Hindi News >>Home >>Odisha State

Kartik Brata 2023: ପୁରୀରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Kartika Habisiali Brata: ଶନିବାର ଭିଡ଼ିଓ କନଫରେନସିଂ ମାଧ୍ୟମରେ ପୁରୀ ଠାରେ ହବିଷ୍ୟାଳିଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  

Advertisement
Kartik Brata 2023: ପୁରୀରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Oct 29, 2023, 08:46 PM IST

Kartik Month 2023: ଅକ୍ଟୋବର ୨୯ ତାରିଖ ଶନିବାର ଠାରୁ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ପୁରୀ ଠାରେ ହବିଷ୍ୟାଳିଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ସମଗ୍ର ରାଜ୍ୟରୁ ହବିଷ୍ୟାଳି ପୁରୀ ଠାରେ ଏକତ୍ରିତ ହୋଇଛନ୍ତି।

ବ୍ରତ ପାଇଁ ହବିଷ୍ୟାଳିଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣ ଭଲ ଭାବରେ ଏବଂ ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ଆପଣ ଆଶୀର୍ବାଦ ପାଇଲେ ସାରା ଓଡିଶାକୁ ଆଶୀର୍ବାଦ ମିଳିବ। 
କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ଯାହା ବହୁତ ପବିତ୍ର। କାର୍ତ୍ତିକ ମାସରେ ମାଆ ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ ରହିଛି। ମାଆଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୩ ହଜାରରୁ ଅଧିକ ମାଆଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ସବୁ କିଛି ବ୍ୟବସ୍ଥା ହୋଇଛି। ଆପଣଙ୍କ ସେବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମାଆଙ୍କ ପାଇଁ ସବୁ ସୁବିଧା ହୋଇପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ କାରଣରୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ।

୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ।

କାର୍ତ୍ତିକ ବ୍ରତ ଶୁଭାରମ୍ଭ କରାଯିବା ଅବସରର କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ, ଗଞ୍ଜାମର ରାଧାଦେବୀ ପଣ୍ଡା ପ୍ରମୁଖ ହବିଷ୍ୟାଳି ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏନେଇ ସେମାନେ କହିଥିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସାମ୍ନା କରୁଥିଲେ। ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି। ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ। 

ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳି ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଗତ  ୨୦୧୬ ବର୍ଷରୁ ହବିଷ୍ୟାଳି ଯୋଜନା ଆରମ୍ଭ କରିଛନ୍ତି। ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି। ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମାଆ ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଏବଂ ଅକ୍ଷୟ ପାତ୍ର ଫାଉଣ୍ଡେସନ ଠାରେ ମଧ୍ୟ ବ୍ୟବସ୍ଥା କରାଯାଇଛି।

Read More
{}{}