Hindi News >>Home >>Odisha State

Puri News: ଜଗା ପ୍ରେମରେ କିର୍ଗିଜସ୍ତାନ ଯୁବକ, ଭିସା ନଥିବାରୁ ବୃନ୍ଦାବନରୁ ଚାଲିଚାଲି ଆସିଲେ ଶ୍ରୀକ୍ଷେତ୍ର

Puri News: କିର୍ଗିଜସ୍ତାନରୁ ଶ୍ରୀକ୍ଷେତ୍ର। ଏକ ରୋମାଞ୍ଚକର ଲମ୍ବା ଯାତ୍ରା। ଭିସା ହଜିଗଲା ପରେ ବୃନ୍ଦାବନରୁ ଚାଲିଚାଲି ଆସିଲେ ବିଦେଶୀ ଇଞ୍ଜିନିୟର। କାର୍ ସଫା କରି ପେଟ ପୋଷିଲେ । ତେବେ ନିଜ ଦେଶକୁ ଫେରିବା ପାଇଁ ଚାହାଁନ୍ତି। ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଉଲୁକ୍ ବେକ୍। ସେପଟେ ସମୁଦ୍ରକୂଳ ଥାନା ପୋଲିସ ସର୍ବୋଦୟ ନଗର ସେଲଟର ହୋମରେ ଏହି ବିଦେଶୀ ନାଗରିକଙ୍କୁ ଛାଡ଼ିଦେବା ସୂଚନା ମିଳିଛି।

Advertisement
Puri News: ଜଗା ପ୍ରେମରେ କିର୍ଗିଜସ୍ତାନ ଯୁବକ, ଭିସା ନଥିବାରୁ ବୃନ୍ଦାବନରୁ ଚାଲିଚାଲି ଆସିଲେ ଶ୍ରୀକ୍ଷେତ୍ର
Stop
Zee Odisha Desk|Updated: Aug 08, 2023, 03:34 PM IST

Puri News: ୬ ବର୍ଷ ତଳେ ଷ୍ଟୁଡେଣ୍ଟ ଭିସାରେ କିର୍ଗିଜସ୍ତାନରୁ ଭାରତ ଆସିଥିଲେ ୩୮ ବର୍ଷୀୟ ଉଲୁକ୍ ବେକ୍ । ମାତ୍ର ଦୁଇ ବର୍ଷ ତଳେ ତାଙ୍କ ଭିସା ହଜିଯାଇଥିଲା। ଫଳରେ ଘରକୁ ଫେରିବା ପାଇଁ ଭିସା ନଥିବା ବେଳେ ପକେଟ୍ ଟଙ୍କା ମଧ୍ଯ ନ ଥିଲା ।  ତାପରେ ଉଲୁକ୍ ବେକ୍ ବୃନ୍ଦାବନକୁ ଚାଲିଯାଇଥିଲେ । ସେଠାରେ କିଛି ଦିନ ରହିବା ପରେ ପାଦରେ ଚାଲିଚାଲି ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ଚାଲି ଚାଲି ପୁରୀରେ ପହଁଞ୍ଚିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିଲା । ଏହି ଯାତ୍ରା ଯେତିକି ଅବିଶ୍ବସନୀୟ ସେତିକି ରୋମାଞ୍ଚକର ମଧ୍ଯ । ନିଜ ଦେଶ, ଘର, ପରିବାର ଓ ଉଚ୍ଚ ବେତନ ଚାକିରୀ ଛାଡ଼ି ବର୍ତ୍ତମାନ ସେ ସନାତନ ଧର୍ମ ଗ୍ରହଣ କରିଛନ୍ତି। ଶ୍ରୀକ୍ଷେତ୍ରରେ ପାଦ ଦେବା ପରେ ସନାତନ ଧର୍ମ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ବିଶ୍ବାସ ଆହୁରି ବଢ଼ିଯାଇଥିବା ସେ କହିଛନ୍ତି । ଭାରତରେ ଅନେକ ବର୍ଷ ଘରି ରହିଥିବାରୁ ତାଙ୍କୁ ସାମାନ୍ୟ ହିନ୍ଦୀ ଜଣାଥିବା ମଧ୍ଯ ସେ କହିଛନ୍ତି।

