Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Zee Odisha Desk|Updated: Jun 26, 2024, 08:24 AM IST

1.ଆଜି ବାଚସ୍ପତିଙ୍କ ନିର୍ବାଚନ ହେବ। ଲୋକସଭା ଇତିହାସରେ ଏହା ତୃତୀୟ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ବାଚସ୍ପତି ପଦ ପାଇଁ ଗୃହ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ କରୁଥିଲେ। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଏହି ପଦବୀ ଲାଗି ଦେଉ ନଥିଲେ। ହେଲେ ଅଷ୍ଟାଦଶ ଲୋକସଭାରେ ପ୍ରଥମଥର ପାଇଁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶ ଏବଂ ଏନ୍‍ଡିଏ ପ୍ରାର୍ଥୀ ତଥା ପୂର୍ବତନ ବାଚସ୍ପତି ଓମ୍‍ ବିର୍ଲାଙ୍କ ଭିତରେ ଲଢ଼େଇ ହେବ । 

2.ବାଚସ୍ପତି ନିର୍ବାଚନ ପୂର୍ବରୁ ଶପଥପାଠ କରି ନଥିବା ଲୋକସଭାର କିଛି ନବ ନିର୍ବାଚିତ ସାଂସଦଙ୍କୁ ଆଜି ସାମୟିକ ବାଚସ୍ପତି ଶପଥ ପାଠ କରିବା ଲାଗି ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ଶପଥ ଗ୍ରହଣ କରିଥିବା ସଦସ୍ୟମାନେ ହିଁ ନିର୍ବାଚନରେ ଅଂଶ ଗ୍ରହଣ କରିବେ। କାମଚଳା ବାଚସ୍ପତି ଏହି ନିର୍ବାଚନକୁ ପରିଚାଳନା କରିବେ। 

3.ଲୋକସଭାର ସଂସଦୀୟ ବ୍ୟାପରର ନିୟମ ଧାରା ୯୩ ଅନୁସାରେ ଲୋକସଭାର ସଦସ୍ୟମାନେ ହିଁ ବାଚସ୍ପତି କିଏ ହେବ ତାହା ସ୍ଥିର କରନ୍ତି। ଏହା ସହମତି ଭିତ୍ତିରେ ନହେଲେ ଭୋଟ ହୋଇଥାଏ। ଏଥର ସହମତି ହୋଇ ପାରି ନଥିବାରୁ ଭୋଟ ଗ୍ରହଣ କରାଯିବ। ନୂଆ ସଂସଦ ଭବନରେ ଏହା ପ୍ରଥମ ବାଚସ୍ପତି ନିର୍ବାଚନ ହେବ । ଯାହା ଉଭୟ ଟେକ୍ନୋଲୋଜି ଓ ପାରମ୍ପରିକ ବ୍ୟବସ୍ଥାକୁ ଆଧାର କରି କରାଯିବ। ସଦସ୍ୟମାନେ ପ୍ରଥମେ ନିଜ ଟେବୁଲ୍‍ ଉପରେ ଥିବା ବଟନ ଟିପି ଭୋଟ ଦେବେ, ଏହାପରେ କାଗଜ ବ୍ୟାଲଟରେ ମଧ୍ୟ ଭୋଟ୍‍ ଦେବା ଲାଗି ଲୋକସଭାର କର୍ମଚାରୀମାନେ ଚିରୁକୁଟି ବାଣ୍ଟିବେ। ଏହି ଚିରୁକୁଟି ଗଣତିକୁ ଆଧାର କରି ଯେଉଁ ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଲାଭ କରିବେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚନ କରାଯିବ। 

4.ଭୋଟ ପୂର୍ବରୁ ଉଭୟ ଇଣ୍ଡିଆ ମେଣ୍ଟ ଏବଂ ଏନ୍‍ଡିଏର ଅଂଶୀଦାର ଦଳମାନେ ନିଜ ସଦସ୍ୟମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‍ ବା ଛାଟ ଜାରି କରିଛନ୍ତି। ଏନ୍‍ଡିଏ ପାଖରେ  ୨୯୩ ସଦସ୍ୟଙ୍କ ସମର୍ଥନ ଥିବାବେଳେ ଇଣ୍ଡିଆ ମେଣ୍ଟ ପାଖରେ ୨୪୩ ସଦସ୍ୟଙ୍କ ସମର୍ଥନ ରହିଛି। ଏଣୁ ଲୋକସଭାରେ ଏନ୍‍ଡିଏ ପ୍ରାର୍ଥୀ ଓମ୍‍ ବିର୍ଲାଙ୍କୁ ପୁଣିଥରେ ବାଚସ୍ପତି ଭାବେ ଭୋଟ ମିଳିବା ସ୍ପଷ୍ଟ ହୋଇଛି। 

