Hindi News >>Home >>Odisha State

History of Deba Snana Purnima : ଜାଣନ୍ତୁ ଦେବସ୍ନାନ ପୂର୍ଣ୍ଣିମାର ରହସ୍ୟ

 History of Deba Snana Purnima : ରଥଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ।ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ...ସମ୍ପୂର୍ଣ ପଢନ୍ତୁ।

Advertisement
Deba Snana Purnima
Stop
Zee Odisha Desk|Updated: Jun 22, 2024, 02:30 PM IST

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରାର ଆଦ୍ୟପର୍ବ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଏ ଉପଲକ୍ଷେ  ଦଇତାପତି ସେବକଙ୍କ ଦ୍ବାରା ମହାପ୍ରଭୁଙ୍କ ସେନାପଟି ଲାଗି ସହ ଅନ୍ୟାନ୍ୟ ଶ୍ରୀଅଙ୍ଗରେ ସେନ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ମନ୍ଦିର ସ୍ନାନମଣ୍ଡପ ୧୪ ପ୍ରକାର ଚାନ୍ଦୁଆ ସହ ଆଲୋକମାଳାରେ ସଜେଇ ହୋଇଛି। ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ ।

ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାଆଡ଼ମ୍ବରରେ ପାଳନ କରାଯାଇଥାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ପବିତ୍ର ସ୍ନାନ ମଣ୍ଡପରେ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପାରମ୍ପରିକ ରୀତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ । ବର୍ଷରେ ଥରେ ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଜଳସ୍ନାନ କରନ୍ତି । ଅନ୍ୟ ସମୟରେ ତାଙ୍କୁ କେବଳ ମନ୍ତ୍ରସ୍ନାନ କରାଯାଇଥାଏ । ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉତ୍ସବ ପାଳନ କରାଯାଏ । ମହାପ୍ରଭୁ ଯେତେବେଳେ ଆବିର୍ଭାବ ହୋଇଥିଲେ ଏହି ସ୍ନାନପୂର୍ଣ୍ଣିମାର ଆରମ୍ଭ ହୋଇଥିଲା । ତେଣୁ ମହାପ୍ରଭୁଙ୍କ ଏହି ସ୍ନାନପୂର୍ଣ୍ଣିମାକୁ ଆଦ୍ୟଲୀଳା ମଧ୍ୟ କୁହାଯାଇଥାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣା କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେହି ସମୟରେ ସ୍ନାନମଣ୍ଡପ ନଥିବାରୁ ଏକ କାଠରେ ନିର୍ମିତ ହୋଇଥିବା ମଞ୍ଚରେ ଶ୍ରୀଜିଉଙ୍କୁ ବିଜେ କରାଇ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ନାମରେ ବର୍ଣ୍ଣିତ ଅଛି ।

 ଶାସ୍ତ୍ରାନୁସାରେ ୧୦୮ଟି ସୁନା କଳସରେ ଜଳ ଭରି ଦାରୁବ୍ରହ୍ମଙ୍କ ସ୍ନାନକାର୍ଯ୍ୟ ସମାପନ କରାଯାଇଥାଏ । ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କର ଆଦ୍ୟ ସ୍ନାନଲୀଳା କରାଯାଇଥାଏ । ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏହି ସ୍ନାନଲୀଳା ଦର୍ଶନ କରୁଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଇଥାଏ 

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତିମାନେ ପହଣ୍ଡି ବିଜେ କରାଉଥିବାବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି । ସମସ୍ତ ନୀତିକାନ୍ତି ସରିବା ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୋଇଯାଏ । ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପରେ ଅବସ୍ଥାନ କରନ୍ତି । ଗରାବଡ଼ୁ ସୁନା କଳସ ଧରି ଶୀତଳା ଦେବୀଙ୍କ ସମ୍ମୁଖରେ ଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଏହି ସ୍ୱର୍ଣ୍ଣକୁପର ୧୦୮କଳସୀ ଜଳ ସଂଗ୍ରହ କରି ରଖାଯାଇଥାଏ । କୂପର ଜଳ ବର୍ଷ ବର୍ଷଧରି ବ୍ୟବହାର ହେଉନଥିବାରୁ ଏହି ଜଳକୁ ଅଭିମନ୍ତ୍ରିତ କରି ମହାପ୍ରଭୁଙ୍କ ସ୍ନାନନୀତିରେ ଲଗାଯାଇଥାଏ ।

 ଅଭିମନ୍ତ୍ରିତ ହୋଇଥିବା ୧୦୮ କଳସୀ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରୁଚନା,ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରଣ କରାଯାଏ । ଏହି ମୌହଷଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ଶ୍ରୀଜିଓମାନଙ୍କୁ ସ୍ନାନ କରାଯାଇଥାଏ ।

{}{}