Hindi News >>Home >>Top 10 News

Top 10 News: ଆଜିଠୁ ଲାଗୁ ହେଲା ଅନେକ ପରିବର୍ତ୍ତନ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News: ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ପାଇଁ ଶାସକ ଦଳ ପ୍ରସ୍ତାବ ଆଗତ କରିପାରନ୍ତି। ଶୁକ୍ରବାର ଏହି କାର୍ଯ୍ୟକ୍ରମ ଥିଲେ ମଧ୍ୟ ବିରୋଧୀ ଦଳ ନିଟ୍‍ ପେପର ଲିକ୍‍ ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା କରିବା ଲାଗି ଜିଦ୍‍ ଧରିବାରୁ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। 

Advertisement
Top 10 News:  ଆଜିଠୁ ଲାଗୁ ହେଲା ଅନେକ ପରିବର୍ତ୍ତନ ଏବଂ ଅନ୍ୟ ମୁଖ୍ୟ ଖବର
Stop
Priyambada Rana|Updated: Jul 01, 2024, 08:48 AM IST
1. ଆଜି ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ଷଷ୍ଠ  କାର୍ଯ୍ୟଦିବସ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ପାଇଁ ଶାସକ ଦଳ ପ୍ରସ୍ତାବ ଆଗତ କରିପାରନ୍ତି। ଶୁକ୍ରବାର ଏହି କାର୍ଯ୍ୟକ୍ରମ ଥିଲେ ମଧ୍ୟ ବିରୋଧୀ ଦଳ ନିଟ୍‍ ପେପର ଲିକ୍‍ ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା କରିବା ଲାଗି ଜିଦ୍‍ ଧରିବାରୁ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ଆଜି ମଧ୍ୟ ସମାନ ଆକାରରେ ଗୃହରେ ହଟ୍ଟଗୋଳ ଦେଖାଯାଇପାରେ। 
 
2. ଆଜିଠାରୁ ଲାଗୁ ହେବ ନୂଆ ଅପରାଧିକ ନ୍ୟାୟ ବ୍ୟବସ୍ଥା। ବ୍ରିଟିଶ୍‍ ସମୟର ତିନି ଆଇନ ଆଜିଠାରୁ ଅକାମୀ ହୋଇ ନୂଆ ଆଇନ ଅନୁସାରେ ପୁଲିସ ଓ ବିଚାର ବ୍ୟବସ୍ଥା କାର୍ଯ୍ୟ କରିବ। ଯେଉଁ ତିନି ଆଇନକୁ ନୂଆକରି ଲାଗୁ କରାଯିବ ସେଗୁଡ଼ିକ ଭିତରେ ପ୍ରଥମରେ ରହିଛି, ଭାରତୀୟ ନ୍ୟାୟ ସଂହିତା ଯାହା ପୂର୍ବରୁ ଇଣ୍ଡିଆନ୍‍ ପେନାଲ୍‍ କୋଡ୍‍ ଭାବେ ପରିଚିତ ଥିଲା।   ସେହିପରି ସିଆର୍‍ପିସିକୁ ଅକାମୀ କରି ସେହି ସ୍ଥାନରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍‍ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବଭାରତୀୟ ସାକ୍ଷ ୍ୟଅଭିଯାନ। 
 
3. ସଂସଦ ନିକଟ ଥାନାରେ ଏହି ତିନି ଆଇନକୁ ଲାଗୁ କରିବା ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ଦେଶର ସମସ୍ତ ଥାନା ପାଇଁ ଏହା ଆଦର୍ଶ ହୋଇ ରହିବ। ନୂଆ ଆଇନରେ ସାମ୍ପ୍ରତିକ ପରିସ୍ଥିତି, ଭାରତୀୟ ପରିବେଶକୁ ଆଧାର କରି ନ୍ୟାୟ ବ୍ୟବସ୍ଥାକୁ ପରିଚାଳନା କରିବା ଲାଗି ବ୍ୟବସ୍ଥା ହୋଇଛି। ଆଜିଠାରୁ ସମସ୍ତ ଥାନାରେ ଏତଲା ନୂଆ ସଂହିତା ଅନୁସାରେ ଗ୍ରହଣ କରାଯିବ। ଡିସେମ୍ବର ମାସରେ ଏହି ତିନି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। 
 