ସୂଚନା ଅନୁଯାୟୀ, କିଛି ମାସ ତଳେ ବୃନ୍ଦାବନରେ ଥିବା ସମୟରେ ତାଙ୍କ ଭିସା ସହ ଅନ୍ୟ ବହୁ ଜରୁରୀ ଡକୁମେଣ୍ଟ ଓ ଆସବାବପତ୍ର ହଜିଯାଇଥିଲା । ଘର କଥା ମନେ ପଡୁଥିଲେ ମଧ୍ଯ ସେ ଭିସା ନଥିବା କାରଣରୁ ଫେରି ପାରିନଥିଲେ। ସେପଟେ ଭିସା ଫେରିପାଇବା ସହ ଟିକେଟ୍ ଖର୍ଚ୍ଚ ବାବଦକୁ ତାଙ୍କୁ ୫୦ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ପଡ଼ଥିଲା । ଏଣୁ ସେ ପୁରୀ ଆସି ଜଗନ୍ନାଥଙ୍କୁ ନିଜ ଦୁଃଖ ଜଣାଇବାକୁ ସ୍ଥିର କରିଥିଲେ। ଏମିତି କି, ବୃନ୍ଦାବନରୁ ପୁରୀ ଆସିବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ଗତ ମେ’ ମାସରୁ ବୃନ୍ଦାବନରୁ ଚାଲି ଚାଲି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଗତ ସପ୍ତାହରେ ସେ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ ଏକ କାର୍ ସର୍ଭିସିଂ ସେଣ୍ଟରରେ ରହି ଦୁଇ ଦିନ ପାଇଁ କାମ ମଧ୍ୟ କରିଥିଲେ। ପରେ ସେ ଅନ୍ୟ ଚାକିରୀ ଖୋଜିବା ସମୟରେ ତାଙ୍କୁ ସଂସ୍ଥା ପକ୍ଷରୁ ଭିସା ମଗାଯାଇଥିଲା। ଏଣୁ ସେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁରୀସ୍ଥିତ ଡିରେକ୍ଟର ଅଫ ଇଣ୍ଟେଲିଜେନ୍ସ ବୁୟରୋ(ଡିଆଇବି) କାର୍ଯ୍ୟାଳୟ ନିକଟରେ ଭିସା ଲାଗି ଅନୁରୋଧ କରିଥିଲେ। ପୁରୀ ଡିଆଇବି ଓ ସମୁଦ୍ରକୂଳ ଥାନା ପୋଲିସ (Puri Police) ପ୍ରୟାସ କ୍ରମେ ତାଙ୍କ ଭିସା ଅନୁରୋଧ ଗୃହୀତ ହୋଇଛି। ହାଇଦ୍ରାବାଦ ସ୍ଥିତ ପାସପୋର୍ଟ କାର୍ଯ୍ୟାଳୟ ସହିତ ପୁରୀ ଡିଆଇବି ଯୋଗାଯୋଗ କରିଛି। ତାଙ୍କୁ କିର୍ଗିଜସ୍ତାନ (Kyrgyzstan) ପଠାଇବାକୁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଖୁବଶୀଘ୍ର ତାଙ୍କୁ ହାଇଦ୍ରାବାଦ ପଠାଯିବ ଓ ସେଠାରୁ ସେ କିର୍ଗିଜସ୍ତାନ ଯିବେ ବୋଲି ସମୁଦ୍ରକୂଳ ଥାନା ଆଇଆଇସି ମାନସ ରଞ୍ଜନ ଚକ୍ର ସୂଚନା ଦେଇଛନ୍ତି।

ଏହା ବି ପଢନ୍ତୁ-Odisha Train Tragedy: ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କୁ ୮ ଲକ୍ଷ ଟଙ୍କା ପ୍ରଦାନ କଲେ ଆମେରିକାର ତନିସ୍କା ଧରିୱାଲ

