Hindi News >>Home >>Odisha State

MGNREGA Data: ଏମଜିଏନଆରଜିଏ ପ୍ରତି ଆଗ୍ରହ ଦେଖାଉନାହାନ୍ତି ଶ୍ରମିକ, ଓଡ଼ିଶାରେ ମାତ୍ର ୫୫ ଦିନ କାମ କରୁଛନ୍ତି ଶ୍ରମିକ

ଆଇନ ଅଧିନରେ ବର୍ଷକୁ ଜଣେ ହିତାଧିକାରୀ ଚାହିଁଲେ ୧୦୦ ଦିନର କାର୍ଯ୍ୟ କରିପାରିବେ। ଯଦି ହିତାଧିକାରୀ ଚାହୁଥିବା ଦିନ ସଂଖ୍ୟା ପାଇଁ ସରକାର କାର୍ଯ୍ୟ ନ ଯୋଗାଇ ପାରନ୍ତି, ତେବେ ସମ୍ପୃକ୍ତି ଦିନର ମଜୁରୀ ପ୍ରଦାନ ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ହେଲେ ସରକାର ଯୋଗାଉଥିବା କାମ ପ୍ରତି ଲୋକଙ୍କର ଆଗ୍ରହ ଆସୁନଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି। ଅପରପକ୍ଷେ ବିରୋଧୀ ଦଳ ପକ୍ଷରୁ ସରକାର ଏମଜିଏନଆରଜିଏ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି। 

Advertisement
MGNREGA Data: ଏମଜିଏନଆରଜିଏ ପ୍ରତି ଆଗ୍ରହ ଦେଖାଉନାହାନ୍ତି ଶ୍ରମିକ, ଓଡ଼ିଶାରେ ମାତ୍ର ୫୫ ଦିନ କାମ କରୁଛନ୍ତି ଶ୍ରମିକ
Stop
Prabhudatta Moharana|Updated: Jul 30, 2024, 01:16 PM IST

MGNREGA Data: ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଦେଇଥିବା ଆହ୍ୱାନକୁ ଲୋକେ ଗ୍ରହଣ କରୁନାହାନ୍ତି। ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାକୁ ନିରିଖେଇକି ଦେଖିଲେ ଏହା ସ୍ପଷ୍ଟ ହେଉଛି। ଓଡ଼ିଶାରେ ଗତ ୫ ବର୍ଷ ମଧ୍ୟରେ ମନରେଗା ପ୍ରତି ଲୋକଙ୍କ ଆଗ୍ରହକୁ ଦେଖିଲେ ଆଗ୍ରହ ସେତେ ମାତ୍ରା ବୃଦ୍ଧି ପାଇନାହିଁ। ଆଇନ ଅନୁସାରେ ସର୍ବାଧିକ ୧୦୦ ଦିନର କାମ ପାଇଁ ଲୋକେ ଆବେଦନ କରିପାରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକେ ସେଥିପ୍ରତି ଆଗ୍ରହ ନ ଦେଖାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏଠାରେ ହାରାହାରି କର୍ମଦିବସ ୪୭.୯ ଦିନ ରହିଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୫୫.୫ ଦିନ, ୨୦୨୧-୨୨ରେ ୫୬.୯ ଦିନ, ୨୦୨୨-୨୩ରେ ୫୫.୫ ଦିନ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଜଣେ ଶ୍ରମିକ ହାରାହାରି ୫୫.୯ ଦିନ କାମ କରିଛନ୍ତି ବୋଲି କୃଷି ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି। 

ଲୋକସଭାରେ ଉପସ୍ଥାପନ କରାଯାଇଥିବା ଗତ ୫ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ ଦେଶର ଜଣେ ଯୋଗ୍ୟ ହିତାଧିକାରୀ ହାରାହାରି ୫୨ ଦିନ କାମ କରୁଛନ୍ତି। କିନ୍ତୁ ଆଇନ ଅନୁସାରେ ୧୦୦ ଦିନର କାମ ପାଇଁ ଗ୍ୟାରେଣ୍ଟି ଦିଆଯାଇଛି। କୃଷି ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଗୃହରେ ରଖିଥିବା ତଥ୍ୟରୁ ଏହା ସ୍ପଷ୍ଟ ହେଉଛି। 

ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର ଏ ଭିତରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଜିଏକୁ ପ୍ରାଧାନ୍ୟ ଦେଇ ଏଥିରେ ଅର୍ଥ ଆବଣ୍ଟନ ମଧ୍ୟ ବୃଦ୍ଧି କରିଛନ୍ତି। ୟୁପିଏ ସରକାର ସମୟରେ ବର୍ଷକୁ ୨ ଲକ୍ଷ ୧୩ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଉଥିବା ବେଳେ ମୋଦୀ ସରକାର ସମୟରେ ଏହାକୁ ୨୫୦ ଗୁଣା ଅଧିକ କରାଯାଇଛି। ଏବେ ସମୁଦାୟ ଆବଣ୍ଟନ ୭ ଲକ୍ଷ ୩୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଗତ ୫ ବର୍ଷ ଭିତରେ ଦୈନିକ ମଜୁରୀ ପରିମାଣ ମଧ୍ୟ ୪୩ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥାତ ବାର୍ଷିକ ୭ ପ୍ରତିଶତ ମଜୁରିରରେ ବୃଦ୍ଧି କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷି ଶ୍ରମିକଙ୍କ ପାଇଁ ଖାଉଟି ଦର ସୁଚକାଙ୍କ ଅନୁସାରେ କେନ୍ଦ୍ର ସରକାର ଏହି ମଜୁରୀ ବୃଦ୍ଧି ସ୍ଥିର କରିଥାଆନ୍ତି। 

୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଅଧିନରେ ଏକ ହିତାଧିକାରୀ ପରିବାରକୁ ହାରାହାରି ୪୮.୪ ଦିନ ନିଯୁକ୍ତି ପ୍ରଦାନ କରାଯାଉଥିଲା। ଏବେ ଏହି ପରିମାଣ ୫୨.୦୯ ଦିନରେ ପହଞ୍ଚିଛି। ସବୁଠାରୁ ପଶ୍ଚିମବଙ୍ଗ ଏବଂ ଗୋଆରେ ଏହି ହାର ସବୁଠାରୁ ନ୍ୟୁନତମ ରହିଛି। ପଶ୍ଚିମବଙ୍ଗରେ ବାର୍ଷିକ ୨୧.୬୯ ଦିନ କାମ ଜଣେ ଶ୍ରମିକ ମନରେଗା ଯୋଜନାରେ କରୁଥିବା ବେଳେ ଗୋଆରେ କର୍ମନିଯୁକ୍ତି ଦିନ ସଂଖ୍ୟା ହେଉଛି ୨୦.୬୮। ସବୁଠାରୁ ଅଧିକ ମିଜୋରାମରେ ହାରାହାରି ୯୩ ଦିନ ବର୍ଷକୁ ଜଣେ ଯୋଗ୍ୟ ହିତାଧିକାରୀ ମନରେଗା ଯୋଜନା ଅଧିନରେ କାର୍ଯ୍ୟ କରୁଥିବା ମନ୍ତ୍ରୀ ଦର୍ଶାଇଛନ୍ତି। 

୨୦୦୫ ମସିହାରେ ଗ୍ରାମାଞ୍ଚଳରେ ମଜୁରୀ ଭିତ୍ତିକ ଅଣକୁଶଳ କାର୍ଯ୍ୟ ଯୋଗାଇବା ପାଇଁ ଜାତୀୟ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନ ଅଧିନରେ ବର୍ଷକୁ ଜଣେ ହିତାଧିକାରୀ ଚାହିଁଲେ ୧୦୦ ଦିନର କାର୍ଯ୍ୟ କରିପାରିବେ। ଯଦି ହିତାଧିକାରୀ ଚାହୁଥିବା ଦିନ ସଂଖ୍ୟା ପାଇଁ ସରକାର କାର୍ଯ୍ୟ ନ ଯୋଗାଇ ପାରନ୍ତି, ତେବେ ସମ୍ପୃକ୍ତି ଦିନର ମଜୁରୀ ପ୍ରଦାନ ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ହେଲେ ସରକାର ଯୋଗାଉଥିବା କାମ ପ୍ରତି ଲୋକଙ୍କର ଆଗ୍ରହ ଆସୁନଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି। ଅପରପକ୍ଷେ ବିରୋଧୀ ଦଳ ପକ୍ଷରୁ ସରକାର ଏମଜିଏନଆରଜିଏ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି। 

Read More
{}{}