Hindi News >>Home >>Top 10 News

Top 10 News Today: ଭାରତରେ ନିଜର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଯାଉଛି ଚୀନ୍, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 2nd May 2024: ଦୀର୍ଘ ୧୮ ମାସର ବ୍ୟବଧାନ ପରେ ଚୀନ ଭାରତରେ ନିଜର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଯାଉଛି। ଜୁ ଫୈହଙ୍ଗ ଏହି ନୂଆ ରାଷ୍ଟ୍ରଦୂତ ହୋଇପାରନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 News Headlines Odisha 2nd May 2024
Stop
Zee Odisha Desk|Updated: May 02, 2024, 10:16 PM IST

Top 10 News Today | 2nd May 2024 | Evening: H1.  ଆସନ୍ତା ତିନି ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।  ଏହାସହ ଉପକୂଳ ଓଡ଼ିଶାରେ ରହିବ ନାହିଁ ହିଟ୍‍ଓ୍ୱେଭ୍‍ ସମ୍ଭାବନା। ତିନିଦିନ ପରେ ଦିନ ତାପମାତ୍ରା ୩ରୁ ୪ ଦିନ କମିପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  କିନ୍ତୁ ୬ ଦିନ ପରେ ପୁଣି ଫେରିପାରେ ତାତି ଓ ଗ୍ରୀଷ୍ମ ପ୍ରବାହ। 

H2. ନୂଆ ନାଗରିକତା ସଂଶୋଧନ ବିଧି ଅନୁସାରେ ଚଳିତ ମାସ ଶେଷ ଆଡ଼କୁ ନାଗରିକତା ପ୍ରଦାନ ଆରମ୍ଭ ହେବ। ଯେଉଁ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍‍ ଶରଣାର୍ଥୀ ପଡ଼ୋଶୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଓ ଅନ୍ୟ ଦେଶରୁ ଭାରତ ଆସି ଏଠାରେ ରହିଛନ୍ତି ସେମାନଙ୍କୁ ଭାରତ ନାଗରିକତା ଦେବା ଆରମ୍ଭ କରିବ। ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନ ଶେଷ ଆଡ଼କୁ ଏହି ପ୍ରକ୍ରିୟା ରୂପାୟନ କରାଯିବ ବୋଲି ସେ କହିଛନ୍ତି। 

H3. ଦୀର୍ଘ ୧୮ ମାସର ବ୍ୟବଧାନ ପରେ ଚୀନ ଭାରତରେ ନିଜର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଯାଉଛି। ଜୁ ଫୈହଙ୍ଗ ଏହି ନୂଆ ରାଷ୍ଟ୍ରଦୂତ ହୋଇପାରନ୍ତି। ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଏହି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରକୃତ ସୀମାରେଖା (ଲାଇନ୍‍ ଅଫ୍‍ ଆକ୍ଚୁଆଲ କଣ୍ଟ୍ରୋଲ)ରେ ଦୁଇ ଦେଶର ସେନାବାହିନୀ ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ଅକ୍ଟୋବର ୨୦୨୨ ମସିହାରୁ ଏହି ପଦବୀ ଖାଲି ପଡ଼ି ଆସିଛି। ଏଥିଲାଗି ଭାରତ ଓ ଚୀନ ଭିତରେ କୂଟ ନୀତିକ ସମ୍ପର୍କ ମଧ୍ୟ ଖରାପ ହୋଇଛି। 

H4. ବିଜୁ ଜନତା ଦଳ ପକ୍ଷରୁ ତିନି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହା ନବମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବୋଲି କହିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଏହି ତାଲିକାରେ କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଦେବଗଡ଼ରେ ପ୍ରାର୍ଥୀ ବଦଳାଇଛି ଦଳ। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକଟ ଦେଇଛି ବିଜେଡି।  ଏହି ସ୍ଥାନରେ ଦେବଗଡ଼ ରାଣୀଙ୍କୁ ପ୍ରାର୍ଥୀ କରାଯାଇଥିଲା। 

H5. ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବାକିଥିବା ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଘସିପୁରା ଲାଗି ସମ୍ଭୁନାଥ ରାଉତଙ୍କ ନାଁ ପ୍ରାର୍ଥୀ ତାଲିକାରେ ଥିବା ବେଳେ ଲାଗି ଭୋଗରାଇରୁ ଆଶୀଷ ପାତ୍ର, ଭଣ୍ଡାରି ପୋଖରି ଲାଗି ସୁଧାଂଶୁ ନାୟକ, ବରି ଲାଗି ଉମେଶ ଚନ୍ଦ୍ର ଜେନା, କଟକ-ବାରବାଟୀରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆ ଆସନ ଲାଗି ପ୍ରକାଶଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହେବେ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। ପ୍ରାର୍ଥୀ ଘୋଷଣା ପରେ ନିରାଶ ହୋଇଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଦେବାଶୀଷ ନାୟକ।

H6. ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଅନୁଭବ ପଟ୍ଟନାୟକ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ତାଙ୍କୁ ଦଳ ଅନ୍ୟାୟ କରିଛି ବୋଲି କହିବା ସହ ସେ ଆସନ୍ତା କାଲି ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। 

H7. ସେହିପରି ନୀଳଗିରିରେ ବିଜେଡି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିବା ପ୍ରତିବାଦରେ ଦଳ ଛାଡ଼ିଛନ୍ତି ଦଳର ଜିଲ୍ଲା ଉପସଭାପତି ସନ୍ତୋଷ ଖଟୁଆ। ତାଙ୍କ ସହ କିଛି ସମର୍ଥକ ମଧ୍ୟ ଦଳ ଛାଡ଼ିଛନ୍ତି। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ୨୦୧୯ ମସିହାରେ ବିଜେଡିର ପ୍ରାର୍ଥୀ ଭାବେ ସୁକାନ୍ତଙ୍କ ସହ ଲଢ଼େଇ କରିଥିଲେ ସନ୍ତୋଷ। ସେତେବଳର ବିଜେପି ବିଧାୟକ କିଛିଦିନ ତଳ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ଟିକଟ ଦେଇଛି। 

H8. ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ। ଏହାକୁ ଆଖିରେ ରଖି ଆଜି ଅନେକ ହେବିଓ୍ୱେଟ୍‍ ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଣ୍ଟା ବାଞ୍ଜିରୁ ଦ୍ୱିତୀୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୩୦ ତାରିଖ ଦିନ ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 

H9. ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ୍‍ ଓରାମ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ,  ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସମେତ ଅନେକ ନେତା ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି।

H10. ରାଜ୍ୟରେ ଧାନ କିଣାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଛି। ଗତ ୧୫ ବର୍ଷ ଭିତରେ ଯେତିକି ଦୁର୍ନୀତି ହୋଇଛି ତାହାର ପ୍ରମାଣ ସେସାଇଛି ସମ୍ପାଦକ ଏବଂ ସଭାପତିଙ୍କ ବ୍ୟାଙ୍କ ଆକାଉଣ୍ଟ ବା ସମ୍ପତ୍ତିକୁ ଦେଖିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏପରିକି ରାଜ୍ୟ ସରକାର ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହେରଫେର କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ସାମଲ। ବିଜେପି ଶାସନକୁ ଆସିଲେ ଚାଷୀଙ୍କ ସମସ୍ତ ଧାନ କିଣିବ ଏବଂ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‍ ଦରରେ ୪୮ ଘଣ୍ଟା ଭିତରେ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀ ସାମଲ ।

Read More
{}{}