Hindi News >>Home >>Odisha State

Puri Jagannath Temple: ହାଇକୋର୍ଟଙ୍କ ନିର୍ଦ୍ଦେଶ, ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି କରାଯାଉ ସ୍ୱତନ୍ତ୍ର ବ୍ଯବସ୍ଥା

Puri Jagannath Temple: ହାଇକୋର୍ଟରେ ଦ୍ୱିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଏନେଇ କୋର୍ଟ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଦିବ୍ଯାଙ୍ଗ ଭକ୍ତମାନେ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ଯକାରୀ କରିବା ନେଇ ଦାବି କରିଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 09, 2023, 12:09 PM IST

Puri Jagannath Temple: ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରିବା ଲାଗି ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ଯ ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ଦିବ୍ଯାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଯାଏଁ  ଏହି ବ୍ଯବସ୍ଥା କାର୍ଯ୍ୟକାରୀ ହୋଇନଥିବାରୁ ହାଇକୋର୍ଟରେ ଦ୍ୱିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଏନେଇ କୋର୍ଟ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଦିବ୍ଯାଙ୍ଗ ଭକ୍ତମାନେ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ଯକାରୀ କରିବା ନେଇ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଦିବ୍ଯାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିରରେ କୌଣସି ସ୍ୱତନ୍ତ୍ର ବ୍ଯବସ୍ଥା ନଥିବାରୁ ଦ୍ଵିତୀୟ ଥର ପାଇଁ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଶୁକ୍ରବାର ବିଚାରପତି ଜଷ୍ଟିସ୍ ବିଶ୍ଵନାଥ ରଥ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ପ୍ରତିପକ୍ଷମାନେ ସେମାନଙ୍କ ଜବାବ ରଖିବେ ।  ପ୍ରକାଶ ଥାଉ କି, ଜିତେନ୍ଦ୍ର କୁମାର ବିଶ୍ଵାଳ ନାମକ ଜଣେ ଦିବ୍ୟାଙ୍ଗଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ଵରରେ ବାସିନ୍ଦା ଜିତେନ୍ଦ୍ର ଅଦାଲତଙ୍କୁ ଅବଗତ କରିଥିଲେ ଯେ ସେ ଜଣେ ଶତ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ସେ ଅନେକ ଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି । କିନ୍ତୁ ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ତାଙ୍କୁ ଦର୍ଶନ କରିବାରେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଦେଶର ଅନେକ ମନ୍ଦିରରେ ଦିବ୍ୟାଙ୍ଗଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। କିନ୍ତୁ ଏଯାବତ୍ ପୁରୀ ଶ୍ରୀମନ୍ଦିରରେ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଅଦାଲତ ଏହାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଯାବତ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆବେଦନକାରୀ ପ୍ରଥମେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଅଦାଲତଙ୍କ ଆଦେଶର ମାସକ ମଧ୍ଯରେ ପଦକ୍ଷେପ ନେବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ଆବେଦନକାରୀ ଦ୍ବିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ସେପଟେ ଶ୍ରୀମନ୍ଦିରରେ ଦିବ୍ଯାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ସ୍ୱତନ୍ତ୍ର ବ୍ଯବସ୍ଥା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ତଥା ସେଣ୍ଟର ଫର ଆକ୍ସନର ମୁଖ୍ୟ । ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ଭକ୍ତ ମାନଙ୍କ ପାଇଁ ସେଣ୍ଟର ଫର୍ ଆକସନ ପକ୍ଷରୁ ହୁଇଲ ଚେୟାର ବ୍ଯବସ୍ଥା କରାଯାଇଛି। ମାତ୍ର ତାହା କେବଳ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରହିଥିବା ବେଳେ ମନ୍ଦିର ଭିତରକୁ ଏହାକୁ ବାରଣ କରାଯାଇଛି। ଦିବ୍ଯାଙ୍ଗ ମାନଙ୍କ ପାଇଁ ଭିଡ଼ରେ ଦର୍ଶନ କରିବା ସମ୍ଭବ ହେଉନଥିବାରୁ ସେମାନଙ୍କ ପାଇଁ ପିଠିଆ ସେବକ ନିଯୁକ୍ତି କରାଯାଉ ବୋଲି ସେଣ୍ଟର ଫର ଆକ୍ସନର ମୁଖ୍ୟ ଦାବି କରିଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା, କିଛି ବର୍ଷ ତଳେ ଦିବ୍ଯାଙ୍ଗ ଭକ୍ତଙ୍କ ଲାଗି ପ୍ରଶାସନ ଉତ୍ତର ଦ୍ୱାର ନିକଟରୁ ସ୍ୱତନ୍ତ୍ର ରାମ୍ପ ନେଇ ବ୍ୟବସ୍ଥା କରିଥିଲା। ଏମିତି କି, ହୁଇଲ ଚେୟାରର ବ୍ୟବସ୍ଥା ମଧ୍ଯ କରାଯାଇଥିଲା । ହେଲେ ଏହା ପରମ୍ପରା ବିରୋଧୀ କହି ସେବାୟତ ଏହାକୁ ବିରୋଧ କରିଥିଲେ ଯାହା ଫଳରେ ଏହି ବ୍ଯବସ୍ଥାକୁ ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ହାଇକୋର୍ଟଙ୍କ ନୋଟିସର ପରେ ଶ୍ରୀମନ୍ଦିର ପ୍ରଶାସନ କି ଉତ୍ତର ରଖିବ ତାହା ଦେଖିବାକୁ ବାକି ରହିଲା ।

Read More
{}{}