Hindi News >>Home >>Odisha State

Puri Home Stay: ପୁରୀରେ ଖୋଲିଲା ପ୍ରଥମ ଓୟୋ ହୋମ୍ ଷ୍ଟେ; ଦକ୍ଷ ମାନବ ସମ୍ବଳ ଯୋଗାଇବ ଓଏସଡିଏ

Puri Home Stay Open: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହଯୋଗରେ ଓୟୋ ରୁମ୍ସ ପକ୍ଷରୁ ରାଜ୍ୟରେ ପ୍ରଥମ "ହୋମ୍ ଷ୍ଟେ" ହୋଟେଲ ସେବା ଐତିହ୍ୟ ସହର ପୁରୀରେ ଆରମ୍ଭ ହୋଇଛି। 

Advertisement
 Puri Home Stay: ପୁରୀରେ ଖୋଲିଲା ପ୍ରଥମ ଓୟୋ ହୋମ୍ ଷ୍ଟେ; ଦକ୍ଷ ମାନବ ସମ୍ବଳ ଯୋଗାଇବ ଓଏସଡିଏ
Stop
Zee Odisha Desk|Updated: Mar 13, 2024, 01:58 AM IST

Puri Home Stay Inauguration: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହଯୋଗିତାରେ ଓୟୋ ରୁମ୍ସ ପକ୍ଷରୁ ରାଜ୍ୟରେ ପ୍ରଥମ "ହୋମ୍ ଷ୍ଟେ" ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଏବଂ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି। ପୁରୀ ସହରର ସାରଦା ଦେବୀ ରୋଡ ଠାରେ ଓୟୋ ସୁଶୀଳା ନିବାସରେ "ହୋମ୍ ଷ୍ଟେ" ସେବା ଖୋଲିଛି। 

ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରେ ସୁବିଧାରେ ରହିପାରିବେ। ଆଗାମୀ ଦିନରେ ଓୟୋ ପକ୍ଷରୁ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ୫୦ ହୋମ୍ ଷ୍ଟେ (Oyo Home Stay) ସେବା ଖୋଲିବାକୁ ଯାଉଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଏବଂ ନିଯୁକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ () ଓଏସଡିଏ (OSDA) ଏବଂ ଓୟୋ (Oyo) ଭିତରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବିଭିନ୍ନ "ହୋମ୍ ଷ୍ଟେ" ପାଇଁ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ପୁରୀ ହେଉଛି ଶ୍ରୀ ଜଗନ୍ନାଥଙ୍କ ଧାମ। ଏଠାରେ ପ୍ରତିଦିନ ବହୁ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଓଏସଡିଏ ସହଯୋଗ କ୍ରମେ ଓୟୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ହୋମ୍ ଷ୍ଟେ ସେବା ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧାଜନକ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ତାଲିମପ୍ରାପ୍ତ ଯୁବକ ଯୁବତୀ ଏହି "ହୋମ୍ ଷ୍ଟେ" ଠାରେ ନିଯୁକ୍ତି ପାଇପାରିବେ। ଏହା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଜୀବିକା ସାଧନର ମାଧ୍ୟମ ହେବ। 

ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷା ଅଳକା ମିଶ୍ର କହିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ଶୁଭାରମ୍ଭ ହୋଇଥିବା ଓୟୋ ହୋମ୍ ଷ୍ଟେ ସେବା ବେଶ୍ ସଫଳ ହେବ ବୋଲି ମୁଁ ଆଶା କରୁଛି। ଏହା ସମସ୍ତଙ୍କ ପାଇଁ ଲାଭଜନକ ହେବା ସହ ରାଜ୍ୟରେ ତାଲିମପ୍ରାପ୍ତ ଯୁବପିଢିଙ୍କ ଲାଗି ନିଯୁକ୍ତିର ବିଶେଷ ସମ୍ଭାବନା ହୋଇପାରିବ। ପ୍ରଥମ ହୋମ୍ ଷ୍ଟେ ଲାଗି ଆଗେଇ ଆସିଥିବା ସୁଶିଳା ନିବାସ ମାଲିକ ଏବଂ ତାଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି। 

ପର୍ଯ୍ୟଟକ ଗୋଟିଏ ନୂତନ ସ୍ଥାନକୁ ଗଲେ ସାଧାରଣତଃ ହୋଟେଲ ରୁମ୍ ନେଇ ରହିଥାନ୍ତି। ହେଲେ ହୋମ୍ ଷ୍ଟେ ହେଉଛି ଏକ ଆଧୁନିକ ହୋଟେଲ ସେବା, ଯେଉଁଠି ଜଣେ ଗ୍ରାହକ କିଛିଦିନ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଘରକୁ ଭଡ଼ାରେ ନେଇ ରହିପାରିବେ। ସେଠାରେ ନିଜ ଘର ଭଳି ଆସବାବ, ରୋଷେଇ ଉପକରଣ ଏବଂ ସମସ୍ତ ପ୍ରକାର ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ରହିଥାଏ। ଆଜିର ଦିନରେ ଅନେକ ପର୍ଯ୍ୟଟକ ପରିବାରଙ୍କ ସହ ହୋଟେଲ ଠାରେ ନରହି ଏଭଳି ହୋମ୍ ଷ୍ଟେ ସେବାକୁ ପସନ୍ଦ କରୁଛନ୍ତି। ଆଗାମୀ ଦିନରେସ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଓୟୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦ ହୋମ୍ ଷ୍ଟେ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କମ୍ପାନି ଷ୍ଟ୍ରାଟେଜିକ୍ ଆଲିଆନ୍ସ ମୁଖ୍ୟ ନିତିନ ଠାକୁର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଓୟୋ ବରିଷ୍ଠ ଅଧିକାରୀ ଏବଂ ସୁଶିଳା ନିବାସ ମାଲିକ ଏବଂ ପରିବାରବର୍ଗ ଉପସ୍ଥିତ ରହିଥିଲେ।

 

 

Read More
{}{}