4. ବଢ଼ୁଛି କ୍ରେଡିଟ୍‍ କାର୍ଡ ଏବଂ ସ୍ୱର୍ଣ୍ଣଋଣ ସଂଖ୍ୟା ଓ ପରିମାଣ। ଏପରିକି ଏହା ବ୍ୟାଙ୍କର ସାମଗ୍ରିକ୍‍ ଋଣ ପରିମାଣଠାରୁ ଅଧିକ ଦ୍ରୁତ ଗତିରେ ବଢ଼ୁଥିବା ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଉଦବେଗ ପ୍ରକାଶ କରିଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କ୍ରେଡିଟ୍‍କାର୍ଡ କାରବାର ୨୬.୨ ପ୍ରତିଶତ ବୃଦ୍ଧ ଘଟିଥିବା ବେଳେ ସ୍ୱର୍ଣ୍ଣଋଣରେ ଋଣ କାରବାର ୨୯.୭ ପ୍ରତିଶତ ହୋଇଛି। ଅପରପକ୍ଷେ ବ୍ୟାଙ୍କ୍ ଗୁଡ଼ିକରେ ଅନ୍ୟଋଣ କାରବାର ବୃଦ୍ଧି ମାତ୍ର ୧୯.୮ ପ୍ରତିଶତ ରହିଛି। ଅଣ ନିରାପଦ ଋଣ କାରବାରେ ଏପରି ବୃଦ୍ଧି ରିଜର୍ଭ ବ୍ୟାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। 
 
5. ଆଜିଠାରୁ ରାଜ୍ୟରେ ନୂଆ ଶାସନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ମଙ୍ଗ ଧରିବା ପରେ ଆଜି ମୁଖ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀରେ ପରିବର୍ତ୍ତନ କରିଛନ୍ତି। ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ମନୋଜ ଆହୁଜା ଆଜିଠାରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଫିସ ସଚିବ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ପୁଣି ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମଧ୍ୟ ଆରମ୍ଭ ହେବ। ସାଧାରଣ ଜନତା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଅଭିଯୋଗ ଦାଖଲ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ଜଣେ ପରେ ଜଣଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣିବା କାର୍ଯ୍ୟକ୍ରମ ରହିଛି। 
 
6. ସେପ୍ଟମ୍ବର ୧୭ ତାରିଖରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ମହିଳାଙ୍କ ସଶକ୍ତିକରଣ ଲାଗି ଏହି ଯୋଜନା ଉଦ୍ଦିଷ୍ଟ। ଯୋଜନା ମାଧ୍ୟମରେ ୬୦ ବର୍ଷ ଯାଏ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଅରର୍ଥ ବଣ୍ଟାଯିବ। ତେବେ କେଉଁ ବର୍ଗର ମହିଳା ଏଥିରେ ଯୋଗ୍ୟ ହେବେ ସେ ନେଇ ସରକାର କିଛି ନିର୍ଦ୍ଦେଶାବଳୀ ଜାରି କରି ନାହାନ୍ତି। 
 
