Hindi News >>Home >>Odisha State

ଉତ୍କଳ ହସ୍‍ପିଟାଲରେ ଯକୃତ ରୋପଣ ପାଇଁ ଏଆଇଜି ସହ ଏମ୍‍ଓୟୁ

Utkal Hospital: ଓଡ଼ିଶାର ଜନସାଧାରଣଙ୍କୁ ଯକୃତ ଜନିତ ରୋଗର ନିରୂପଣ, ଚିକିତ୍ସା ତଥା ରୋପଣ ଲାଗି ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। 

Advertisement
ଉତ୍କଳ ହସ୍‍ପିଟାଲରେ ଯକୃତ ରୋପଣ ପାଇଁ ଏଆଇଜି ସହ ଏମ୍‍ଓୟୁ
Stop
Soubhagya Ranjan Mishra|Updated: Sep 08, 2023, 05:06 PM IST

Utkal Hospital: ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଯକୃତ (liver) ରୋପଣ  ସେବା ଆରମ୍ଭ ହେବାକୁ ଯାଉଛି । ଖାଲି ପ୍ରତିରୋପଣ ଲାଗି ସର୍ଜରୀ ନୁହେଁ, ଯକୃତ ରୋଗ ନିରୁପଣ, ଚିକିତ୍ସା, ସର୍ଜରୀ ଏବଂ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ସୁବିଧା ଯୋଗାଇବା ଲାଗି ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍‍ପିଟାଲ୍‍ ପ୍ରସ୍ତୁତ ହୋଇଛି । ଏଥିଲାଗି ଆବଶ୍ୟକ ଦକ୍ଷତା, ଟେକ୍ନାଲୋଜି, ଅଭିଜ୍ଞତା ପ୍ରଦାନ କରିବା ଲାଗି ହାଇଦ୍ରାବାଦର ଏଆଇଜି ହସ୍‍ପିଟାଲ୍‍ ସହ ଉତ୍କଳ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ଗୁରୁବାରଦିନ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଅଳ୍ପଦିନ ଭିତରେ ଉତ୍କଳ ହସ୍‍ପିଟାଲ୍‍ ରାଜ୍ୟରେ ନିଜର ଉନ୍ନତ ଅପରେସନ୍‍ ଥିଏଟର (operations theater), ବିଶ୍ୱସ୍ତରୀୟ ଭିତ୍ତିଭୂମି, ସର୍ବଶେଷ ଟେକ୍ନାଲାଜି ଏବଂ ଦକ୍ଷ ଡକ୍ତରଙ୍କ ଦ୍ୱାରା ସଫଳ ଅସ୍ତ୍ରୋପଚାର ଲାଗି ପରିଚିତ ହେବା ସହ ବହୁମୁଖୀ ସ୍ୱାସ୍ଥ୍ୟସେବା ଯେଗାଣ କ୍ଷେତ୍ରରେ ରାଜ୍ୟର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଚିତ ହୋଇଛି।

ଯକୃତ ରୋପଣ ଏକ ଅତ୍ୟନ୍ତ ଜଟିଳ ଏବଂ ସ୍ୱତନ୍ତ୍ର ଡାକ୍ତରୀ ପ୍ରକ୍ରିୟା, ଯେଉଁଥିରେ ଭିତ୍ତିଭୂମି ସହ ଉଚ୍ଚ ଦକ୍ଷତା ଓ ଅଭିଜ୍ଞତାସମ୍ପନ୍ନ ଡାକ୍ତରୀ ତଥା ଟେକ୍ନିକାଲ୍‍ ଟିମ୍‍ (Technical team) ଆବଶ୍ୟକ ପଡ଼ିଥାଆନ୍ତି। ଖାଲି ସେତିକି ନୁହେଁ, ଉନ୍ନତ ଟେକ୍ନାଲୋଜି,  ନିରବଚ୍ଛିନ୍ନ ଭାବେ ରୋଗୀଙ୍କ ପରୀକ୍ଷଣ, ରୋଗ ନିରୂପଣ ଓ  ରୋପଣ ଅପରେସନ୍‍ ପରବର୍ତ୍ତୀ ଯତ୍ନନେବା ବି ଆବଶ୍ୟକ ହୋଇଥାଏ। ଏହାକୁ ଆାଖି ରଖି ଉତ୍କଳ ହସ୍‍ପିଟାଲ୍‍ ଏବଂ ଏଆଇଜି ହସ୍‍ପିଟାଲ୍‍ ନିଜର  ଭିତ୍ତିଭୂମି, ଦକ୍ଷତା ଏବଂ ଅଭିଜ୍ଞତାକୁ ଏକାଠି କରିଛନ୍ତି। ଫଳରେ ଓଡ଼ିଶାର ଜନସାଧାରଣଙ୍କୁ ଯକୃତ ଜନିତ ରୋଗର ନିରୂପଣ, ଚିକିତ୍ସା ତଥା ରୋପଣ ଲାଗି ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଏହା ତାଙ୍କୁ ଉଭୟ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ସହାୟକ ହେବ।

