Hindi News >>Home >>Top 10 News

Top 10 News Today: ବାଂଲାଦେଶ ଅଶାନ୍ତି, ପଞ୍ଜାବରୁ ଆସିବ ଆଳୁ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଏବଂ ଅନ୍ୟ ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଅପଡେଟ।

Advertisement
Top 10 News Today: ବାଂଲାଦେଶ ଅଶାନ୍ତି, ପଞ୍ଜାବରୁ ଆସିବ ଆଳୁ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଏବଂ ଅନ୍ୟ ପ୍ରମୁଖ ଖବର
Stop
Prabhudatta Moharana|Updated: Aug 06, 2024, 08:46 AM IST

H1. ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆସିବ ଆଳୁ
ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ଏବେ ଉତ୍ତର ପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବେ ସରକାର। ଗତ ସପ୍ତାହରେ ପଶ୍ଚିମବଙ୍ଗର ଆନ୍ଦୋଳନ ପରେ ରାଜ୍ୟରେ ଆଳୁ ସଂକଟ ଦେଖାଦେଇଥିଲା। ପରେ ରାଜ୍ୟରେ ଆଳୁ ସଂକଟ ଦୂର କରିବାକୁ ନେଇ ଉତ୍ତରପ୍ରଦେଶରୁ ଆଳୁ ଆଣିଥିଲେ। 

H2. ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ରତ୍ନଭଣ୍ଡାର ଯାଞ୍ଚ ଏସ୍‌ଓପି 
ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ରତ୍ନଭଣ୍ଡାର ଯାଞ୍ଚ ଏସ୍‌ଓପି । ଏସ୍‌ଓପି ପ୍ରସ୍ତୁତି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଲେଜର ସ୍କାନିଂ ବା ସାଇଣ୍ଟିଫିକ୍‌ ମେଥଡ୍‌ ନେଇ ଏସ୍‌ଓପି କରାଯାଇଛି । ମରାମତି ପୂର୍ବରୁ ଯାଞ୍ଚ କରାଯିବାକୁ ଏସ୍‌ଓପି ପ୍ରସ୍ତୁତ ହୋଇଛି । ଭିତରେ ଥିବା ଖାଲି ଆଲମିରା, ସିନ୍ଦୁକ ସ୍ଥାନାନ୍ତର କରାଯିବା ନେଇ ଏସ୍‌ଓପି ପ୍ରସ୍ତୁତ ହୋଇଛି । ପ୍ରସ୍ତୁତ ହୋଇଥିବା ଏସ୍‌ଓପିକୁ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ ।

H3. ବାଂଲାଦେଶରେ ସ୍ଥିତି ଅଣାୟତ
ଜଳୁଛି ବାଂଲାଦେଶ। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି। ୧୪ ପୁଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତରେ ଆଶ୍ରୟ ନେଇଛନ୍ତି ସେଖ ହସିନା। ସେପଟେ  ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ପୁଲିସ କର୍ମୀ ଅଛନ୍ତି। ଏଥିରୁ ଗୋଟିଏ ଥାନାର ୧୩ ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଛି।

H4. ଅଜିତ ଡୋଭାଲଙ୍କୁ ଭେଟିଲେ ହସିନା
ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅତର୍କିତ ଭାବେ ଭାରତ ଚାଲଥିବା ଆସିଥିବା ଶେଖ ହସିନା ଆଜି ଗାଜିଆବାଦ ଏୟାରବେସ୍‌ରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ହସିନା ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଲ୍ୟାଣ୍ଡ କରିଥିଲେ। ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବେ। ସେଠାରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି।

H5. ବାଂଲାଦେଶକୁ ଟ୍ରେନ୍ ଓ ବିମାନ ଚଳାଚଳ ସ୍ଥଗିତ
ବାଂଲାଦେଶକୁ ଟ୍ରେନ୍ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। ବ୍ୟାପକ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କୋଲକାତାରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

H6. ସୀମାରେ ସୁରକ୍ଷା କଡ଼ାକଡ଼ି, ହାଇ ଆଲର୍ଟରେ ବିଏସଏଫ ଯବାନ
ସୀମାରେ ବିଏସଏଫ ଯବାନଙ୍କୁ ସତର୍କ ରହିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରେ ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଭାରତର ସୀମା ସୁରକ୍ଷା ବଳୟ(ବିଏସଏଫ)କୁ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ 4096 କିଲୋମିଟର ସୀମା ଭାଗ ରହିଛି। ଏହି ସବୁ ଅଞ୍ଚଳରେ ନିୟୋଜିତ ଥିବା ବିଏସଏଫର ସମସ୍ତ ୟୁନିଟକୁ ସତର୍କତା ଅବଲମ୍ବନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

H7. ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ
ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ହିଂସା ମାମଲାକୁ ନେଇ ଅନେକ ଅପଡେଟ ସାମ୍ନାକୁ ଆସୁଛି। ଶେଖ ହସିନା ବର୍ତ୍ତମାନ ଭାରତରେ ଅଛନ୍ତି। ସେ ଲଣ୍ଡନରେ ଆଶ୍ରୟ ନେବେ ବୋଲି ଅନେକ ରିପୋର୍ଟ ଦାବି କରୁଛି। ପଡୋଶୀ ଦେଶରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ଘଟଣାବଳୀ ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି। ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି ଯେ ଜେଲରେ ଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ। 

H8. ସ୍ୱାଧୀନତା ଦିବସ ପାଳନ ନେଇ ଗୃହ ବିଭାଗର ସୂଚନା
ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

H9. ୯ ତାରିଖ ଯାଏଁ ପ୍ରବଳ ବର୍ଷା
ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବ। ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ।

H10. ପଦକରୁ ବଞ୍ଚିତ ହେଲେ ଭାରତୀୟ ଯୋଡି
ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡି ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହଙ୍କୁ ମାତ୍ର ୧ ପଏଣ୍ଟ ପାଇଁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେବାକୁ ପଡିଛି । ଚାଇନା ମ୍ୟାଚରେ ବାଜିମାତ କରିବା ସହ ଭାରତର ବ୍ରୋଞ୍ଚ ପଦକ ଆଶାକୁ ନିରାଶା କରିଛି । ଚାଇନା ଦଳର ଲୟୁ ଜିଆନଲିନଙ୍କ ସହ ଜିଆଙ୍ଗ ୟିଟିଙ୍ଗ ୪୪ ପଏଣ୍ଟ ହାସଲ କରି ଭାରତୀୟ ଯୋଡିଙ୍କୁ ହରାଇଛନ୍ତି । ଭାରତର ସ୍କୋର ୪୩ ପଏଣ୍ଟରେ ଅଟକି ଯାଇଥିଲା ।

Read More
{}{}