Hindi News >>Home >>Top 10 News

Top 10 News Today: ବଢିଲା ସର୍ବନିମ୍ନ ମଜୁରି ଏବଂ ଅପରାହ୍ନର ଆଉ କିଛି ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Advertisement
Top 10 News Today: ବଢିଲା ସର୍ବନିମ୍ନ ମଜୁରି ଏବଂ ଅପରାହ୍ନର ଆଉ କିଛି ୧୦ ବଡ଼ ଖବର
Stop
Prabhudatta Moharana|Updated: Jul 10, 2024, 04:10 PM IST

H1. ମୁସଲିମ ଧର୍ମରେ ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବ ସ୍ୱାମୀ
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ। ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ ମହିଳା ଜଣକ CrPCର ଧାରା 125 ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ। 

H2. କ୍ୟାବିନେଟ ବୈଠକ ଶେଷ, ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି। ସର୍ବନିମ୍ନ ମଜୁରି ସଂଶୋଧିତ ହୋଇଛି। ସର୍ବନିମ୍ନ ମଜୁରୀ ୩୫୨ଟଙ୍କା ଥିଲା। ଏହାକୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଦ୍ଧ କୁଶଳୀଙ୍କର ମଜୁରି ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି, କୁଶଳୀମାନଙ୍କର ୫୦୦ ଓ ଉଚ୍ଚ କୁଶଳୀଙ୍କ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ପ୍ରସ୍ତାବରେ ମୋହର ମାରିଛନ୍ତି ସରକାର। 

H3. ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ
ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗାପାଙ୍ଗାର ରାଜସ୍ୱ ନିରୀକ୍ଷକ। ଜଣେ ବ୍ୟକ୍ତିଙ୍କଠାରୁ ଜମି ପଟ୍ଟା ପାଇଁ ଆବଶ୍ୟକୀୟ ମ୍ୟୁଟେସନ କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ସାହୁ। ଭିଜିଲାନ୍ସ ଟିମ୍ ଦିଲ୍ଲୀପଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢ଼ଉ ଜାରି ରଖିଛନ୍ତି। 

H4. ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ SOP
ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଆସିଲା SOP ! ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ SOP ପ୍ରସ୍ତାବ ଦେଇଛି ସେଥିରେ ପାଖାପାଖି ୨୦ଟି ସୁପାରିଶ ରହିଥିବା ସୂଚନା ମିଳିଛି। ରତ୍ନଭଣ୍ଡାରକୁ କିଭଳି ଖୋଲାଯିବ, କେଉଁ ପଦ୍ଧତି ଆପଣାଯିବ ସେସବୁ SOPରେ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ- ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ। ଏହି ଟିମରେ ଅନ୍ୟ କେଉଁ କେଉଁ ବିଶେଷଜ୍ଞ ରହିବେ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

H5. ଅ‌ଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ପରେ ଏବେ ଏବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ତେବେ ଅ‌ଷ୍ଟ୍ରିଆକୁ ଦୀର୍ଘ ୪୦ ବର୍ଷ ପରେ ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେଠାରେ ଯାଇ ମୋଦୀ ଅଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଛନ୍ତି। ମୋଦୀ ସେଠାରେ ପହଞ୍ଚିବା ପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଥିବା ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍‌ ଗସ୍ତ ପରେ ସେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଶାଲେନବର୍ଗ ମୋଦୀଙ୍କୁ ସ୍ବାଗତ କରିଥିଲେ।

H6. ପରିବା ଦର ଆକାଶଛୁଆଁ
ଆକାଶଛୁଆଁ ହୋଇଛି ପରିବାଦର।  ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି । ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି । ବ୍ରହ୍ମପୁରରେ ବାଇଗଣ କିଲୋ ୮୦ ଟଙ୍କା, ବିନ୍ସ ୧୬୦, କାଙ୍କଡ଼ ୧୦୦ , ପୋଟଳ କିଲୋ ପିଛା ୭୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଦର ମଧ୍ୟ ବେଶ ଉଚ୍ଚା ରହିଛି । ୟୁନିଟ ୧ ହାଟରେ ପୋଟଳ ୬୦, ବାଇଗଣ ୫୦, ଭେଣ୍ଡି ୭୦, ବିନ୍ସ ୧୮୦, ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ।

H7. ମୋଦୀଙ୍କୁ ଋଷର ସର୍ବୋଚ୍ଚ ସମ୍ମାନ
ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଦ’ ଅର୍ଡର ଅଫ୍‍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟୋଲ’ ରେ ସମ୍ମାନୀତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପୁରସ୍କାର ପାଇବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତ-ଋଷ ଭିତରେ ବୈଦେଶିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅବଦାନକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। 

H8. ଦାରା ସିଂହଙ୍କ ମୁକ୍ତି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ
ଗ୍ରାହାମ୍‍ ଷ୍ଟେନ୍ସ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ଦାରା ସିଂହଙ୍କ ମୁକ୍ତି ଆବେଦନକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଦାରା ସିଂହ ୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରଠାରେ ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁତ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟ ତାଙ୍କୁ ଆଜୀବନ ଶୁଣାଇଥିଲେ। ଏହାସୁପ୍ରିମ କୋର୍ଟରେ କାଏମ ରହିଥିଲା। ଏବେ ସେ ୨୪ ବର୍ଷ ଜେଲ୍‍ ଦଣ୍ଡ ଭୋଗିବର ସହ ପଶ୍ଚାତାପ କରିଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି। ଏଣୁ ଓଡ଼ିଶା ସରକାରଙ୍କ କାରାଦଣ୍ଡ ନିୟମ ଅନୁସାରେ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରାଯାଇଛି।  

H9. ଡେଙ୍ଗୁ ପ୍ରତି ସଚେତନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିଠି
ବର୍ଷାଦିନେ ଜଳବାହିତ ରୋଗ ତଥା ଡେଙ୍ଗୁ ପ୍ରତି ସଚେତନ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାପାଳଙ୍କୁ ସଚେତନ ରହିବାକୁ ନିର୍ଗଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଜିଲ୍ଲା ଏବଂ ମ୍ୟୁନିସିପାଲିଟି ସ୍ତରରେ ସମସ୍ତ ସ୍ତରରେ ଯୁଗ୍ମ ଭାବେ ସେଚତନତା ପ୍ରସାାରଣ, ଡାକ୍ତରଖନାଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ।

H10. ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ
ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ, ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ଉର୍ବଶୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ଫିଲ୍ମର ଏକ ଆକ୍ସନ ଦୃଶ୍ୟର ସୁଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ପରେ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ସାମ୍ନାକୁ ଆସିଛି।

Read More
{}{}