Hindi News >>Home >>Zee Odisha

Stock Market:ସେୟାର ବଜାରରେ ହାହାକାର,BSE ସେନସେକ୍ସରେ ୧୬ ମାସରେ ସବୁଠାରୁ ବଡ଼ କ୍ଷତି

ଆଜି ଘରୋଇ ଷ୍ଟକ୍ ମାର୍କେଟରେ ବ୍ୟାପକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି । ବିଏସଇ ସୂଚକାଙ୍କରେ ୧୬ ମାସର ସବୁଠାରୁ ବଡ଼ ଅବନତି ଦେଖିବାକୁ ମିଳିଛି । ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ପ୍ରଭାବରେ  BSE ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯାହା ୧୬ ମାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ । ଆଜି ସେନସେକ୍ସ ୧୬୨୮ ପଏଣ୍ଟ ବା

Advertisement
SOCIAL MEDIA
Stop
Zee Odisha Desk|Updated: Jan 17, 2024, 07:47 PM IST

Stock Market:

ଆଜି ଘରୋଇ ଷ୍ଟକ୍ ମାର୍କେଟରେ ବ୍ୟାପକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି । ବିଏସଇ ସୂଚକାଙ୍କରେ ୧୬ ମାସର ସବୁଠାରୁ ବଡ଼ ଅବନତି ଦେଖିବାକୁ ମିଳିଛି । ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ପ୍ରଭାବରେ  BSE ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯାହା ୧୬ ମାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ । ଆଜି ସେନସେକ୍ସ ୧୬୨୮ ପଏଣ୍ଟ ବା ୨.୨୩ ପ୍ରତିଶତ ହ୍ରାସ ସହିତ ୭୧,୫୦୦.୭୬ ରେ ବନ୍ଦ ହୋଇଛି ।  ୧୬ ମାସ ମଧ୍ୟରେ ସେନସେକ୍ସରେ  ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ  ପତନ ।ଏହାପୂର୍ବରୁ ଜୁନ୍ ୧୩, ୨୦୨୨ ରେ ସେନ୍ସେକ୍ସ ୨.୬୮ ପ୍ରତିଶତ ହ୍ରାସ ପାଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ- ନିଫ୍ଟି ମଧ୍ୟ ୪୬୦ ପଏଣ୍ଟ ବା ୨.୦୯ ପ୍ରତିଶତ ହ୍ରାସ ସହିତ ୨୧,୫୭୧.୯୫ ପଏଣ୍ଟରେ ବନ୍ଦ ହୋଇଛି । ବିଏସଇ ଓ ନିଫ୍ଟିର ଏହି ପତନ ପଛରେ ବିଦେଶୀ ବଜାର ପ୍ରଭାବ ସହିତ ଏଚଡିଏଫସି ସେୟାର ମୂଲ୍ୟରେ ହ୍ରାସକୁ ମଧ୍ଯ ଦାୟୀ କରାଯାଉଛି । ଏଚଏଫଡିସି ବ୍ୟାଙ୍କର ତ୍ରୈୟମାସିକ ଫଳାଫଳ ଗତକାଲି ଆସିଥିଲା । ଫଳାଫଳ ଆଶାନୁରୁପକ ଥିବାରୁ ବଜାର ଏଭଳି ପ୍ରତିକ୍ରିୟା ଦେଖାଇଥିଲା । କାରଣ ବଜାର ଖୋଲିବା ସହିତ ଏଚଏଫଡିସି ସେୟାର ବିକ୍ରି ଜୋର ଧରିଥିଲା ।  HDFC ବ୍ୟାଙ୍କର ସେୟାରରେ ମୁଲ୍ୟରେ ୮.୫ ପ୍ରତିଶତ ହ୍ରାସ ପାଇଛି, ଯାହା ତିନି ବର୍ଷ ମଧ୍ୟରେ ଏହାର ଖରାପ ପ୍ରଦର୍ଶନ ।  ମାର୍ଚ୍ଚ ୨୦୨୨ପରେ ଏହା ହେଉଛି ସବୁଠାରୁ ବଡ ହ୍ରାସ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଏବଂ ଏୟୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ସେୟାର ମୂଲ୍ୟରେ ଦୁଇରୁ ଚାରି ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।ସେନ୍ସେକ୍ସରେ ହ୍ରାସ ହେତୁ ନିବେଶକମାନେ ପ୍ରାୟ ୪.୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୪.୬୯ ଲକ୍ଷ କୋଟି ହ୍ରାସ ପାଇ ୩୭୦.୨୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ପୂର୍ବ ଟ୍ରେଡିଂ ସେସନରେ ୩୭୪.୯୫ ଲକ୍ଷ କୋଟି ଥିଲା।

