Hindi News >>Home >>Odisha State

Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିପାରେ ବିଜେପି

Odisha Assembly: ଆଦିବାସୀଙ୍କ ଜମି କିଣାବିକା ସମ୍ପର୍କିତ କ୍ୟାବିନେଟ୍‍ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦାବିରେ ବିଜେପି(Bjp) ଅଟଳ ରହିଛି। ବିଧାନସଭାରେ (Odisha Assembly) ଏ ପ୍ରସଙ୍ଗକୁ ବାଚସ୍ପତି ଧ୍ୟାନ ଦେଉ ନଥିବା ଅଭିଯୋଗ କରି ଦଳର ବିଧାୟକମାନେ ହଟ୍ଟଗୋଳ କରିବାରୁ ବିଧାନସଭା ଆଜି ତୃତୀୟ ଦିନରେ ବି ଅଚଳ ହୋଇଛି। 

Advertisement
Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିପାରେ ବିଜେପି
Stop
Zee Odisha Desk|Updated: Nov 23, 2023, 11:31 AM IST

Odisha Assembly: ଭୁବନେଶ୍ୱର: ଆଦିବାସୀଙ୍କ ଜମି କିଣାବିକା ସମ୍ପର୍କିତ କ୍ୟାବିନେଟ୍‍ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦାବିରେ ବିଜେପି(Bjp) ଅଟଳ ରହିଛି। ବିଧାନସଭାରେ (Odisha Assembly) ଏ ପ୍ରସଙ୍ଗକୁ ବାଚସ୍ପତି ଧ୍ୟାନ ଦେଉ ନଥିବା ଅଭିଯୋଗ କରି ଦଳର ବିଧାୟକମାନେ ହଟ୍ଟଗୋଳ କରିବାରୁ ବିଧାନସଭା ଆଜି ତୃତୀୟ ଦିନରେ ବି ଅଚଳ ହୋଇଛି। ବାଚସ୍ପତି ପ୍ରଶ୍ନୋତ୍ତର କାଳ ସମେତ ଶୂନ୍ୟକାଳ ଓ ଅନ୍ୟ କାର୍ଯ୍ୟକୁ ବାତିଲ କରି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି। ଅପରପକ୍ଷେ ବିଜେପି ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। 

ଗୃହ ଆରମ୍ଭରୁ ବିଜେପି ବିଧାୟକମାନେ ଆସନରୁ ଠିଆ ହୋଇ କ୍ୟାବିନେଟ୍‍ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ଏହାକୁ ଧ୍ୟାନ ନ ଦେଇ ଗୃହରେ ସ୍ୱାଭାବିକ ଭାବେ ପ୍ରଶ୍ନାତ୍ତର କାଳ ଆରମ୍ଭ କରିଥିଲେ। ପ୍ରଥମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନର ଉତ୍ତର ରଖିବାକୁ ଆଦେଶ ଦେଇଥିଲେ। ଏହାର ଉତ୍ତର ମନ୍ତ୍ରୀ ରଖୁଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ହେତୁ କିଛି ଶୁଣା ଯାଇ ନଥିଲା। ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଉ ପ୍ରଶ୍ନେତ୍ତର କାର୍ଯ୍ୟ ଚାଲିବା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ।  

ବିଜେପି ବିଧାୟକମାନେ ଗୃହ ମୁଲତବୀ ହେବା ପରେ ଯେଉଁ ବ୍ୟାନରକୁ ଗୃହ ମଧ୍ୟରେ ପ୍ରଦର୍ଶନ କରୁଥିଲେ ତାହାକୁ ନେଇ ଗୃହ ବାହାରକୁ ଆସିଥିଲେ। ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇ କହିଥିଲେ ଯେ, ସରକାରଙ୍କ କ୍ୟାବିନେଟ୍‍ ଆଦିବାସୀଙ୍କ ଜମି କିଣାବିକା ସମ୍ପର୍କିତ ନିୟମର ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ମନ୍ତ୍ରୀ ଏହି ନିଷ୍ପତ୍ତି ସ୍ଥଗିତ ରହିଛି ବୋଲି କହିଥିଲେ ମଧ୍ୟ କ୍ୟାବିନେଟ୍‍ ବା ମୁଖ୍ୟମନ୍ତ୍ରୀ ଏ ବାବଦରେ କିଛି ସୂଚନା ଦେଇ ନାହାନ୍ତି। ଆମେ ଚାହୁଁଛୁ ଏ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଏହା ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ। ଏ ବିଷୟରେ ଆଲୋଚନା ହେଉ। କ୍ୟାବିନେଟ୍‍ ଖୋଦ୍‍ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି ନିଷ୍ପତ୍ତି ନେଉ। କିନ୍ତୁ ସରକାର ସେଥିରେ ରାଜି ହେଉ ନାହାନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି। 

