଯାଉ। ଆବଶ୍ୟକ ପଡ଼ିଲେ ତତଲା ଦାଣ୍ଡରେ ପାଣି ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଭକ୍ତମାନଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ବେଶ୍ ଯତ୍ନବାନ ଅଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ବେରିକେଡରେ ରେଡକାର୍ପେଟ ବିଛାଯାଇଛି। ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ଷ୍ଟଲ ଖୋଲାଯାଇଛି। 

ଏସି ଟନେଲ, ଜର୍ମାନ ହ୍ଯାଙ୍ଗର ଭକ୍ତଙ୍କ ପାଇଁ ସେଣ୍ଟ୍ରାଲ ଏସି ବ୍ଯବସ୍ଥା ରହିଛି। ଫାଷ୍ଟଏଡ୍ ବ୍ଯବସ୍ଥା ଖୋଲାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକୀୟ ଅଞ୍ଚଳରେ କାର୍ପେଟ ବିଛାଯିବ। ପିଇବା ପାଣି ଷ୍ଟଲ ସଂଖ୍ୟା ଦ୍ୱିଗୁଣିତ କରାଯିବ। ଭକ୍ତମାନେ କିଭଳି ଅସୁବିଧାରେ ସାମ୍ନାା କରିବେ ନାହିଁ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଖରାଦିନ ଆରମ୍ଭରୁ ଭକ୍ତ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିବା ବେଳେ ଆଗକୁ ପ୍ରଶାସନ କିଭଳି ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ନଜର। 

Read More
{}{}