ଯଦି ସେକ୍ଟରାଲ୍ ଇଣ୍ଡେକ୍ସ ବିଷୟରେ ଆଲୋଚନା କରିବା ତେବେ, ନିଫ୍ଟି ବ୍ୟାଙ୍କ, ଆର୍ଥିକ ସେବା ଏବଂ ଘରୋଇ ବ୍ୟାଙ୍କ ସୂଚକାଙ୍କ ଚାରି ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ନିଫ୍ଟି ମେଟାଲ୍ ଇଣ୍ଡେକ୍ସ ତିନି ପ୍ରତିଶତ ଏବଂ ନିଫ୍ଟି PSU ବ୍ୟାଙ୍କ ୧.୭ ପ୍ରତିଶତ ହ୍ରାସ ପାଇଛି । ତେବେ ନିଫ୍ଟି ଆଇଟି ସୂଚକାଙ୍କ 0.୬୫ ପ୍ରତିଶତ ବୃଦ୍ଧି ପାଇଛି। ସେନ୍ସେକ୍ସରେ ଅନ୍ତର୍ଭୁକ୍ତ ୩୦ ଟି କମ୍ପାନୀ ମଧ୍ୟରୁ ୨୫ଟିର ସେୟାର ମୂଲ୍ୟ ହ୍ରାସ ସହିତ ବନ୍ଦ ହୋଇଥିଲା । ଟାଟା ଷ୍ଟିଲ ଏବଂ କୋଟାକ୍ ମହିନ୍ଦ୍ରା ଚାରି ପ୍ରତିଶତ ହ୍ରାସ ପାଇଛି। କେବଳ ଟେକ୍ ମହିନ୍ଦ୍ରା, HCL ଟେକ୍, ଇନଫୋସିସ୍, ଟିସିଏସ୍, ନେଷ୍ଟଲେ ଇଣ୍ଡିଆ ଏବଂ L&T ସେୟାର ମୂଲ୍ୟ ବୃଦ୍ଧି ସହିତ ବନ୍ଦ ହୋଇଛି । HDFC ବ୍ୟାଙ୍କ ସେୟାର ମୂଲ୍ୟ ୧୫୩୬.୯୦ ରେ ୮.୪୬ ପ୍ରତିଶତ ହ୍ରାସ ସହିତ ବନ୍ଦ ହୋଇଥିଲା । ମାର୍ଚ୍ଚ ୨୩, ୨୦୨୦ ପରଠାରୁ ଏହା ହେଉଛି ଏଚଡିଏଫସି ବ୍ୟାଙ୍କର ସବୁଠାରୁ ଖରାପ ପ୍ରଦର୍ଶନ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବଜାର ବନ୍ଦ ହେବା ପରେ କମ୍ପାନୀ ଏହାର ଡିସେମ୍ବର ତ୍ରୈମାସିକ ଫଳାଫଳ ଘୋଷଣା କରିଥିଲା। ଏହି ଅବଧି ମଧ୍ୟରେ, ପୂର୍ବ ତ୍ରୈମାସିକ ତୁଳନାରେ କମ୍ପାନୀର ନିଟ୍ ଲାଭ ୨.୫ ପ୍ରତିଶତ  ବୃଦ୍ଧି ପାଇଛି କିନ୍ତୁ ଏହା ନିବେଶକଙ୍କ ଆଶା ଅନୁଯାୟୀ ହୋଇନଥିଲା ତେଣୁ ବଜାର ନକରାତ୍ମକ ପ୍ରତିକ୍ରିୟା ଦେଇଥିଲା । ଯାହାର ଫଳ ଥିଲା ସେନସେକ୍ସ ଓ ନିଫ୍ଟିରେ ବ୍ୟାପକ ବିକ୍ରି ।

ହ୍ରାସ କାହିଁକି ହେଲା?

ଆକ୍ସିସ୍ ସିକ୍ୟୁରିଟି ପିଏମଏସର ମୁଖ୍ୟ ବିନିଯୋଗ ଅଧିକାରୀ ନବୀନ କୁଲକର୍ଣ୍ଣିଙ୍କ ଅନୁଯାୟୀ, ବଜାରରେ ବର୍ତ୍ତମାନର ହ୍ରାସ ପାଇଁ ମୁଖ୍ୟତଃ ବ୍ୟାଙ୍କଗୁଡିକ ଦାୟୀ ।  HDFC ବ୍ୟାଙ୍କର ତ୍ରୈୟମାସିକ ଫଳାଫଳ ଦ୍ୱାରା ବଜାର ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି ।  ଆରବିଆଇ ବ୍ୟାଙ୍କିଂ ସେକ୍ଟର ପାଇଁ ପ୍ରଣୟନ କରିଥିବା କିଛି ନୂଆ ନିୟମ ମଧ୍ଯ ଏଥିପାଇଁ ଦାୟୀ । ତେବେ ଆର୍ଥିକ ବିଶ୍ଲେଷକ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକଙ୍କ ପ୍ରଦର୍ଶନକୁ ନେଇ ଆଶାବାଦୀ ଅଛନ୍ତି । ଆଗକୁ ମଧ୍ୟ ସରକାରୀ ବ୍ୟାଙ୍କ ଭଲ ଫଳାଫଳ ଦେବେ ବୋଲି ସେ କହିଛନ୍ତି । ଆଜିର ବଜାରରେ ମଧ୍ଯ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେୟାର ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତା’ର ଉଦାହରଣ ବିଶ୍ଲେଷକ ଦେଉଛନ୍ତି ।ଆଗାମୀ ଦିନରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଲ ଫଳାଫଳ ଦେବ ବୋଲି ସ୍ୱାସ୍ତିକ ଇନଭେଷ୍ଟମେଣ୍ଟର ସନ୍ତୋଷ ମିନା କହିଛନ୍ତି ।

ଏହା ସହିତ ଗତ କିଛି ଦିନର ଜବରଦସ୍ତ ପ୍ରଦର୍ଶନ ପରେ ବଜାର କରେକ୍ସନ ମୋଡରେ ଅଛି ବୋଲି କିଛି କହୁଛନ୍ତି । କିଛି କମ୍ପାନୀଙ୍କ ସେୟାର ମୂଲ୍ୟ ବାସ୍ତବିକ ମୂଲ୍ୟ ତୁଳନାରେ ଅଧିକ ଥିବାରୁ ଏଭଳି କରେକ୍ସନ କିଛି ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ବିଶ୍ଲେଷକ କହିଛନ୍ତି ।

{}{}