Hindi News >>Home >>Top 10 News

Top 10 News Today: କାଲି ଖୋଲିବ ରତ୍ନଭଣ୍ଡାର, ନର୍ସିଂ ହୋମ ନିଆଁ ଘଟଣାର ତଦନ୍ତ ନିର୍ଦ୍ଦେଶ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today: ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Advertisement
Top 10 News Today: କାଲି ଖୋଲିବ ରତ୍ନଭଣ୍ଡାର, ନର୍ସିଂ ହୋମ ନିଆଁ ଘଟଣାର ତଦନ୍ତ ନିର୍ଦ୍ଦେଶ ଏବଂ ଅନ୍ୟ ମୁଖ୍ୟ ଖବର
Stop
Prabhudatta Moharana|Updated: Jul 13, 2024, 09:42 PM IST

H1. କାଲି ଖୋଲିବ ରତ୍ନଭଣ୍ଡାର
ଦୀର୍ଘ ୪୬ ବର୍ଷ ପରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାରର ମରାମତି ସହ ଅଳଙ୍କାର ଗଣତିମଣତି ମଧ୍ୟ ହେବ। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ, ଓଜନ ଓ ଫଟୋଚିତ୍ର ସମ୍ବଳିତ ଡିଜିଟାଲ କାଟାଲଗ୍ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାକି ଭବିଷ୍ୟତ ପାଇଁ ଏକ ରେଫରେନ୍ସ ଡକ୍ୟୁମେଂଟ ଭାବେ ଉପଯୋଗ କରିହେବ । ଏହି ସମସ୍ତ ପ୍ରକ୍ରିୟାରେ ଧାର୍ମିକ ଭାବାବେଗ,ସ୍ୱଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ଦିଆଯିବ । ଏନେଇ ପ୍ରସ୍ତୁତ ଏସପିଓ ମନ୍ଦିର ପ୍ରଶାସନକୁ ଦିଆଯାଇଛି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି। ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସନ୍ଧ୍ୟାରେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏଭଳି ମତ ରଖିଛନ୍ତି। 

H2. ଦିନ ଗୋଟାଏ ପରେ ଖୋଲିପାରେ ଭଣ୍ଡାରଗୃହ
ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା ଭଙ୍ଗାଯାଇ ଖୋଲାଯିବ । ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍‌କୁ ମଧ୍ୟ ଡକାଯାଇଛି । ଏଥିସହ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ। ଜଷ୍ଟିସ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌ ଭିତରକୁ ଯିବେ । ତାଙ୍କ ସହ ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ମଧ୍ୟ ଭିତରକୁ ଯିବେ । ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ଜଷ୍ଟିସ ରଥ ।

H3. କାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଆସନ୍ତାକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ ରହିବ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି। ନବ ଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ। ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି। 

H4. ନର୍ସିଂ ହୋମ ନିଆଁ ଘଟଣାର ତଦନ୍ତ ନିର୍ଦ୍ଦେଶ
କଟକରେ ଏକ ଘରୋଇ ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ନର୍ସିଂହୋମ୍‌ରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରୀ ଘାଟ ଥାନା କାଠଯୋଡି ନଦୀ ପଠାରେ ରହିଛି ତ୍ରୀଶା ନର୍ସିଂହୋମ୍‌। ଏହି ନର୍ସିଂହୋମ୍‌ର ତୃତୀୟ ମହଲାରେ ରହିଛି ଆଇସିୟୁ। ଯେଉଁଠି ଗୁରୁତର ରୋଗୀ ଓ ନବଜାତ ଶିଶୁଙ୍କ ଚିକିତ୍ସା ଚାଲିଥିଲା। ଠିକ୍‌ ସେହି ସମୟରେ ଅର୍ଥାତ ଅପରାହ୍ନ ପ୍ରାୟ ସାଢ଼େ ୩ଟା ଭିତରେ ନର୍ସିଂହୋମ୍‌ର ଅଫିସ୍‌ରେ ଏସିରୁ ଧୂଆଁ ବାହାରିଥିଲା। 

H5. ୧୫ରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଆରମ୍ଭ
ଆସନ୍ତା ଜୁଲାଇ ୧୫ ତାରିଖରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆରମ୍ଭ କରିବେ। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ। ଦିନ ୧୧ ଟା ସମୟରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତେବେ ଶୁଣାଣି ପାଇଁ ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ଯକ୍ତି ସେହି ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କରିପାରିବେ।

H6. କାଲିଠୁ ନୀଳାଦ୍ରି ବିଜେ ଯାଏଁ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆସନ୍ତାକାଲି (ରବିବାର) ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଳାଦ୍ରୀ ବିଜେ ସରିବା ପର୍ଯ୍ୟନ୍ତ ପୁରୀ ଠାରେ ସକ୍ରିୟ ଭାବେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏବଂ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର କୌଣସି ଅସୁବିଧା ବା ନହେବ ତାହା ସୁନିଶ୍ଚିତ କରିବାକୁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।

H7. ବିସ୍ଫୋରକ ବୟାନ ଦେଲେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ
ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ତାଳଧ୍ୱଜ ରଥରୁ ବଡ଼ଠାକୁର ବଳଭଦ୍ର ହାମୁଡେଇ ପଡ଼ିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି, ନୀତିକାନ୍ତିରେ ଭୁଲ ହୋଇଛି। ବଡ଼ ଠାକୁରଙ୍କ ପାଖରେ ଯେଭଳି ଭୋଗ ହେବା କଥା ହୋଇନାହିଁ। ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହେଲାନାହିଁ। ତେଣୁ ବଡ଼ ଠାକୁର ରଥ ଉପରକୁ ଉପାସରେ ଗଲେ। ଏଥିପାଇଁ ଏହି ଅଘଟଣ ଘଟିଥାଇପାରେ। 

H8. ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ
ରାଜଭବନ ଆଗରେ ବିକ୍ଷୋଭ କରୁଛି କଂଗ୍ରେସ । ଯୁବ ଓ ଛାତ୍ର କଂଗ୍ରେସ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରିଛନ୍ତି। ଏହା ସହିତ ଏଭଳି ଘଟଣା ପାଇଁ ରାଜ୍ୟପାଳ ଇସ୍ତଫା ଦେବା ସହିତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର, ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।

H9. ମମତାଙ୍କ କ୍ଲିନ୍ ସ୍ବିପ୍: ଉପ-ନିର୍ବାଚନରେ ​​ଟିଏମସି ସମସ୍ତ ଆସନ ଜିତିଲା
ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସି ଉପରେ ପଶ୍ଚିମବଙ୍ଗର ଲୋକମାନେ ପୁଣି ଥରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ରାଜ୍ୟର ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ​​ଦଳ ବିରୋଧୀ ଦଳକୁ ପରାଜିତ କରି କ୍ଲିନ୍ ସ୍ବିପ୍ କରିଛି। ସୂଚନାଯୋଗ୍ୟ, ରାଜ୍ୟର ରାଇଗଞ୍ଜ, ବାଗଡା, ରାଣାଘାଟ ଏବଂ ମାଣିକତଲା ଆଦି ଚାରୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଏମସି ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

H10. ସିରିଜ ଜିତିଲା ଭାରତ
ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୧୫.୨ ଓଭରରେ କୌଣସି ୱିକେଟ ନ ହରାଇ ୧୫୬ ରନ୍ କରିଥିଲା। ଜଶସ୍ବୀ-ଗିଲ୍‌ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ବିଜୟ ସହଜ ହୋଇଥିଲା।

Read More
{}{}