Hindi News >>Home >>Odisha Sports

Asia Cup 2023 Final: ଭାରତୀୟ ଏ ଦଳକୁ ୧୨୮ ରନ୍ ରେ ମାତ ଦେଲା ପାକିସ୍ତାନ ଏ ଟିମ୍

Asia Cup 2023: ୨୦୨୩ ଏସିଆ କପ୍ ଫାଇନାଲ ମୁକାବିଲାରେ ଭାରତୀୟ ଦଳକୁ ପରାସ୍ତ ଟାଇଟଲ ହାତେଇଛି ପାକିସ୍ତାନ।  

Advertisement
ଫଟୋ ସୌଜନ୍ୟ: ଟ୍ୱିଟର@TheRealPCB_Live
Stop
Zee Odisha Desk|Updated: Jul 23, 2023, 10:24 PM IST

IND A vs PAK A Match Result: ୨୦୨୩ ଏସିଆ କପ୍ ଫାଇନାଲ ମୁକାବିଲାରେ ଭାରତୀୟ ଏ ଦଳକୁ ୧୨୮ ରନ୍ ବ୍ୟବଧାନରେ ପରାସ୍ତ କରିଛି ପାକିସ୍ତାନ ଏ ଟିମ୍। ଏହି ବିଜୟ ସହ ପାକିସ୍ତାନ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏସିଆ କପ୍ ଟାଇଟଲ ହାତେଇଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ, ଭାରତ ସାମ୍ନା ୩୫୩ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତ ୨୨୪ ରନ୍ ସ୍କୋର କରି ଅଟକି ଯାଇଥିଲା। ଭାରତୀୟ ଦଳ ପାଇଁ ଅଭିଷେକ ଶର୍ମା ସର୍ବାଧିକ ୬୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ପାକିସ୍ତାନ ପାଇଁ ତୈୟବ ତାହିର ଶତକ ହାସଲ କରିଥିଲେ।

ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୩୫୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା  କରି ଭାରତୀୟ ଏ ଦଳ ପାଇଁ ସାଇ ସୁଦର୍ଶନ ଏବଂ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ। ସାଇ ୨୮ ବଲ ଖେଳି ୨୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ। ଅଭିଷେକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫ ଚୌକା ଏବଂ ୧ ଛକା ସହାୟତାରେ ୫୧ ବଲ ଖେଳି ୬୧ ରନ ସ୍କୋର କରିଥିଲେ। ନିକିନ ଜୋସ ୧୧ ରନ୍ ସ୍କୋର କରିଥିଲେ। କ୍ୟାପଟେନ ୟଶ ଧୁଲ ୪ ଚୌକା ସହାୟତାରେ ୩୯ ରନ ସ୍କୋର କରିଥିଲେ। ୯ ରନ୍ ସ୍କୋର କରିବା ପରେ ନିଶାନ୍ତ ସିନ୍ଧୁ ଆଉଟ୍ ହୋଇ ଯାଇଥିଲେ। ୧୪ ରନ୍ ସ୍କୋର କରିବା ପରେ ରିୟାନ୍ ପାରାଗ ପାଭିଲିୟନକୁ ଫେରିଥିଲେ। ହର୍ଷିତ ରାଣା ୧୩ ରନ୍ ସଂଗ୍ରହ କରିଥିଲେ। ୧୧ ରନ୍ ସ୍କୋର କରିବା ପରେ ରାଜ୍ୟବର୍ଦ୍ଧନ ଆଉଟ୍ ହୋଇ ଯାଇଥିଲେ। ୭ ରନ୍ ସ୍କୋର କରି ମାନବ ସୂଥାର ଅପରାଜିତ ରହିଥିଲେ।

ପାକିସ୍ତାନ ପାଇଁ ସୁଫିଆନ୍ ମୁକିମ୍ ୩ ୱିକେଟ୍ ନେଇଥିଲେ। ୧୦ ଓଭର ବୋଲି କରି ସେ ୬୬ ରନ୍ ବ୍ୟୟ କରିଥିଲେ। ୭ ଓଭର ବୋଲିଂ କରି ୩୪ ରନ୍ କରିଥିବା ଅର୍ଶଦ ଇକବାଲ ୨ ୱିକେଟ୍ ନେଇଥିଲେ। ମେହେରାନ ମମତାଜ ଏବଂ ମହମ୍ମଦ ୱାସିମ ଜୁନିଅର ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ମୁବାସିର ଖାନ ଗୋଟିଏ ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଏ  ଧାର୍ଯ୍ୟ ୫୦ ଓଭର ଖେଳି ୮ ୱିକେଟ ହରାଇ ୩୫୨ ରନ୍ ସଂଗ୍ରହ କରିଥିଲା। ତୈୟବ ତାହିର ଦଳ ପାଇଁ ଶତକ ହାସଲ କରିଥିଲେ। ସେ ୭୧ ବଲ ଖେଳି ୧୦୮ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୧୨ ଚୌକା ଏବଂ ୪ ଛକା ଅନ୍ତର୍ଭୂକ୍ତ ରହିଥିଲା। ଓପନର୍ ସାହିବଜାଦା ଫରହାନ୍ ୬୧ ବଲ ଖେଳି ୬୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୪ ଚୌକା ଏବଂ ୪ ଛକା ଅନ୍ତର୍ଭୂକ୍ତ ରହିଥିଲା। ଆୟୁବ ୫୧ ବଲ ଖେଳି ୫୯ ରନ୍ ସଂଗ୍ରହ କରିଥିଲେ। ଉମର ୟୁସୁଫ ୩୫ ରନ୍ କରିଥିଲେ। ୪୭ ବଲ ଖେଳି ମୁବାସିର ଖାନ ୩୫ ରନ ସ୍କୋର କରିଥିଲେ। ୧୭ ରନ୍ ସ୍କୋର କରିବା ପରେ ମହମ୍ମଦ ୱାସିମ ଜୁନିଅର ଅପରାଜିତ ରହିଥିଲେ।

ଭାରତୀୟ ଏ ପାଇଁ ୪ ଓଭର ବୋଲିଂ କରି ରିୟାନ୍ ପରାଗ ୨ ୱିକେଟ୍ ନେଇଥିଲେ। ରାଜ୍ୟବର୍ଦ୍ଧନ ୬ ଓଭର ବୋଲି କରି ୪୮ ରନ୍ ବ୍ୟୟରେ ୨ ୱିକେଟ୍ ନେଇଥିଲେ। ୬ ଓଭର ବୋଲି କରି ୫୧ ରନ୍ ବ୍ୟୟରେ ହର୍ଷିତ ରାଣା ଗୋଟିଏ ୱିକେଟ୍ ନେଇଥିଲେ। ମାନବ ସୂଥାର ଏବଂ ନିଶାନ୍ତ ସିନ୍ଧୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Read More
{}{}