Hindi News >>Home >>Odisha Sports

IND vs ZIM: ୭୧ ରନରେ ଜିତିଲା ଭାରତ, ବିଦା ହେଲା ଜିମ୍ବାଓ୍ୱେ

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ଧିମା ସ୍କୋରିଂ ଆରମ୍ଭ କରିଥିଲା।

Advertisement
IND vs ZIM: ୭୧ ରନରେ ଜିତିଲା ଭାରତ, ବିଦା ହେଲା ଜିମ୍ବାଓ୍ୱେ
Stop
Zee Odisha Desk|Updated: Nov 06, 2022, 05:02 PM IST

IND vs ZIM ନୂଆଦିଲ୍ଲୀ: ଚଳିତ ବିଶ୍ୱକର ସୁପର ୧୨ର ଅନ୍ତିମ ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ୱେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିଲେ ମଧ୍ୟ ପରାଜୟର ମୁଁହ ଦେଖିଛି।  ଏହା ସହିତ ଜିମ୍ବାଓ୍ୱେ ତାର ବିଶ୍ୱକପ ଯାତ୍ରା ଶେଷ କରିଛି। ସେପଟେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏବଂ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ। 

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ଧିମା ସ୍କୋରିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ଷ୍ଟ୍ରାଇକ ନେଇଥିଲେ କେଏଲ ରାହୁଲ। କିନ୍ତୁ ପ୍ରଥମ ଓଭରରେ ସମ୍ପୂର୍ଣ୍ଣ ପ୍ରକାର ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ପ୍ରଥମ ଓଭରଟି ରନ ଶୂନ୍ୟ ରହିଥିଲା। ଚତୁର୍ଥ ଓଭରରେ ଦଳକୁ ପ୍ରଥମ ଝଟକା ମିଳିଥିଲା। ରୋହିତ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ। ଧିମା ଗତିରେ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ ବିରାଟ କୋହଲି ଓ ରାହୁଲ। ଦଶମ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୭୯ ରନ ହୋଇଥିଲା। ବ୍ୟକ୍ତିଗତ ୫୧ ରନ କରି ରାହୁଲ ଆଉଟ ହୋଇଥିଲେ। ରାହୁଲଙ୍କ ପୂର୍ବରୁ ବିରାଟ କୋହଲି ୨୬ ରନ କରି ପାଭିଲିୟନ ଫେରି ସାରିଥିଲେ। ପରେ ଋଷଭ ପନ୍ତ ମଧ୍ୟ ମାତ୍ର ୩ ରନ କରି ଆଉଟ ହୋଇଥିଲେ। ୧୩ ଓଭର ସୁଦ୍ଧା ଦଳ ୪ଟି ଓ୍ୱିକେଟ ହରାଇ ୧୦୧ ରନ କରିଥିଲା। 

ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ। ପରେ ସୂର୍ଯ୍ୟକୁମାର ଦଳ ପାଇଁ ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ। ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକୀୟ ଇନିଂସ (୬୧*) କରିଥିବା ସୂର୍ଯ୍ୟକୁମାର ଦଳୀୟ ସ୍କୋରକୁ ୧୮୦ ପାର କରାଇଥିଲେ। ଧାର୍ଯ୍ୟ ଓଭରରେ ଦଳ ୫ ଓ୍ୱିକେଟ ହରାଇ ୧୮୬ ରନ କରିଥିଲା।  ଜିମ୍ବାଓ୍ୱେ ପକ୍ଷରୁ ସିନ ଓ୍ୱିଲିୟମସ ୨ଟି , ରିଚାର୍ଡ ନାଗାରାଭା, ବ୍ଲେସିଂ ମୁଜାରାବନି ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

ଜବାବରେ ଜିମ୍ବାଓ୍ୱେ ପକ୍ଷରୁ ଓ୍ୱେସଲି ମାଧେବିରେ ଓ ଅଧିନାୟକ କ୍ରେଗ ଏରଭିନ ପାଳି ଆରମ୍ଭ କରିଥିଲେ। ମାତ୍ର ଭାରତର ଶାଣିତ ବୋଲିଂକୁ ସାମ୍ନା କରିବାରେ ଜିମ୍ବାଓ୍ୱେର ବ୍ୟାଟସମ୍ୟାନ ମାନେ ବିଫଳ ହୋଇଥିଲେ। ଫଳରେ ଆରମ୍ଭରୁ ହିଁ ଜିମ୍ବାଓ୍ୱେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ପ୍ରଥମ ବଲରେ ହିଁ ଜିମ୍ବାଓ୍ୱେକୁ ପ୍ରଥମ ଝଟକା ଲାଗିଥିଲା। ମାଧେବିରେ କୌଣସି ରନ ନ କରି ପ୍ରଥମ ଶିକାର ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ପରେ ଦଳ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ଦଳ ପାଇଁ ସିକନ୍ଦର ରାଜା ଓ ରିଆନ ବର୍ଲ ଯଥାକ୍ରମେ ୩୪ ଓ ୩୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରେଗ ଏରଭିନ (୧୩) ଓ ସିନ ଓ୍ୱିଲିୟମସ (୧୧) ଦୁଇ ଅଙ୍କ ବିଶିଷ୍ଟ ରନ ସଂଗ୍ରହ କରିଥିଲେ। ଅନ୍ୟ ସମସ୍ତ ବ୍ୟାଟସମ୍ୟାନ ନିରାଶ ହୋଇଥିଲେ। 

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ମହମ୍ମଦ ସାମୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। ତେବେ ୧୬ଟି ବଲ ଥାଇ ଭାରତ ଏହି ବିଜୟ ହାସଲ କରିନେଇଛି। 

Read More
{}{}