ଉଭୟ ହସ୍‍ପିଟାଲ୍‍ ମଧ୍ୟରେ ଏଥିନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଉତ୍କଳ ହସ୍‍ପିଟାଲ୍‍ ପକ୍ଷରୁ ଅଧ୍ୟକ୍ଷ ଡା. ଆଦିତ୍ୟ ସାମଲ ଏବଂ ଏଆଇଜି ହସ୍‍ପିଟାଲ୍‍ର କାର୍ଯ୍ୟନିର୍ବାହୀ ଉପସଭାପତି ସନ୍ତୋଷ କୁମାର ସାହୁ ଏହି ଏମ୍‍ଓୟୁରେ ସ୍ୱାକ୍ଷର କରିଥିଲେ। ଏହାଙ୍କ ସହ ଉତ୍କଳ ହସ୍‍ପିଟାଲ୍‍ର  ସିଇଓ ଆଶୀଷ ଚନ୍ଦ୍ରା, ପରିଚାଳନା ନିର୍ଦ୍ଦେଶକ ଡା. ପ୍ରଜ୍ଞାରଞ୍ଜନ ଘଡ଼େଇ ମୁଖ୍ୟ ଷ୍ଟ୍ରାଟେଜି ଅଧିକାରୀ ଡା. ଆଲୋକ ଲୋଧ, ସର୍ଜନ ଡା. ସୂର୍ଯ୍ୟପ୍ରକାଶ ରାୟ ଚୌଧୁରୀ, ଏଆଇଜି ହସ୍‍ପିଟାଲ୍‍ ପକ୍ଷରୁ ଯକୃତ ରୋପଣ ବିଭାଗ ମୁଖ୍ୟ ଡା. ପି. ବାଲାଚନ୍ଦ୍ରନ୍‍ ମେନନ୍‍ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍‍ପିଟାଲ୍‍ ଅଙ୍ଗ ପ୍ରତିରୋପଣ, ବିଶେଷକରି ଯକୃତ ପ୍ରତିରୋପଣ କ୍ଷେତ୍ରରେ ପାରଦର୍ଶିତା ଓ ସୁନାମ ଅର୍ଜନ କରିଛି। ଏଣୁ ଏହାଙ୍କ ଜ୍ଞାନ, ଗବେଷଣା ଓ ଅଭିଜ୍ଞତା ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବାରେ ଉତ୍କଳ ହସ୍‍ପିଟାଲ୍‍କୁ ସହାୟକ ହେବ ବୋଲି  ଉତ୍କଳ ହସ୍‍ପିଟାଲ୍‍ର ଅଧ୍ୟକ୍ଷ ଡା. ଆଦିତ୍ୟ ସାମଲ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି, ‘‘ଏହି ସହଭାଗିତା ଉଭୟ ସଂସ୍ଥା ଲାଗି ଚିକିତ୍ସା କ୍ଷେତ୍ରରେ ଉଲ୍ଲଖନୀୟ ମାଇଲଷ୍ଟୋନ୍‍ ହାସଲ କରିବାକୁ ପ୍ରେରିତ କରିବ। ଏହା ଓଡ଼ିଶାର ଜନସାଧାରଣଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ଯୋଗାଇବାରେ ଆମ ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିବ’’।

