Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Narmada Behera|Updated: Jul 09, 2024, 08:03 AM IST

HL1-ଚାରିଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ଶେଷ ଦିନରେ ବି ଅନେକ ଗୁଡିଏ କାର୍ଯ୍ୟକ୍ରମ ରହିଛି। ଆଜି ସକାଳ ସାଢେ ୧୦ଟାରେ ଭୁବନେଶ୍ବର ସ୍ଥିତ  ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ଏବଂ କାର୍ଯ୍ୟକ୍ରମ ସାରି ୧୨ଟା ୫୫ ରେ ବିମାନବନ୍ଦରକୁ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଆସୁଥିବାରପ ବିକେ ଆର୍ଟ, ଉତ୍କଳ ସଂସ୍କୃତି ବିଦ୍ୟାଳୟ  ଓ ନାଇଜରର ଛାତ୍ରଛାତ୍ରୀମାନ ଉତ୍ସାହିତ ଅଛନ୍ତି। ବିକେ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଦ୍ବାରା ଅଙ୍କିତ ଚିତ୍ର ପ୍ରଦାନ କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
 
HL2-ଶରଧାବାଲିରେ ତିନିରଥ । ନବଦିନବ୍ୟାପି ରଥଯାତ୍ରାରେ ତିନି ରଥ ଗୁଣ୍ତିଚା ମନ୍ଦିର ନିକଟରେ ପହଞ୍ଚିଛି।  ଏବେ ଭକ୍ତମାନେ ସେଠାରେ ପ୍ରବଳ ଭିଡ଼ ଲଗାଇଛନ୍ତି।  ଆଜି ସକାଳେ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ନୀତି ଯେପରିକି ମଙ୍ଗଳଆଳତୀ, ମଇଲମ ପ୍ରମୁଖ ନୀତି ରଥ ଉପରେ ସମ୍ପନ୍ନ ହେବ।  ଅପରାହ୍ନରେ  ରଥରେ ଅଶ୍ବ ଖୋଲାଯିବ। ଏବଂ ଆଡ଼ପ ପହଣ୍ତି ଆରମ୍ଭ ହେବ।  ଆଡ଼ପ ମଣ୍ତପକୁ ବିଜେ କରିବେ ଦାରୁବ୍ରହ୍ମ। 

HL3- ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ। ଆଜି ଓ ଆସନ୍ତାକାଲି  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୧ ରୁ ୧୪ ତାରିଖ ଯାଏଁ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଇଏମଡି଼ର ଆକଳନ ଅନୁସାରେ, ଆଜି  ଉତ୍ତର ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ସ୍ବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବାନ ଅଛି।  କିନ୍ତୁ କୌଣସି  ସ୍ଥାନରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆଜି ବିଶେଷକରି,  ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ବର୍ଷା ହେବାର ସମ୍ଭାବନା ରହିଛି।

HL4-ରତ୍ନ ଭଣ୍ଡାର ଖୋଲିବ କି ନାହିଁ ଏ ନେଇ ଆଶା ଆଶଙ୍କାରେ ରାଜ୍ୟବାସୀ। ସରକାର ବଦଳିବା ମାତ୍ରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରତିଶୃତି ହୋଇଥିଲା ଏବେ ସେହି ପ୍ରତିଶୃତିର ପ୍ରତିଫଳନ ପାଇଁ ଅନେଇ ବସିଛନ୍ତି ଭକ୍ତ ଓ ସାଧାରଣ ଜନତା। ଅନେକ ଥର ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି(ମଙ୍ଗଳବାର) ପୁଣି ଥରେ ଏ ନେଇ ଏକ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରତ୍ନଭଣ୍ଡାର(Ratnabhandara) ଚାବି ମଧ୍ୟ ମଙ୍ଗଳବାର ବୈଠକରେ ଉପସ୍ଥାପିତ ହେବ। ଶ୍ରୀମନ୍ଦିର(Srimandira) ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି କମିଟି ଆଗରେ ଦାଖଲ କରିବେ। ରତ୍ନଭଣ୍ଡାର ଚାବି ବି କେମିତି ଖୋଲାଯିବ, ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

