Hindi News >>Home >>Odisha Sports

Barabati Stadium to host India vs England ; ବାରବାଟୀରେ ହେବ ଦିନିକିଆ ମ୍ୟାଚ୍‌: ଫେବ୍ରୁଆରି ୯ରେ ଖେଳିବେ ଭାରତ-ଇଂଲଣ୍ଡ

ଅଢ଼େଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍‌। କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ।୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisement
Barabati Stadium
Stop
Zee Odisha Desk|Updated: Jun 21, 2024, 08:07 AM IST

Barabati Stadium to host India vs England  : ବାରବାଟୀରେ ଜମିବ କ୍ରିକେଟର ମଜା । କ୍ରିକେଟ୍ କ୍ରେଜରେ ସାରା ଓଡ଼ିଶା ହେବ ମତୁଆଲା । କାରଣ, ଦୀର୍ଘ ବର୍ଷ ପରେ ପୁଣି ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍।ପାଖାପାଖି ଅଢ଼େଇ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଏହି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌।

 ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଗତକାଲି(ଗୁରୁବାର) ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କୁ ଉତ୍ସାହିତ କରିଛି। ଶେଷଥର ପ‌ାଇଁ ଏଠାରେ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ବାରବାଟୀ ‌ଷ୍ଟାଡିୟମ ନବୀକରଣ ପ୍ରକଳ୍ପ ଘୋଷଣା ହେବା ପରେ ନିକଟରେ ବାରବାଟୀକୁ ମ୍ୟାଚ୍‌ ମିଳିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଶେଷରେ ଦୂର ‌ହୋଇଛି।

ସୂଚନାଯୋଗ୍ୟ, ୨୦୨୫ ଆରମ୍ଭରେ ଇଂଲଣ୍ଡ ଭାରତକୁ ଟି-୨୦ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ । ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ ।ଏହି ମ୍ୟାଚ୍‌ ପରେ ବାରବାଟୀ ନବୀକରଣ କାର୍ଯ୍ୟ ଆରମ୍ଭ ହେବ। 

ବାରବାଟୀରେ ମୋଟ ୨୧ଟି ଏକଦବିସୀୟ, ଦୁଇଟି ଟେଷ୍ଟ୍‌ ଓ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ବାରବାଟୀରେ ଡିସେମ୍ବର ୨୨, ୨୦୧୯ରେ ଭାରତ- ୱେଷ୍ଟ୍‌ ଇଣ୍ଡିଜ୍ ମଧ୍ୟରେ ଶେଷ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏ ସଂପର୍କରେ ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି ଯେ ବାରବାଟୀକୁ ମ୍ୟାଚ୍‌ ମିଳିବା ଏକ ଖୁସି ଖବର। ପୂର୍ବରୁ ମ୍ୟାଚ୍‌ ମିଳୁ ନଥିବାରୁ ଓସିଏକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ବାରବାଟୀକୁ ମ୍ୟାଚ୍‌ ଦେବା ପାଇଁ ସେ ବିସିସିଆଇ ସଂପାଦକ ଜୟ ଶାହାଙ୍କୁ ଅନୁରୋଧ କରିଥିଲେ। ତେବେ ଏହି ମ୍ୟାଚ୍‌ ଯୋଗୁଁ ବାରବାଟୀ ନବୀକରଣ ପ୍ରକଳ୍ପରେ ସମସ୍ୟା ହେବ ନାହିଁ। ନୂଆ ସରକାର ‌ସେ ଦିଗରେ ପଦକ୍ଷେପ ‌ନେବେ।

{}{}