Hindi News >>Home >>Odisha State

Odisha News: ୨୦୨୪ ନିର୍ବାଚନ: ଓଡ଼ିଶାରେ ନେତା ନୁହେଁ, ଲଢ଼ିବେ ଅଧିକାରୀ !

 ସେହି ଧାରାକୁ ନିରନ୍ତର କରିବା ଲାଗି ଏବେ ଅନେକ ଅଧିକାରୀ ଓ ପୂର୍ବତନ ଅଧିକାରୀଙ୍କୁ ଦଳ ଯୋଗାଯୋଗ କରୁଛି । ନିକଟରେ ସମ୍ବିତ ତ୍ରିପାଠୀ ଦଳରେ ଯୋଗ ଦେଇ ଏ କଳ୍ପନାକୁ ବାସ୍ତବରେ ରୂପାନ୍ତରିତ କରିଛନ୍ତି । ପୂର୍ବରୁ ଆଇପିଏସ୍‍ ପ୍ରକାଶ ମିଶ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା ।

Advertisement
Odisha News: ୨୦୨୪ ନିର୍ବାଚନ: ଓଡ଼ିଶାରେ ନେତା ନୁହେଁ, ଲଢ଼ିବେ ଅଧିକାରୀ !
Stop
Zee Odisha Desk|Updated: Nov 18, 2023, 07:40 PM IST

Odisha News: ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ନିରନ୍ତର ଓ ସ୍ଥିର ଶାସନ ଓଡ଼ିଶା ଜନତାଙ୍କ ମନରୁ ନେତାଙ୍କୁ ଉଭାନ କରିଚାଲିଛି । ଜଣେ ପରେ ଜଣେ ବିଚକ୍ଷଣ ନେତା ଦୁର୍ନୀତି, ଅପରାଧ, ନିର୍ଯାତନା ଭଳି ଅପରାଧରେ ଲିପ୍ତ ରହିବା ପରେ ରାଜନୀତିକ ଦଳଗୁଡ଼ିକ ସରକାରୀ ଚାକିରି କରିଥିବା ଅଧିକାରୀଙ୍କୁ ନେତା ପଦବୀରେ ମଣ୍ଡିତ କରିବାକୁ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଏଥିଲାଗି ପ୍ରତି ଦଳ ଏବେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଅଧିକାରୀଙ୍କ ଦ୍ୱାରା ହିଁ ନିୟନ୍ତ୍ରଣ ହେଉଛି । 

ଶାସକ ବିଜୁ ଜନତା ଦଳ ସମେତ ମୁଖ୍ୟ ବିରୋଧୀ ବିଜେପି ଓ ଅନ୍ୟତମ ବିରୋଧି ଦଳ କଂଗ୍ରେସ ଏହି ଧାରାରେ ସାମିଲ । ତେବେ ଏ ପ୍ରସଙ୍ଗରେ ଶାସକ ବିଜୁ ଜନତା ଦଳ କଥା ପ୍ରଥମେ ଆଲୋଚନାକୁ ନିଆଯାଉ । ଏବେ ଯଦି କୌଣସି ଦଳରୁ ସର୍ବାଧିକ ଅଧିକାରୀ ଟିକଟ ଆଶା କରିଛନ୍ତି ତେବେ ତାହା ହେଉଛି ବିଜୁ ଜନତା ଦଳ ବା ବିଜେଡି । ଏହି ଦଳର ମୁଖ୍ୟ ଯଦିଓ ନବୀନ ପଟ୍ଟନାୟକ କିନ୍ତୁ ସାଧାରଣ ସମ୍ପାଦକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ନେତା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ପ୍ରଶଂସାରେ ଶତମୁଖ । ଶ୍ରୀ ପାଣ୍ଡିଆନ୍‍ ଦଶହରା ପୂର୍ବଦିନ ସମ୍ମାନଜନକ ଆଇଏଏସ୍‍ ଚାକିରି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଜଣେ କ୍ୟାବିନେଟ୍‍ ପାହ୍ୟା ମନ୍ତ୍ରୀଭାବେ ସେ କାର୍ଯ୍ୟ କରୁଛନ୍ତି । ଆଗକୁ ସେ ବିଜୁ ଜନତା ଦଳରେ ନୀତିଗତଭାବେ ସାମିଲ ହେବେ ବୋଲି ଗଣମାଧ୍ୟମଠାରୁ ନେତାଙ୍କ ଯାଏ ଚର୍ଚ୍ଚା କରୁଛନ୍ତି । ଯଦିଓ ଶ୍ରୀ ପାଣ୍ଡିଆନ୍‍ ଏନେଇ କେବେ ମୁହଁ ଖୋଲିନାହାନ୍ତି କିନ୍ତୁ ଯେଉଁଭଳିଭାବେ ତାଙ୍କର ଗଣମାଧ୍ୟମ ସହ ସମ୍ପର୍କ ରକ୍ଷା କରାଯାଉଛି ତାହା ସ୍ପଷ୍ଟ କରୁଛି ଯେ କେଉଁ ମୁହୂର୍ତ୍ତରେ ବି ଏହି ତାମିଲନାଡ଼ୁ ମୂଳବାସିନ୍ଦା ତଥା ଆଇଏଏସ୍‍ ଅଧିକାରୀ ବିଧିବଦ୍ଧଭାବେ ବିଜେଡିର ମଙ୍ଗ ଧରିବେ । ଏବେ ଯଦିଓ ଦଳର ମୂଳଠୁ ଚୂଳ ଯାଏ ସଭିଏଁ ଜାଣନ୍ତି ଯେ, ସେ ହେଉଛନ୍ତି ସର୍ବେସର୍ବା କିନ୍ତୁ ଏହାର ବିଧିବଦ୍ଧ ଘୋଷଣା ବାକି ରହିଛି। 

