Hindi News >>Home >>Odisha Politics

BJP Government: କିଏ ହେବେ ମୁଖ୍ୟମନ୍ତ୍ରୀ, ଆଜି ବିଜେପିରେ ନିଷ୍ପତ୍ତି ପାଇଁ ଆଲୋଚନା

ଏଥର ସଭାପତି ଭାବେ ସମସ୍ତଙ୍କୁ ଏକାଠି କରିବା, ମେଣ୍ଟ ନୁହେଁ ଏକୁଟିଆ ଲଢ଼ିବାକୁ ପ୍ରତିବଦ୍ଧ ହେବ ଏବଂ ସଫଳତା ଅର୍ଜନ କରିବାରେ ଯଥେଷ୍ଟ ଭୂମିକା ଗ୍ରହଣ କରିଛନ୍ତି। ଯଦିଓ ସେ ନିର୍ବାଚନ ହାରିଯିବା ତାଙ୍କ ପାଇଁ ଏକ ଦୁଃଖଦ ବିଷୟ ହୋଇଛି କିନ୍ତୁ ସେ ଯେ ଏହି ସରକାର ଗଠନ ଓ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନନେବେ କହିବା ମୁସ୍କିଲ।

Advertisement
BJP Government: କିଏ ହେବେ ମୁଖ୍ୟମନ୍ତ୍ରୀ, ଆଜି ବିଜେପିରେ ନିଷ୍ପତ୍ତି ପାଇଁ ଆଲୋଚନା
Stop
Prabhudatta Moharana|Updated: Jun 06, 2024, 11:08 AM IST

BJP Government: ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା କିଏ ହେବେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ଅଥବା ସାହି, ଗାଁ ମୁଣ୍ଡର ଖଟି ଅଥବା ଅଫିସ ଟେବଲରରେ ସେଇ ଗୋଟିଏ ଚର୍ଚ୍ଚା ମୁଖ୍ୟମନ୍ତ୍ରୀ କିଏ ହେବେ? ଏ ଭିତରେ କିଛି ନାଁ ଚର୍ଚ୍ଚାରେ ରହିଛି କିନ୍ତୁ ବିଜେପି କେନ୍ଦ୍ରୀୟ କମିଟି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ସ୍ଥିର କରିବ ତାହା ଆଜି ନିଷ୍ପତ୍ତି ହୋଇପାରେ ।

୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ଲୋକେ ନବୀନ ପଟ୍ଟନାୟକଙ୍କୁ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଲା ତାଙ୍କ ନାଁ ସାମ୍ନାକୁ ଆସିଯାଉଥିଲା। ହେଲେ ଜନତା ଜନାର୍ଦ୍ଦନ ଏକା ମାଡ଼ରେ ବିଜେଡିକୁ ଧରାଶାୟୀ କରି ବିଜେପି କାନ୍ଧରେ ସରକାର ଦାୟିତ୍ୱ ଦେଇଛନ୍ତି। ହେଲେ ବିଜେପି ଏଯାଏ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର କରିପାରି ନାହିଁ। ଯେଉଁ କିଛି ନାଁ ଚର୍ଚ୍ଚାକୁ ଆସୁଛି ସେମାନଙ୍କ ଭିତରେ ରହିଛନ୍ତି ଅନେକ ସଦ୍ୟ ନିର୍ବାଚିତ ସାଂସଦ। ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ନାଁ ଏଥିରେ ରହିଛି। ପୁଣି ପ୍ରଶାସନିକ ଅଧିକାରୀରୁ ରାଜନେତା ହୋଇଥିବା ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ନା ବି ଚର୍ଚ୍ଚା ହେଉଛି। ହେଲେ ଏମାନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଅର୍ଥ ରାଜ୍ୟକୁ ଆଉ ଏକ ଉପ ନିର୍ବାଚନ ଦେଖିବାକୁ ପଡ଼ିବ। ସାଂସଦ ହୋଇଥିଲେ ଦୁଇଟି ନିର୍ବାଚନ ବି ଭୋଗିବାକୁ ହେବ। 

ଗିରିଶ ଚନ୍ଦ୍ର ମୁର୍ମୁଙ୍କ ରାଜନୀତିକ ଅଭିଜ୍ଞତା ଶୂନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଶାସନିକ ସ୍ତରରେ ସେ ଦକ୍ଷ ଅଧିକାରୀ  ହୋଇପାରନ୍ତି, କିନ୍ତୁ ରାଜନୀତିକ ମଇଦାନରେ ଯେଉଁ ଆବଶ୍ୟକତା ତାକୁ ପୂରଣ କରିବାରେ ସେ ଅସମର୍ଥ ହେବେ। ପୁଣି ବିଜେପି ଏଥର ଯଦିଓ ପୂର୍ଣ୍ଣ ବହୁମତ ଲାଭ କରିଛି କିନ୍ତୁ ରାଜ୍ୟରେ ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ। ଅନେକ ସ୍ଥାନରେ ଦଳ ସ୍ୱଳ୍ପ ବ୍ୟବଧାନରେ ଜିତିଛି। ଏହା ଏକ ଲହଡ଼ି ଛଡ଼ା ଅନ୍ୟ କିଛି ହୋଇ ନପାରେ। ଏଣୁ ଦଳକୁ ଏବେ ପଞ୍ଚାୟତରୁ ମ୍ୟୁନିସିପାଲିଟି ଯାଏ ନିର୍ବାଚନ ଲଢ଼ିବାକୁ ହେବ। ସବୁଥିରେ ସଫଳତା ଅର୍ଜନ କରିବାକୁ ହେବ। ନହେଲେ ଦୀର୍ଘସ୍ଥାୟୀ ହୋଇ ନପାରେ ଦଳ। 

