Hindi News >>Home >>Odisha State

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଆଜି ନବରାତ୍ରର ଦ୍ୱିତୀୟ ଦିନ। ବିଭିନ୍ନ ଦେବୀ ପୀଠରେ ସ୍ୱତନ୍ତ୍ର ନୀତି ଓ ଦେବୀଙ୍କ ସ୍ୱତନ୍ତ୍ର ବେଶ ପରମ୍ପରା ରହିଛି। ସେହିପରି ଆଜି ମଧ୍ୟ ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ( ଏଫ୍‍ଏଓ)ର ପ୍ରତିଷ୍ଠା ଦିବସ ଭାବେ ଏହାକୁ ପାଳନ କରାଯାଏ।  କ୍ଷୁଧା, ଅପପୁଷ୍ଟି, ଧାରଣ କ୍ଷମତା ଓ ଖାଦ୍ୟ ଉତ୍ପାଦନ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ୧୯୪୫ ମସିହା ଅକ୍ଟୋବର ୧୬ ତାରିଖରେ  ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ପ୍ରତିଷ୍ଠା ହୋଇଥିଲା। ଅକ୍ଟୋବର ୧୬ ତାରିଖ ଭାରତର ଇତିହାସ ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ। ୧୯୦୫ ମସିହାର ଆଜିର ଦିନରେ  ଲର୍ଡକର୍ଜନଙ୍କ ବଙ୍ଗ ଭଙ୍ଗ ଆଇନ ପ୍ରଣୟନ କରାଯାଇ ଏବେ ବାଂଲାଦେଶ ଭାବେ ପରିଚିତ ପୂର୍ବ ବଙ୍ଗକୁ ଅଲଗା କରାଯାଇଥିଲା। ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଥିଲା। 

Advertisement
Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Stop
Zee Odisha Desk|Updated: Oct 16, 2023, 08:35 AM IST

1.ନବୀନଙ୍କ ଜନ୍ମଦିନ, ଉତ୍ସବ ମନା:  ଲଗାତାର ୫ ଥର ଲୋକଙ୍କ ମତକୁ ନିଜର କରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଆଜି ୭୭ ପୂରି ୭୮ ଚାଲିଲା। ୧୯୪୬ ମସିହାର ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲା। ରାଜନୀତି ପ୍ରତି ରୁଚି  ରଖିନଥିବା ନବୀନ ୧୯୯୭ରେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ଆବିର୍ଭାବ ହୋଇଥିଲା। ଏହାପରେ ଓଡ଼ିଶାବାସୀ ତାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବତି ହୋଇ ତାଙ୍କୁ ବାରମ୍ବାର ଭୋଟ ଦେଇ ଚାଲିଲେ। ସେ ଏବେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପରିଚିତ। ଆଜି କିନ୍ତୁ ନବୀନ ତାଙ୍କ ଜନ୍ମଦିନକୁ ପାଳନ କରିବେ ନାହିଁ। ନିକଟରେ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିବାରୁ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ସୂଚନା ଦିଆଯାଇଛି।

2.ଶ୍ରୀମନ୍ଦିର ଛତିଶା ନିଯୁଗ ବୈଠକ: ଆଗକୁ କାର୍ତ୍ତିକ। କୁମାର ପୂର୍ଣ୍ଣମୀ ପରଠାରୁ କାର୍ତ୍ତିକ ବ୍ରତ ତଥା ରାଧାଦାମୋଦର ପୂଜା ଆରମ୍ଭ ହେଉଥିଲେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏହାକୁ ଦଶହରାରୁ ପାଳନ କରନ୍ତି। ଏନେଇ ଦଶହରାରୁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ଅପରପକ୍ଷେ କୁମାରପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ବିଶେଷ ନୀତିକାନ୍ତି ମଧ୍ୟ ପାଳନ କରାଯିବ। ଏସବୁ କିପରି ସୁରୁଖୁରରେ ସମ୍ପନ୍ନ ହେବ, ଗହଳି ନିୟନ୍ତ୍ରଣ, ଭକ୍ତ କିପରି ଆନନ୍ଦରେ ଦର୍ଶନ କରିବେ ତାହାକୁ ଦୃଷ୍ଟିରେ ରଖି ଛତିଶା ନିଯୁଗର ଏକ ସ୍ୱତନ୍ତ୍ର ବୈଠକ ଆଜି ଆହ୍ୱାନ କରାଯାଇଛି।  