 
7. ଢେଙ୍କାନାଳର ସପ୍ତଶଯ୍ୟାରେ ହଜି ଯାଇଥିବା ୫ ଛାତ୍ରଙ୍କୁ ବନ ବିଭାଗ ଉଦ୍ଧାର କରିଛି। ବୁଲିବା ଲାଗି ଏଠାକୁ ଆସିଥିବା ବେଳେ ଅତ୍ୟଧିକ ବର୍ଷା ଓ ମୋବାଇଲ୍‍ ନେଟଓ୍ୱର୍କ ଅଭାବରୁ ସେମାନେ ବାଟ ନପାଇ ଜଙ୍ଗଲରେ ଫଶି ଯାଇଥିଲେ। ସନ୍ଧ୍ୟାରେ ସାଙ୍ଗମାନଙ୍କଠାରୁ ଖବର ପାଇଁ ବନ ବିଭାଗ ତାଙ୍କୁ ଖୋଜିଥିଲା ଏଂବ ବିଳମ୍ବିତ ରାତ୍ରିରେ ସେମାନେ ଫେରିଥିବା ବିଷୟ ଜଣାଇଥିଲା। ଏ ସମସ୍ତେ କଟକର ବୋଲି ଜଣାପଡ଼ିଛି। 
 
8. ଶ୍ରୀମନ୍ଦିରରେ ଆଜି ଅନବସରର ଦଶମୀ ତିଥୀ ରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଚକାବିଜେ ନୀତି ।ଯାହା ଫଳରେ ଜ୍ୱର ଜନିତ ପୀଡାରୁ ସାମାନ୍ୟ ସୁସ୍ଥତା ମିଳିବାର ସୂଚନା ମିଳିବ।ଏହି ଚକାବିଜେ ନୀତି ଆଜି ଦ୍ବୀପହର ଭୋଗ ନୀତି ପରେ ଦଇତାପତିମାନେ କରିବେ। ସେପଟେ ଆଜି ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ଜ୍ୱରରୁ ସମ୍ପୂର୍ଣ ଉପଶମ ପାଇଁ ବିଭିର୍ନ ଚେରମୂଳିରେ ପ୍ରସ୍ତୁତ କରାଯିବ ଦଶମୂଳରିଷ୍ଟ ମୋଦକ। ପାରମ୍ପରିକ ଭାବେ ରାଜବୈଦ୍ୟ ଙ୍କ ଘରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ ହେବା ପରେ ଏହାକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ।ପରେ ଆସନ୍ତାକାଲି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଅଛି।
 
9. ଭାରତୀୟଙ୍କ ବିଦେଶ ଭ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଗତ ୫ ବର୍ଷ ଭିତରେ ଏହା ସାଢ଼ତିନିଗୁଣା ବୃଦ୍ଧି ପାଇଛି। ୨୦୨୨-୨୩ ଅପେକ୍ଷା ୨୪.୪ ପ୍ରତିଶତ ଅଧିକ ଅର୍ଥ ଭାରତୀୟମାନେ ବିଦେଶରେ କାରବାର କରିଛନ୍ତି। ୨୦୨୩-୨୪ ଆର୍ଥିକ ପରିମାଣରେ ପ୍ରାୟ ୧ ଲକ୍ଷ ୪୧ ହଜାର ୮୦୦ କୋଟି ଟଙ୍କା ଭାରତୀୟଙ୍କ ଦ୍ୱାରା ବିଦେଶରେ କାରବାର ହୋଇଥିବା ଜଣାପଡ଼ିଛି। 
 
10. ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନେଇ ତାଲିକା ପ୍ରସ୍ତୁତ ହୋଇଛି। ଜୁଲାଇ୩, ୬, ୭, ୮, ୯, ୧୩, ୧୪, ୧୬ ଏବଂ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହା ରାଜ୍ୟ ଭିତ୍ତିରେ ଅଲଗା ଅଲଗା ହୋଇପାରେ। ଓଡ଼ିଶାରେ କିନ୍ତୁ ଜୁଲାଇ ମାସରେ ୬ଟି ଛୁଟିଦିନ ରହିଛି।  ୩, ୬. ୮, ୯, ୧୬ ଏବଂ ୧୭ ତାରିଖରେ ବ୍ୟାଙ୍କ କାରବାର ଖୋଲା ରହିବ।
{}{}