ଗତକାଲି ମଧ୍ୟ ସମାନ ପରିସ୍ଥିତି ଗୃହରେ ଉପୁଜିଥିଲା। ବାଚସ୍ପତି ମାମଲାର ସମାଧାନ ପାଇଁ  ସର୍ବଦଳୀୟ ବୈଠକ ଡକାଇଥିଲେ। ହେଲେ ସେଥିରେ କିଛି ସୁଫଳ ମିଳି ନ ଥିବାରୁ ଗୃହ କାର୍ଯ୍ୟ ସାରା ଦିନ ମୁଲତବୀ ରହିଥିଲା।  ଏହି ବୈଠକରେ ବିଜେପି ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ଆଇନ ସମ୍ମତ ଏବଂ ବିଧାନସଭା ନିୟମ ଅନୁସାରେ ଉପସ୍ଥାପନ କରାଯାଇ ପାରିବ ବୋଲି ବିଜେପି କହିଥିଲେ ମଧ୍ୟ ବାଚସ୍ପତି ଏଥିରେ ରାଜି ହୋଇ ନଥିବା ଶ୍ରୀ ମାଝି କହିଛନ୍ତି। ଓଡ଼ିଶାର ଆଦିବାସୀଙ୍କ ପ୍ରତି ସରକାର ଷଡ଼ଯନ୍ତ୍ର କରୁଛନ୍ତି ଏବଂ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି।  

 ଗତ କ୍ୟାବିନେଟ୍‍ ନିଷ୍ପତ୍ତିକ୍ରମେ ୧୯୫୬ ରାଜସ୍ୱ ଆଇନରେ ସଂସ୍କାର ଅଣାଯାଇ ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‍ ସହମତି ପ୍ରକାଶ କରିଥିଲା। ଏହାଦ୍ୱାରା ଆଦିବାସୀମାନେ ସେମାନଙ୍କ ବ୍ୟବସାୟ, ପାଠପଢ଼ା ତଥା ଶିଳ୍ପ ପ୍ରତିଷ୍ଠା ଲାଗି ନିଜ ଜମି ବିକ୍ରି କରିବାକୁ ସରକାର ଅନୁମତି ଦେବା ବ୍ୟବସ୍ଥା ରହିଥିଲା। କିନ୍ତୁ ଏହି ନିଷ୍ପତ୍ତି ଆଦିବାସୀ ମାରଣ ନୀତି ବୋଲି ଅଭିଯୋଗ କରିଥିଲା ବିଜେପି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଦିବାସୀ ସମ୍ପ୍ରଦାୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବାରୁ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ନିଷ୍ପତ୍ତି ସ୍ଥଗିତ ରହିଥିବା କହିଥିଲେ। କିନ୍ତୁ ଏହା ଉଚିତ୍ ନିଷ୍ପତ୍ତି ନୁହେଁ ବରଂ କ୍ୟାବିନେଟ ମୋହରକୁ କ୍ୟାବିନେଟ୍‍ ଦ୍ୱାରା ହିଁ ପ୍ରତ୍ୟାହାର କରାଯିବାକୁ ସେମାନେ ଦାବି କରିଥିଲେ।  

ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଆଦିବାସୀମାନେ ସେମାନଙ୍କ ଜମିକୁ ଅଣ ଆଦିବାସୀଙ୍କ ବିକ୍ରି, ଲିଜ୍‍ ଦେବା ବ୍ୟବସ୍ଥା ରହିଛି। ଏଥିନେଇ ସେମାନେ ଜିଲ୍ଲା ମାଜିଷ୍ଟ୍ରଟ୍‍ଙ୍କ ଅନୁମୋଦନ ନେବାକୁ କୁହାଯାଇଥିଲା। କିନ୍ତୁ ଏହା ଦ୍ୱାରା, ଆଦିବାସୀମାନେ ଭୂମି ହୀନ ହୋଇଯିବେ ବୋଲି ବିରୋଧୀ ଦଳ ଆଶଙ୍କା ପ୍ରକାଶ କରିଛି ବିଜେପି।  ଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ନିକଟକୁ ଯିବ ଏବଂ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମୋହନ ଚରଣ ମାଝି  ସୂଚନା ଦେଇଛନ୍ତି।  

 

 

 

 

 

Read More
{}{}