ପ୍ରକାଶ ଥାଉ କି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପାଠ ସାରିବା ପରେ ଉଲୁକ୍ ବେକ୍ ୧୦ ବର୍ଷ ଧରି ଚାକିରି କରିଥିଲେ। ହେଲେ ଚାକିରି ଜୀବନ ତାଙ୍କୁ ପସନ୍ଦ ଆସିନଥିଲା। ବାପା ଇସ୍କନ ମନ୍ଦିରକୁ (Iskcon temple) ଭଲ ପାଉଥିବାରୁ ଘରେ ସେ ସଂପର୍କିତ ଏକ ପୁସ୍ତକ ରଖିଥିଲେ। ଏହି ପୁସ୍ତକ ପଢ଼ିବା ପରେ ବେକ୍ ସନାତନ ଧର୍ମ ପ୍ରତି ଆକୃଷ୍ଠ ହୋଇଥିଲେ। ଘର ତ୍ୟାଗ କରି ସେ ଷ୍ଟୁଡେଣ୍ଟ ଭିସାରେ ୨୦୧୭ ମସିହାରେ ଭାରତ ଚାଲିଆସିଥିଲେ । ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ପାର୍ଥ ସାରଥୀ ଆଶ୍ରମରେ ରହି ସେ ଇସ୍କନକୁ ଆପଣାଇ ନେଇଥିଲେ । ସେଠାରେ ସେ ୪ ବର୍ଷ ରହିବା ପରେ ବୃନ୍ଦାବନ ଚାଲିଯାଇଥିଲେ । ଖାଲି ବୃନ୍ଦାବନ (Vrindavan ) କାହିଁକି ଦେଶର ଅନେକ ତୀର୍ଥସ୍ଥଳୀକୁ ବୁଲିଥିବା ସେ କହିଛନ୍ତି । ଭାରତରେ ଏତେ ବର୍ଷ ରହିବା ପରେ ବାପା ମାଆଙ୍କ କଥା ମନେପଡୁଥିବା ମଧ୍ଯ ସେ ପ୍ରକାଶ କରିଛନ୍ତି । ସେପଟେ ଗତ ୨ ତାରିଖରୁ ତାଙ୍କୁ ପୁରୀ ସର୍ବୋଦୟ ନଗର ସ୍ଥିତ ଅର୍ବାନ ସେଲ୍ଟର ହୋମରେ ରଖାଯାଇଛି। ନିଜ ଦେଶକୁ ଫେରିବା ଖବର ପାଇ ବେକ୍ ବେଶ ଖୁସୀ ଅଛନ୍ତି। ଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି ବୋଲି ସେ କହିଛନ୍ତି । ନିଜ ଦେଶକୁ ଯାଇ ସେଠାରେ ସେ ଜଗନ୍ନାଥଙ୍କ ପ୍ରଚାର କରିବେ ବୋଲି ମତ ଦେଇଛନ୍ତି। ଘରେ ତାଙ୍କର ୨ ଭଉଣୀ ଜଣେ ଭାଇ ମଧ୍ୟ ଅଛନ୍ତି। ୬ ବର୍ଷ ଧରି ଘର ସହ ସଂପର୍କ ନଥିବାରୁ ବାପା ମା କେମିତି ଅଛନ୍ତି ସେ ଏକଥା ସେ ଜାଣିନଥିବା କହିଛନ୍ତି। ଯେଉଁ ଆଶା ନେଇ ସେ ଭାରତ ଆସିଥିଲେ ତା’ଠୁ ଢେର ଅଧିକ ପାଇଥିବା କହିଛନ୍ତି । ଏଣୁ ଭାରତକୁ ସେ କେବେ ଭୁଲିପାରିବେନି ଓ ସମୟେ ସମୟେ ଭାରତକୁ ବୁଲିବା ପାଇଁ ଆସିବେ ବୋଲି ବେକ୍ କହିଛନ୍ତି।

Read More
{}{}