ଏହି ଦଳରୁ ଟିକଟ ଖଣ୍ଡେ ପାଇବା ଲାଗି ଅନେକ ପ୍ରଶାସନିକ ଅଧିକାରୀ ଧାଡ଼ିରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ପୂର୍ବତନ ଆଇଆରଟିଏସ ମନୋଜ ମିଶ୍ର, ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଆଇଏଏସ୍‍ ଅଧିକାରୀ ସତ୍ୟବ୍ରତ ସାହୁ, ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସେଠୀ, ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ତଥା ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ନଗରଉନ୍ନୟନ ବିଭାଗ ଯୁଗ୍ମ ସଚିବ ସାରଦା ପ୍ରସନ୍ନ ପଣ୍ଡା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତି, ଅବସରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ଦାସ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ରାଇସେନ ମୁର୍ମୁ ପ୍ରମୁଖଙ୍କ ଭଳି ଅନେକ ପ୍ରଶାସନିକ ଅଧିକାରୀ ଆଗାମୀ ନିର୍ବାଚନ ଲଢ଼ିବ ପାଇଁ ବିଜେଡି ଟିକଟ ଲବିରେ ରହିଥିବା କୁହାଯାଉଛି । 

ବିଜେଡି ଭଳି କଂଗ୍ରେସର ନୀତି, ଠାଣି, ଓ ରଣନୀତିକୁ ଓଡ଼ିଶା ସ୍ୱାଦ ଦେବା ଲାଗି ଉଦ୍ୟମ କରୁଛନ୍ତି ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । ବିଜୟ ବିଧାନସଭା ଲଢ଼ିବେ ବା ନାହିଁ ତାହା ଯେତିକି ଚର୍ଚ୍ଚିତ ନୁହେଁ, ସେ ଯେ କଂଗ୍ରସକୁ ନିୟକନ୍ତ୍ରଣ କରୁଥିବା ଜଣେ ପୂର୍ବତନ ଆଇଏଏସ୍‍ ଅଧିକାରୀ ତାହା ଏଠାରେ ଚର୍ଚ୍ଚା କରାଯାଇପାରେ । ଏହାଙ୍କ ସହ ନିକଟରେ ପୂର୍ବତନ ଆଇଏଏସ୍‍ ପଞ୍ଚାନନ ଦାଶ, ବିଶ୍ୱନାଥ ଆଚାର୍ଯ୍ୟ, ପୂର୍ବତନ ଓଏଏସ୍‍ ରବୀନ୍ଦ୍ର ମିଶ୍ର, ଉଦ୍ଧବ କର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏମାନଙ୍କୁ କଂଗ୍ରେସ ଟିକଟ ଦେଇପାରେ । କାରଣ କଂଗ୍ରେସ ଏତେ ଦୁର୍ବଳ ହୋଇଛି ଯେ, ୧୪୭ଟିଯାକ ଆସନରେ ପ୍ରାର୍ଥୀ ଖୋଜିବା ଏ ଦଳ ପାଇଁ ସଙ୍କଟ ସୃଷ୍ଟି କରିଛି । 

ଏହି ସଙ୍କଟ ବିଜେପିରେ ମଧ୍ୟ ରହିଛି । ପଶ୍ଚିମ ପ୍ରାନ୍ତର କିଛି ଅଞ୍ଚଳକୁ ଛାଡ଼ିଦେଲେ ବିଜେପି ଉପକୂଳ ଓଡ଼ିଶାରେ ଆଜି ବି ଚିତ୍‍ପଟାଙ୍ଗ ହୋଇ ରହିଛି । ଦଳର ନିର୍ଦ୍ଦିଷ୍ଟ ନୀତି ଅଭାବ, କେତେବେଳ ମେଣ୍ଟ ତ କେତେବେଳେ ନ ହେବାର ଆଶଙ୍କା ଦଳକୁ ତୃଣମୂଳରେ ଦୁର୍ବଳ କରୁଛି । ଅପରପକ୍ଷେ ଦଳର ମୂଳପିଣ୍ଡ ବୋଲି କୁହାଯାଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ କାର୍ଯ୍ୟକୁ ଦୀର୍ଘଦିନ ଧରି ବାହାରେ ରଖିବା ଓ ତାଙ୍କୁ ଅସନ୍ତୁଷ୍ଟ କରିବା ମଧ୍ୟ ଦଳ ପାଇଁ ମହଙ୍ଗା ହୋଇପାରେ । ଲୋକଙ୍କ ବିଶ୍ୱାସକୁ ଜିତିବା ଲାଗି ଏ ଦଳ ବି ଅଧିକାରୀଙ୍କ ଉପରେ ଲାଉ ହେବାକୁ ଯାଉଛି । ଗତ ନିର୍ବାଚନରେ ଏହି ଦଳରୁ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ଲୋକସଭା ଆସନ ଜିତି ଦଳର ଆସ୍ଥା ବଢ଼ାଇଥିଲେ । ସେହି ଧାରାକୁ ନିରନ୍ତର କରିବା ଲାଗି ଏବେ ଅନେକ ଅଧିକାରୀ ଓ ପୂର୍ବତନ ଅଧିକାରୀଙ୍କୁ ଦଳ ଯୋଗାଯୋଗ କରୁଛି । ନିକଟରେ ସମ୍ବିତ ତ୍ରିପାଠୀ ଦଳରେ ଯୋଗ ଦେଇ ଏ କଳ୍ପନାକୁ ବାସ୍ତବରେ ରୂପାନ୍ତରିତ କରିଛନ୍ତି । ପୂର୍ବରୁ ଆଇପିଏସ୍‍ ପ୍ରକାଶ ମିଶ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା ।

Read More
{}{}