3.କଂଗ୍ରେସର ପୁରୀ ଚାଲ: ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଯାଞ୍ଚ, ବେଦାନ୍ତ ଅଧିକୃତ ଜମି ଫେରସ୍ତ ଆଦି ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ‘ପୁରୀ ଚାଲ’ ଡାକରା ଦିଆଯାଇଛି। ଶରଧାବାଲିଠାରେ ଏଥିନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ସକାଳ ୧୦ଟାରେ ଏହି ସଭା ଆରମ୍ଭ ହେବ। ଏହାପରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। 

4.୨୦ରୁ କଞ୍ଚା ପରିବା ସଂଘର ଆନ୍ଦୋଳନ । ଭୁବନେଶ୍ୱର ଏକ ନମ୍ବର ପରିବା ହାଟରେ ବିଭିନ୍ନ ଅବ୍ୟବସ୍ଥା, ଜବରଦଖଲ ରହିଥିବାରୁ ବ୍ୟବସାୟ କରିବା ଅସୁବିଧା ହେଉଛି। ଏହାକୁ ଦୂର କରିବା ଲାଗି ବିଏମ୍‍ସିକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ତାହାକୁ ଧ୍ୟାନ ଦିଆଯାଇ ନ ଥିବାରୁ କଞ୍ଚା ପରିବା  ବ୍ୟବସାୟୀ ସଂଘର କର୍ମଚାରୀମାନେ ୨୦ ତାରିଖରୁ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ଏହା ହେଲେ ରାଜଧାନୀରେ କଞ୍ଚା ପରିବା ମିଳିବା ବି କଷ୍ଟକର ହୋଇପଡ଼ିବ। 

5.୧୯ରୁ ଉପକୂଳରେ ବର୍ଷା: ବୁଧବାର ଦିନ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୯ ତାରିଖ ଦିନ ହାଲୁକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରୁ ମୌସୁମୀ ଅପସାରିତ ହେବା ପରେ ଏବେ ପ୍ରବଳ ଗ୍ରୀଷ୍ମ ହେତୁ ଖରାଦିନର ଅନୁଭୂତି ମିଳୁଛି। 

6.ଚାଷୀ ଆତ୍ମହତ୍ୟା: ଯାଜପୁରରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ପାଖରେ ପଥର ମାଫିଆଙ୍କ କାରନାମା ହେତୁ ତାଙ୍କ ଜମିରେ ଚାଷ ହୋଇପାରୁ ନଥିବା ସେ ପୂର୍ବରୁ ଅଭିଯୋଗ କରିଥିଲେ। ହେଲେ କୌଣସି ପ୍ରତିକାର ହୋଇ ନଥିଲା। ବାରମ୍ବାର ଫସଲ ହାନୀ ହେଉଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ଅଭିଯୋଗ ହୋଇଚି। କଟକ ଏସ୍‍ସିବି ମେଡିକାଲ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ବାଜବାଟି ଗାଁରେ ବୋଲି ଜଣାପଡ଼ିଛି। 

7.ଚନ୍ଦ୍ରଯାନ-୩ ଟେକ୍ନାଲୋଜି କିଣିବାକୁ ଚାହୁଁଛି ନାସା: ଭାରତର ଚନ୍ଦ୍ରଯାନ-୩ ମିଶନ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଜନକ ହୋଇଛି। କମ୍‍ ଖର୍ଚ୍ଚରେ ଏଥିରେ ଯେଉଁ ଅତ୍ୟାଧୁନିକ ଟେକ୍ନାଲୋଜି ବ୍ୟବହାର କରାଯାଇଛି ତାହାକୁ କିଣିବା ଲାଗି ନାସାର ବିଜ୍ଞାନୀ ମାନେ ଆଗ୍ରହ ପ୍ରକାଶ କରିଥିବାରୁ ଇସ୍ରୋ ମୁଖ୍ୟ କହିଛନ୍ତି। ଏହା ଭାରତର ମହାକାଶ ଗବେଷଣାକୁ ତ୍ୱରାନ୍ୱିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। 