ଏହି ଅବସରରେ ଏଆଇଜି ହସ୍‍ପିଟାଲ୍‍ ଯକୃତ ପ୍ରତିରୋପଣ ବିଭାଗ ମୁଖ୍ୟ ଡା. ବାଲାଚନ୍ଦ୍ରନ ମେନନ୍‍ କହିଛନ୍ତି, ‘ଉତ୍କଳ ହସ୍‍ପିଟାଲ୍‍ ସହ ଆମର ସହଭାଗୀତା ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ପ୍ରସାରିତ କରିବା ଦିଗରେ ଆମର ପ୍ରତିଶୃତିବଦ୍ଧତାକୁ ଦର୍ଶାଉଛି। ଆମେ ଉଭୟ ଓଡ଼ିଶାରେ ରୋଗୀଙ୍କୁ ସେମାନଙ୍କ ଯକୃତ ପ୍ରତିରୋପଣ ଚିକିତ୍ସା କ୍ଷେତ୍ରରେ ଆାମେ ଦୁହେଁ ସର୍ବାତ୍କୃଷ୍ଟ ବ୍ୟବସ୍ଥା ଉପଲବ୍ଧ କରାଇବୁ’। କାର୍ଯ୍ୟ ନିର୍ବାହୀ ଉପସଭାପତି ଶ୍ରୀ ସାହୁ କହିଛନ୍ତି,‘ଯକୃତ ରୋପଣ କ୍ଷେତ୍ରରେ ଏଆଇଜି ଟିମ୍‍ ବିଶ୍ୱସ୍ତରରେ ଅନେକ କାର୍ଯ୍ୟକ୍ରମ ସହ ଜଡ଼ିତ। ଉତ୍କଳ ହସ୍‍ପିଟାଲ୍‍ର ସହଭାଗୀତା ଏ କ୍ଷେତ୍ରରେ ଓଡ଼ିଶାର ଯକୃତ ରୋଗୀଙ୍କୁ ବିଶେଷ ସହାୟକ ହୋଇପାରିବ। ସେମାନଙ୍କୁ ଆଉ ବାହାର ରାଜ୍ୟକୁ ଚିକିତ୍ସା ବା ଯକୃତ ରୋପଣ ପାଇଁ ଯିବାକୁ ପଡ଼ିବ ନାହିଁ’। ଡା. ଆଶୀଷ କହିଛନ୍ତି, ‘ଆମେ ପରିବର୍ତ୍ତନର ଯାତ୍ରା ଆଡ଼କୁ ମୁହାଁଇବା ଲାଗି ଏଆଇଜି ହସ୍‍ପିଟାଲ୍‍ ସହ ଏହି ସହଭାଗୀତାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଏହି ସହଭାଗୀତା ଭୁବନେଶ୍ୱର ତଥା ସାରା ରାଜ୍ୟରେ ଚିକିତ୍ସା କ୍ଷେତ୍ରକୁ ନୂଆ ସଂଜ୍ଞା ଦେବ। ଡା. ସତ୍ୟପ୍ରକାଶ କହିଛନ୍ତି, ଡା. ବାଲାଚନ୍ଦ୍ରନ ଏବଂ ତାଙ୍କ ଟିମ୍‍ର ଅଭିଜ୍ଞତା, ଉତ୍କଳ ହସ୍‍ପିଟାଲ୍‍ର ଯକୃତ ରୋପଣକାରୀ ଡାକ୍ତରୀଦଳର ଦକ୍ଷତା ବୃଦ୍ଧି କରିବା ସହ ଓଡ଼ିଶାରେ ଏକ ଉତ୍କର୍ଷ ଯକୃତ ରୋପଣ କେନ୍ଦ୍ର ନିର୍ମାଣ କରିପାରିବ’।

Also Read- ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

Also Read- G-20 Summit: ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲାନି ରାତ୍ରୀ ଭୋଜନ ନିମନ୍ତ୍ରଣ

Read More
{}{}