Hindi News >>Home >>Top 10 News

Top 10 News Today: ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର
Stop
Prabhudatta Moharana|Updated: Aug 12, 2024, 08:48 AM IST

ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର
ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସଭୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି।

ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା
ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍‌କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ। ଏନେଇ ମନ୍ତ୍ରୀ କହିଛନ୍ତି, ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ ପରିବାର ନିଜ ନିଜ ଭିଟାମାଟି ତ୍ୟାଗ କରିଛନ୍ତି ଏବଂ ସର୍ବସ୍ବ ହରାଇ ବେଘର ହୋଇଛନ୍ତି, ସେମାନେ ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇପାରିନାହାନ୍ତି । ଏପର୍ଯ୍ୟନ୍ତ ଅନେକ ବିସ୍ଥାପିତ ଥଇଥାନ ହୋଇନାହାନ୍ତି ।  ସେହିସବୁ ପରିବାରଙ୍କର ଉତ୍ତରାଧିକାରୀଙ୍କୁ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ୧୦ ଡିସିମିଲ୍ ଲେଖାଏଁ ଜମି ସରକାର ରାଜସ୍ବ ବିଭାଗ ତରଫରୁ ପ୍ରଦାନ କରାଯିବ । ଏହା ସହିତ ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆସରିଥିବା କହିଛନ୍ତି ମନ୍ତ୍ରୀ।

ଆରମ୍ଭ ହେଲା ରଥଭଙ୍ଗା କାମ
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି। ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିବେ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ
ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ସୂଚିତ କରାଯିବ ବୋଲି ସୂଚନା ମିଳିଛ ।

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
ଆଜିଠୁ ୩ ଦିନିଆ ଗସ୍ତରେ  ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିସହ ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାର ଜାତୀୟ ରାଜପଥ ନେଇ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜୁଲାଇ ୨୬ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ।ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିଥିଲେ ସିଏମ୍।

କିସମ ରିଲିଜ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ୧୦୯ଟି ଉଚ୍ଚ ଅମଳକ୍ଷମ, ଜଳବାୟୁ ଅନୁକୂଳ ଓ ଜୈବ-ପ୍ରତିରୋଧକ କିସମର ବିହନ ରିଲିଜ୍ କରିଛନ୍ତି। ଏହି ସମୟରେ ପିଏମ ମୋଦୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ କଥା ହୋଇଥିଲେ।

ଜେପିସି ତଦନ୍ତ ଦାବି କଲା କଂଗ୍ରେସ
ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗତକାଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ବୁଚ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଦେଶରେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ‌ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ବାରା ଏହି ଅଭିଯୋଗର ତଦନ୍ତ ପାଇଁ ବିରୋଧୀ କଂଗ୍ରେସ ଦାବି କରିଛି। ସେବି ଅଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି। ଦୀର୍ଘ ପ୍ରାୟ ୧୮ ମାସ ପରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆସିଥିବା ଦ୍ବିତୀୟ ରିପୋର୍ଟରେ ମାଧବୀ ବୁଚ୍‌ ଓ ତାଙ୍କ ସ୍ବାମୀ ଧବଲ ବୁଚ୍‌ଙ୍କ ବିରୋଧରେ ଅଭିଯୋଗ ଆସିଛି। ଆଦାନିଙ୍କ ଅର୍ଥ ତୋସରପାତ ଦୁର୍ନୀତି ସହ ଜଡ଼ିତ ବିଦେଶୀ ଫଣ୍ଡ୍‌ରେ ଏହି ଦମ୍ପତିଙ୍କର ଅଂଶଧନ ରହିଥିବା ଅଭିଯୋଗ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଛି।

ମନ୍ଦିରରେ ଦଳାଚକଟା; ଚାଲିଗଲା ୭ ଜୀବନ, ୯ ଗୁରୁତର
ଆଜି ସକାଳେ ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ଘଟିଛି ଅଘଟଣ । ଅତ୍ୟଧିକ ଭିଡ଼ ହେତୁ ମନ୍ଦିରରେ ଦଳାଚକଟା ହୋଇ ଚାଲି ଯାଇଛି ୭ ଜୀବନ । ୭ ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି । ଏହି ଅଘଟଣରେ ୯ ଜଣ ଗୁରୁତର ହୋଇଛନ୍ତି। ଶ୍ରାବଣ ମାସ ସୋମବାର ନିମନ୍ତେ ଆଜି ସକାଳେ ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ୍‌ ଫୋର୍ସ ବି ଉପସ୍ଥିତ ଥିଲେ। ହଠାତ୍‌ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଧାଁଦୌଡ଼ ହେବାକୁ ଲାଗିଲା। ଫଳରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ, ୨୦୨୮କୁ ଅପେକ୍ଷା
ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି। ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ। ଅଲିମ୍ପିକ୍ସରେ ଚଳିତ ଥର ଭାରତକୁ ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ମିଳିଛି। ୧୬ଟି ଇଭେଣ୍ଟରୁ କେବଳ ୪ଟି କ୍ରୀଡାରେ ଏହି ପଦକ ମିଳିଛି। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

Read More
{}{}