Hindi News >>Home >>Top 10 News

Top 10 News Today: ରଥାରୂଢ ବିଶ୍ୱନିୟନ୍ତା, କିଛି ସମୟ ପରେ ରଥଟଣା ଏବଂ ଅପରାହ୍ନର ଅନ୍ୟ ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Advertisement
Top 10 News Today: ରଥାରୂଢ ବିଶ୍ୱନିୟନ୍ତା, କିଛି ସମୟ ପରେ ରଥଟଣା ଏବଂ ଅପରାହ୍ନର ଅନ୍ୟ ୧୦ ବଡ଼ ଖବର
Stop
Prabhudatta Moharana|Updated: Jul 07, 2024, 04:05 PM IST

H1. ରଥାରୂଢ ହେଲେ ତିନି ଠାକୁର
ରଥାରୂଢ ହୋଇଛନ୍ତି ତିନି ଠାକୁର। ଧାଡ଼ି ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଛନ୍ତି ବଡ଼ ଠାକୁର। ସେପଟେ ଏହି ରଥଯାତ୍ରାକୁ ଦେଖିବା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ପୁରୀରେ ନୁହେଁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ପ୍ରତୀକ ଭାବେ ପାଳନ କରାଯାଏ। 

H2. ୫୩ ବର୍ଷ ପରେ ବିରଳ ସଂଯୋଗ
ଏଥର ରଥଯାତ୍ରାରେ ଏକ ବିରଳ ସଂଯୋଗ ହୋଇଛି। ୫୩ ବର୍ଷ ପରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଏଥର ନୀତି ନିର୍ଘଣ୍ଟ ବିଳମ୍ବ ହୋଇଛି। ଅପରାହ୍ଣରେ ରଥ ଟଣାଯିବାକୁ ସ୍ଥିର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬ଟା ୧୦ରେ ଦଇତା ସେବକଙ୍କ ଦ୍ୱାରା ସର୍ବାଙ୍ଗ ବନ୍ଦାପନା ସମାପନ ହେବା ପରେ ୬ଟା ୩୦ରେ ନେତ୍ରୋତ୍ସବ ବନ୍ଦାବନା ହୋଇଥିଲା। ୬ଟା ୫୫ରେ ରୋଷ ହୋମ ଶେଷ ହୋଇ ଅନ୍ୟ ନୀତି ଆଡ଼କୁ ମୁହାଁଇଥିଲେ ସେବାୟତ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୧ଟାରେ ପହଣ୍ଡି ଆରମ୍ଭ ହେବ। 

H3. ପୁରୀରେ ଅତିଥିଙ୍କ ଭିଡ଼
ରଥଯାତ୍ରା ଦେଖିବାକୁ ପୁରୀରେ ଅତିଥିମାନଙ୍କ ଭିଡ଼। ରଥଯାତ୍ରା ଦେଖିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହିତ ଅନ୍ୟ ପ୍ରମୁଖ ଅତିଥି ବୃନ୍ଦ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ପହଞ୍ଚିଛନ୍ତି। 

H4. ମଙ୍ଗଳବାର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି
ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ମଙ୍ଗଳବାରଦିନ ନିଷ୍ପତ୍ତି ନିଆଯିବ। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହିଦିନ ଏକ ବୈଠକ ବସି କେମିତି ଭଣ୍ଡାର ଖୋଲାଯିବ, କିପରି ଗଣତି ଭଣତି ହେବ, କିଏ ଏହି ସମୟରେ ଉପସ୍ଥିତ ରହିବେ ସବୁ ବିଷୟ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ଗତକାଲି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ରତ୍ନଭଣ୍ଡାର ସ୍ୱନ୍ତ୍ର କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରା ସମୟରେ ଶ୍ରୀଜିଉମାନେ ଶ୍ରୀମନ୍ଦିର ବାହାରେ ରହୁଥିବାରୁ ଏହି ସମୟରେ ମରାମତି ଓ ଭଣ୍ଡାର ଖୋଲିବା ପାଇଁ ଆଲୋଚନା କରାଯାଉଛି। 