8. ବର୍ଷକୁ ୧୦୦ରୁ ୧୪୦ ଯବାନ ସହିଦ: ୨୦୦୧ ପରେ ଦେଶରେ ବର୍ଷକୁ ୧୦୦ରୁ ୧୪୦ ଯବାନଙ୍କ ପ୍ରାଣ ଯାଉଛି। ବିଭିନ୍ନ ମିଶନରେ ସେମାନଙ୍କ ଦେହାନ୍ତ ପରେ ତାଙ୍କୁ ସହିଦ ଘୋଷଣା କରାଯାଇ ୧୯୬୭ର ସେନା ଆଦେଶ ଅନୁସଯାୟୀ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଏଥିରେ କୌଣସି ସୈନିକଙ୍କୁ ପାତର ଅନ୍ତର କରାଯାଏ ନାହିଁ। କିନ୍ତୁ ଆତ୍ମହତ୍ୟା ବା ନିଜ ଦ୍ୱାରା ହେଉଥିବା ଶାରିରୀକ କ୍ଷତି ଯୋଗୁ କୌଣସି ସୈନିକଙ୍କ ମୃତ୍ୟୁ ହେଲେ ତାଙ୍କୁ ରାଷ୍ଟ୍ରୟ ମର୍ଯ୍ୟାଦା ପ୍ରଦାନର ବିଧି ନାହିଁ ବୋଲି ଜଣାଇଛି ଭାରତୀୟ ସେନା। ନିକଟରେ ଅମ୍ରିତପାଲ୍‍ ସିଂହଙ୍କ ମୃତ୍ୟୁ ଏପରି ହୋଇଥିବା ଦର୍ଶାଇଛି ସ୍ଥଳସେନା। 

9.ବିଶ୍ୱକପ୍‍ ବିପର୍ଯ୍ୟୟ: ବିଶ୍ୱକପ୍‍ କ୍ରିକେଟର ୧୩ତମ ମ୍ୟାଚରେ ଆଫଗାନିସ୍ତାନକୁ ଐତିହାସିକ ବିଜୟ ମିଳିଛି। ୧୯୭୫ରେ ପ୍ରଥମ ବିଶ୍ୱକପ୍‍ କ୍ରିକେଟର ଅନ୍ୟତମ ପ୍ରତିଷ୍ଠାତା ଦଳ ଇଂଲଣ୍ଡକୁ ଆଫଗାନିସ୍ତାନ ୬୯ ରନ୍‍ରେ ପରାସ୍ତ କରିଛି। ଏହାକୁ ଏକ ଐତିହାସିକ ବିପର୍ଯ୍ୟୟ ବୋଲି କେହି କେହି କହୁଥିବାବେଳେ ଅନେକ ଆଫଗାନିସ୍ତାନକୁ ପ୍ରଶଂସା କରିଛନ୍ତି। ସୀମିତ ସମ୍ବଳ, ରାଜନୀତିକ ଅସ୍ଥିରତା ଭିତରେ ଆଫଗାନିସ୍ତାନ ଦଳର ଏହି ବିଜୟ ବିଶ୍ୱ କ୍ରିକେଟ୍‍ ଦୁନିଆରେ ଏକ ନୂଆ କିର୍ତ୍ତିମାନ ବୋଲି ଆଲୋଚନା ହେଉଛି।

10. ଅଷ୍ଟ୍ରଲିଆ ବନାମ ଶ୍ରୀଲଙ୍କା: ଆଜି ବିଶ୍ୱକପ୍‍ କ୍ରିକେଟର ୧୪ତମ ମ୍ୟାଚ୍‍ ଖେଳାଯିବ। ଏହି ଅଷ୍ଟ୍ରଲିଆ ବନାମ ଶ୍ରୀଲଙ୍କା ମ୍ୟାଚ୍‍ ଲକ୍ଷ୍ନୌଠାରେ ଖେଳାଯିବାକୁ ସ୍ଥିର ହୋଇଛି। ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍। କୌଣସି ଦଳ ଏଯାଏ କୌଣସି ମ୍ୟାଚ ଜିତି ନାହାନ୍ତି। ଉଭୟ ୨ଟି ଲେଖାଏଁ ମ୍ୟାଚ ଖେଳି ପରାସ୍ତ ଦେଖିଛନ୍ତି। ଏଣୁ ପଏଣ୍ଟ ତାଲିକାରେ ଆଗକୁ ବଢ଼ିବା ଲାଗି ଏହି ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ  ଦେଖିବାକୁ ମିଳିବ।

{}{}