ଅପରପକ୍ଷେ ରାଜ୍ୟ ଏଯାଏ ଜଣେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚ୍ଛଦପଟ୍ଟ ଶାସନକୁ ଦେଖି ଆସିଛି।ସେଥିରେ କିନ୍ତୁ ଲୋକେ ଅତିଷ୍ଠ ହୋଇଛନ୍ତି।  ନବୀନଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ଏହି ପ୍ରଶାସନିକ ଅଧିକରୀଙ୍କ ଧ୍ରୁଷ୍ଟତା ହେତୁ ଦଳ ହାରିଲା ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଏଣୁ ଗିରିଶ ମୁର୍ମୁଙ୍କ ନାଁକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ବିଜେପିର ଶୀର୍ଷ ନେତୃତ୍ୱ ବିଧାୟକମାନଙ୍କ ଭିତରୁ ନେତା ବାଛିବା ହେଉଛି ସାମ୍ବିଧାନିକ ପ୍ରକ୍ରିୟା। ଏହାକୁ ଯଦି ଦଳ ଗୁରୁତ୍ୱ ଦିଏ ତେବେ ଓଡ଼ିଆ ଅଭିଜ୍ଞ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ଦଳ। ଏହିକ୍ରମରେ ଦଳ କନକବର୍ଦ୍ଧନ ସିଂହଦେଓଙ୍କୁ ବି ବାଛିପାରେ। କନକ ବର୍ଦ୍ଧନ ଜଣେ ଅଭିଜ୍ଞ ନେତା। ପଶ୍ଚିମାଞ୍ଚଳକୁ ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ଦଳର ସଭାପତି ବି ସେ ରହିଛନ୍ତି। ରାଜ୍ୟ ସରକାରରେ ସେ ମନ୍ତ୍ରୀପଦ ବି ତୁଲାଇଛନ୍ତି। ଏଣୁ ତାଙ୍କ ପଲା ଭାରି ହୋଇପାରେ। 

ସେହିପରି ପଶ୍ଚିମାଞ୍ଚଳର ଆଉଜଣେ ଦାବିଦାର ହେଉଛନ୍ତି ସୁରେଶ ପୂଜାରୀ। ପୂର୍ବରୁ  ସାଂସଦ ରହିଛନ୍ତି। ଜାତୀୟସ୍ତରରେ ସଂଗଠନ ପାଇଁ କାମ କରିଛନ୍ତି। ଅବଶ୍ୟ ରାଜ୍ୟସ୍ତରରେ ତାଙ୍କର ସେତିକି ଲୋକପ୍ରିୟତା ନାହିଁ। କିନ୍ତୁ ଦଳ ଚାହିଁଲେ ତାଙ୍କ ମୁଣ୍ଡରେ ସୁନାକଳସ ଢାଳିପାରେ। ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ପିପିଲିରୁ ବିପୁଳ ସଂଖ୍ୟା ଲାଭ କରିଥିବା ଆଶ୍ରିତ ପଟ୍ଟନାୟକ, ରଣପୁରର ବିଧାୟକ ସୁରମା ପାଢ଼ି, ଜଗତସିଂହପୁରର ଅମରେନ୍ଦ୍ର ଦାସ ପ୍ରଭୃତିଙ୍କ ଉପରେ ମଧ୍ୟ ଦଳ ଆସ୍ଥା ଦେଇ ସାଂଗଠନିକ କାର୍ଯ୍ୟକୁ ମଜଭୁତ କରିପାରେ। 

୨୦୦୦ ମସିହା ହେଉ ବା ୨୦୦୪ ହେଉ, ଏ ସମୟରେ ଦଳ ମେଣ୍ଟରେ ଥାଇ ସଫଳତା ପାଇଥିଲା। ଏ ସମୟରେ ମଧ୍ୟ ମନମୋହନ ସାମଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଥର ସଭାପତି ଭାବେ ସମସ୍ତଙ୍କୁ ଏକାଠି କରିବା, ମେଣ୍ଟ ନୁହେଁ ଏକୁଟିଆ ଲଢ଼ିବାକୁ ପ୍ରତିବଦ୍ଧ ହେବ ଏବଂ ସଫଳତା ଅର୍ଜନ କରିବାରେ ଯଥେଷ୍ଟ ଭୂମିକା ଗ୍ରହଣ କରିଛନ୍ତି। ଯଦିଓ ସେ ନିର୍ବାଚନ ହାରିଯିବା ତାଙ୍କ ପାଇଁ ଏକ ଦୁଃଖଦ ବିଷୟ ହୋଇଛି କିନ୍ତୁ ସେ ଯେ ଏହି ସରକାର ଗଠନ ଓ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନନେବେ କହିବା ମୁସ୍କିଲ।

Read More
{}{}