H5. ରଥଯାତ୍ରାରେ ପ୍ରବଳ ବର୍ଷା
ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି, ବିଜୁଳି ହେବା ନେଇ ସତର୍କ ଜାରି କରାଯାଇଛି।

H6. ଡବଲ୍‌ ଏନ୍‌କାଉଣ୍ଟର: ୬ ଆତଙ୍କୀ ସଫା, ୨ ଯବାନ ସହିଦ
ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। କୁଲଗାମରେ ୨ଟି ପୃଥକ ଏନ୍‌କାଉଣ୍ଟର ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ୨ ସେନା ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ଆହୁରି ଅନେକ ଆଙ୍କବାଦୀ ଲୁଚି ରହିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

H7. ୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ
୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ।ବସ୍‌ରେ କୋଲକାତାରୁ ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା। ୩ କେଜି ୯୮୨ ଗ୍ରାମ୍‌ ସୁନା ଜବତ କରିଛି ଡିଆରଆଇ ଯାହାର ମୂଲ୍ୟ ୨ କୋଟି ୯୮ ଲକ୍ଷ ଟଙ୍କା। ସୁନା ଜବତ ସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ।

H8. ଶକ୍ତିଶାଳୀ ହେବ ଭାରତୀୟ ସେନା
ବଢୁଛି ଭାରତୀୟ ସେନାର ଶକ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ସଶକ୍ତ ହେଉଛି ଭରତ । ନୂଆ ନୂଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସେନାରେ ସାମିଲ ହେଉଛି । ଆଉ ଏହାରି ଭିତରେ ଭାରତୀୟ ସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଟ୍ୟାଙ୍କ୍ ‘ଯୋରାବର୍’ । ଏହି ଡ୍ରୋନକୁ ଡିଆରଡିଓ ବିକଶିତ କରିଛି । ଖାସକରି ପୂର୍ବ ଲଦାଖରେ ଭାରତୀୟ ସେନାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ଟ୍ୟାଙ୍କକୁ ବିକଶିତ କରିଛି ଡିଆରଡିଓ । ଏଲଏସିରେ ଭାରତ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଯୋରାବରକୁ ଚୀନର ମୁକାବିଲା ପାଇଁ ଲଦାଖରେ ମୁତୟନ କରାଯିବ । 

H9. ଭୁଶୁଡିଲା ୫ମହଲା କୋଠା
ଗୁଜରାଟ ସୁରଟରେ ଅଘଟଣ। ଶନିବାର ଅପରାହ୍ନରେ ସୁରଟ ସହରରେ ଥିବା ୫ ମହଲା ବିଲ୍ଡିଂ ଭୁଶୁଡି ଯାଇଥିଲା। ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି। ସୁରଟ ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକ କହିଛନ୍ତି ଯେ ରାତିସାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏଯାଏ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଟିତଳେ ଏବେବି ୬ରୁ ୭ଜଣ ଫସିରହିଥିବା ଆଶଙ୍କା କରାଯାଉଛି।

H10. ଆନ୍ଧ୍ର ଓ ତେଲଙ୍ଗାନା ସମସ୍ୟା ପାଇଁ କମିଟି
ରାଜ୍ୟ ବିଭାଜନ ପରେ ଆସିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରିଛନ୍ତି। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ସମେତ ପ୍ରତି ରାଜ୍ୟରୁ ତିନି ଜଣ ଲେଖାଏ ସଚିବ ରହିବେ। ଦୁଇ ରାଜ୍ୟ ଭିତରେ ଯେଉଁପରି ନିଶା ତିଆରି ଓ କାରବାର ଚାଲିଛି ତାହାକୁ ରଦ୍ଦ କରିବା ଲାଗି ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ନିଶା ନିରୋଧୀ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟ ବିଭାଜନର ଏକ ଦଶନ୍ଧି ବିତିଥିଲେ ମଧ୍‍ୟ ଏ ସମସ୍ୟାର ସମାଧାନ ହୋଇପାରୁ ନାହିଁ। 

{}{}