5.ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ନେଇ ମେଣ୍ଟରେ ଫାଟ ଦେଖା ଦେଇଛି। ମେଣ୍ଟ ସଦସ୍ୟ ତୃଣମୂଳ କଂଗ୍ରେସ ଏଥିରେ ନାରାଜୀ ବ୍ୟକ୍ତ କରିଛି। ମେଣ୍ଟ ପକ୍ଷରେ ଭୋଟ ଦେବ ନା ନିବୃତ୍ତ ରହିବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‍ସି ଏହା ସ୍ପଷ୍ଟ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସ୍ପଷ୍ଟ ହୋଇଛି। 

6.ପୁରୀରେ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ଆଇନ ଶୃଙ୍ଖଳା ଓ ନୀତି ନିର୍ଘଣ୍ଟକୁ ନେଇ ଆଜି ଆଇନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ କରାଯାଇଛି।  ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଗତ ୨ ଦିନ ହେଲା ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା  କମିଟି ଏହି ବିଷୟରେ ଆଲୋଚନା କରି ନିର୍ଦ୍ଧାରିତ ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି। 

7.୧୯୯୦ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ଫେରିବା ନିଶ୍ଚିତ ହୋଇଛି। ୨୦୨୨ ମସିହାରେ ସେ ଓଡ଼ିଶା ଛାଡ଼ି କୃଷି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କର ଓଡ଼ିଶା ଫେରିବା ନେଇ ପ୍ରଶାସନିକ ମହଲରେ ବଡ଼ ପରିବର୍ତ୍ତନର ଆଭାସ ଦେଉଛି। ବିଶେଷ କରି ମୁଖ୍ୟ ସଚିବଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ମୁଖ୍ୟସଚିବ ହୋଇପାରନ୍ତି ବୋଲି କିଛି ଗଣମାଧ୍ୟମ ଚର୍ଚ୍ଚା କରିଛନ୍ତି। କିନ୍ତୁ ଶ୍ରୀ ଆହୁଜାଙ୍କ ଚାକିରି କାଳ ଡିସେମ୍ବରରେ ଶେଷ ହେଉଥିବାରୁ ସେ ନିଜର ଅବସରକାଳୀନ ସମସ୍ୟାରୁ ମୁକ୍ତି ପାଇଁ ଓଡ଼ିଶା ଫେରିବାକୁ ଚିନ୍ତା କରିଥିବା ମଧ୍ୟ ଆଲୋଚନା ହେଉଛି। 

8.ଓଡ଼ିଶାରେ ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ। ଗତ ୬ ବର୍ଷ ହେଲା ବିଭିନ୍ନ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ପାରି ନାହିଁ। ଚଳିତ ବର୍ଷ ସରକାର ପରିବର୍ତ୍ତନ ହୋଇଥିବାରୁ ଏନେଇ ସମ୍ଭାବନା ପ୍ରକାଶ ପାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ସୂର୍ଯ୍ରବଂଶୀ ସୂରଜ ମଧ୍ୟ ଏଥିନେଇ ଆଶାବାଦୀ ଥିବା ଜଣାପଡ଼ିଛି। 

9.ଜଣେ ମହିଳା ଟିଭି ସାମ୍ବାଦିକ ଭିଡିଓ ସଂଗ୍ରହ କରୁଥିବା ବେଳେ ତାଙ୍କ ଉପରକୁ କୁକୁର ଛାଡ଼ିଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ ଥାନାରେ ଏତଲା ହୋଇଛି। ବିଭିନ୍ନ ସାମ୍ବାଦିକ ସଂଗଠନ ସାଧାରଣ ଜୀବନରେ ଥିବା ଜଣେ ନେତାଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।   ଶ୍ରୀ ଦାସ ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି। 

10.ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ରାଜ୍ୟରେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଜିଠାରୁ ଆସନ୍ତା ୪ ଦିନ ଯାଏ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ  ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଝଡ଼ ବହିବାର ମଧ୍ୟ ଆଶଙ୍କା କରି ସତର୍କତା ଜାରି କରିଛନ୍ତି ପାଣିପାଗ ବିଭାଗ।

 

 

{}{}