Hindi News >>Home >>Top 10 News

Top 10 News Today: ଅପରାହ୍ଣର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Advertisement
Top 10 News Today: ଅପରାହ୍ଣର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ
Stop
Soubhagya Ranjan Mishra|Updated: Jun 19, 2024, 03:56 PM IST

Top 10 News Today:

01- ରଥଯାତ୍ରା ପରଦିନ ଅର୍ଥାତ ଜୁଲାଇ ୮ ତାରିଖ ଦିନ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। କୋର୍‌ କମିଟି, ଟେକ୍ନିକାଲ କମିଟି ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍‌ ଥିବା ଜଣାପଡିଛି ଏବଂ ତାହାର ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏନେଇ ସୂଚନା ଦେଇଛନ୍ତି ।

02- ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ଲହରୀ ଏବେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ସଂକଟ ପାଲଟିଛି। ପ୍ରବଳ ଗ୍ରୀଷ୍ମ ଲହରୀ କାରଣରୁ ହଜ୍ ସମୟରେ ଅତି କମରେ ୫୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ସଂଖ୍ୟକ ମୃତ୍ୟୁ ଖବର ଇଜିପ୍ଟରୁ ଆସିଛି। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ ଇଜିପ୍ଟରୁ ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାତ ଜନିତ ରୋଗ ହେତୁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଇଜିପ୍ଟର ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଅଂଶୁଘାତରେ ଯୋଗୁଁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଏହି ତଥ୍ୟ ମକ୍କା ନିକଟ ଅଲ-ମୁଏସାମ ଡାକ୍ତରଖାନାର ଶବାଗାରରୁ ଆସିଛି।

03- ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢ଼ୀ। ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଆଜି ସୁରମା। ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ। ତେବେ ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି। 

04- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ରାଜ୍ୟକୁ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଧ୍ୱଂସାବଶେଷକୁ ପର୍ଯ୍ୟଟନସ୍ଥଳ ଭାବରେ ଘୋଷଣା କରାଯାଇଥିଲା। ଏହାର ଅତୀତ ସହିତ ଭାରତର ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ପୂର୍ବରୁ ବୁଧବାର କହିଛନ୍ତି ଯେ ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଏହା ପୂରଣ କରିବ।

05- ରାଜ୍ୟରେ ଡିପ୍‌ଥେରିଆ ସ୍ଥିତି ନିୟନ୍ତ୍ରଣ ରହିଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ନୂଆ କେସ୍‌ ଆସିନି, ଏବେ ପର୍ଯ୍ୟନ୍ତ ୨୧ ମାମଲା ରହିଛି ବୋଲି କୁହାଯାଇଛି । ରାୟଗଡ଼ା ହସ୍ପିଟାଲରେ ବର୍ତ୍ତମାନ ରୋଗୀ ସଂଖ୍ୟା ଶୂନ । ଭବାନୀପାଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି । କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ହୋଇଥିବା ରୋଗୀ ବର୍ତ୍ତମାନ MKCGରେ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡିପଥେରିଆ ସଂକ୍ରମଣ ପଛର କାରଣ କଣ ସେନେଇ ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

06- ବିଜେପିର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସୁନୀଲ ବଂଶଲ, ବିଜୟପାଲ ସିଂ ତୋମାର, ଲତା ଉସେଣ୍ଡି ଏବଂ ମନମୋହନ ସାମଲ ଉପସ୍ଥିତ ରହିଥିଲେ । ୨୦୨୪ ନିର୍ବାଚନରେ ସଫଳତା ପରେ ୨୦୨୯ ପାଇଁ ଏବେଠୁ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ଚର୍ଚ୍ଚା ହେଉଛି ।

07- ବାଲେଶ୍ୱରରେ ଧୀରେ ଧୀରେ ଶାନ୍ତି ଫେରୁଛି । ଗୋଷ୍ଠୀ ସଂଘର୍ଷ କାରଣରୁ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବାପାଇଁ ପ୍ରଶାସନ ପକ୍ଷରୁ ଘଟଣା ଉପରେ କଡା ନଜର ରଖାଯାଇଛି । ଅନ୍ୟପଟେ କର୍ଫ୍ୟୁ ସମୟରେ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଜଣ ଅଟକ ରହିଥିବା ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୋଷ୍ଠୀ ସଂଘର୍ଷ ପରେ କର୍ଫ୍ୟୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ ରହିଛି ।

08- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ବିଳମ୍ବରେ ନୀତି ଚାଲିଛି । ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କନୀତିକାନ୍ତି। ଏପରି କି ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ହୋଇଥିବା ଜଣାଯାଇଛି। ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସରେ ଏକ ବୈଠକ ହୋଇଥିଲୀ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ ।

09-ସିକିମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଆଉ କିଛି ପର୍ଯ୍ୟଟକ ଫସି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

10- ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡି ସହିତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ତିନି ଚାରୋଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ସୂଚନା ଦେଇଛି। ବିଶେଷ କରି ପୁରୀ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଦା ଅଞ୍ଚଳରେ ଘଡ଼ଘଡି ସହିତ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

Also Read- Rahu Gochar 2024 : ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ !

Read More
{}{}