HL5-ସାଙ୍ଘାତିକ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ରାଜ୍ୟ‌ରେ ବନ୍ୟା ଯୋଗୁ ମଣିଷଙ୍କ ସହ ବନ୍ୟଜନ୍ତୁମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭୟଙ୍କର ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ସମୁଦାୟ ୧୩୧ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି।ସେଠାକାର  ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ପଶୁମାନଙ୍କ ମଧ୍ୟରେ ୬ ଟି ଗଣ୍ଡା, ୧୦୦ ହଗ୍ ହରିଣ , ଦୁଇଟି ସମ୍ବର ଏବଂ ଗୋଟିଏ ଉଦବିଳାବ ଅନ୍ତର୍ଭୁକ୍ତ ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ପଶୁମାନେ ମୁଖ୍ୟତ ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ବରଣ କରିଥିବାବେଳେ ବନ୍ୟା ହେତୁ ଉଚ୍ଚ ସ୍ଥାନକୁ ଯାଉଥିବାବେଳେ ଦୁଇଟି ପ୍ରାଣୀ ଗାଡି ଦ୍ୱାରା ଧକ୍କା ହୋଇଥିଲେ।

HL6-ଜମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଗୁଳିରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି। ସେନା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଏହି ଗୁଳିମାଡ଼ରେ ୫ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, "କାଠୁଆର ମାଚେଡି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୫ ଜଣ ଯବାନ ଶହୀଦ ହୋଇଥିବାବେଳେ ସମାନ ସଂଖ୍ୟକ ଯବାନ ଆହତ ହୋଇଛନ୍ତି। ସେନା, ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। 

HL7-ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସ୍ପାଇସଜେଟ । କମ୍ପାନୀ ନିଜ କର୍ମଚାରୀମାନଙ୍କର ପ୍ରୋଭିଡଏଣ୍ଟ ଫଣ୍ଡ ମଧ୍ୟ ଦେବାରେ ଅସକ୍ଷମ ହୋଇଛି । ଇପିଏଫଓର ଅନୁସାରେ, ସ୍ପାଇସଜେଟ ଶେଷଥର ପାଇଁ ଜାନୁଆରୀ ୨୦୨୨ରେ ନିଜର ୧୧,୫୮୧ କର୍ମଚାରୀମାନଙ୍କ ପିଏଫ ଭରିଥିଲା । ଏହାପରେ ସେ ଲଗାତାର ଅଢେଇ ବର୍ଷର ପିଏଫ ଭରିବା ଅସକ୍ଷମ ରହିଛନ୍ତି । ଏହି ମାମଲାକୁ ନେଇ ଇପିଏଫଓ ପକ୍ଷରୁ ଏୟାରଲାଇନକୁ ନୋଟିସ ଜାରି କରାଯାଇଛି । 

HL8-ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ । ପୂର୍ବରୁ ହ୍ୟୁମାନ୍ ପାରିବାରିକ କଳହ କୁ ନେଇ ଚର୍ଚ୍ଚାରେ ରହିଥିଲେ। 

HL9-ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ଏନଟିଏ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗୀନ ମାମଲାରେ ତଦନ୍ତ କେତେ ଆଗେଇଛି ସେନେଇ ମଧ୍ୟ କୋର୍ଟ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରୁଛି । ତେଣୁ ବୁଧବାର ସଂଧ୍ୟା ସୁଦ୍ଧା କେନ୍ଦ୍ର ସରକାର ଓ ପରୀକ୍ଷା ପରିଚାଳନା ସଂସ୍ଥା ‘ଏନଟିଏ’ ମାମଲାର ତଦନ୍ତ ସମ୍ପର୍କିତ ବିସ୍ତୃତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ ।

HL10-ସୋମବାର ଠୁ ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମସ୍କୋସ୍ଥିତ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଦୁଇ ନେତା ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ତାଙ୍କ ପ୍ରଥମ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ ତୃତୀୟ ପାଳି ଜିତିବା ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଜୀବନ ଉତ୍ସର୍ଗ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି।

 

Read More
{}{}