Hindi News >>Home >>Odisha Politics

Railway Minister Ashwini Vaishnaw: ବିଜେପିର ‘ଅଣ ଓଡ଼ିଆ’ କାର୍ଡ ହେବ ବେକାର: ଅଶ୍ୱିନୀ ଲଢ଼ିବେ କଟକରୁ !

 ରାଜଧାନୀରେ ଆବାସ ନେଇଥିବା ଭୋଟରଙ୍କ ଭିତରେ କଟକର ସ୍ଥାୟୀ ଭୋଟରଙ୍କୁ ତୁଳନା କରାଯାଇ ନପାରେ। ଏଣୁ ପ୍ରଶ୍ନ ହେଉଛି କଟକର ଲୋକେ ଅଶ୍ୱିନୀଙ୍କୁ ନିଜର ପ୍ରତିନିଧି ଭାବେ ଗ୍ରହଣ କରିପାରିବେ କି?   ବିଜେପିର ଗର୍ଭଗୃହ ନିଷ୍ପତ୍ତି ଓ ଲୋକଙ୍କ ପ୍ରତିକ୍ରିୟା ହିଁ ଏହାକୁ ସ୍ପଷ୍ଟ କରିବ।  

Advertisement
Railway Minister Ashwini Vaishnaw: ବିଜେପିର ‘ଅଣ ଓଡ଼ିଆ’ କାର୍ଡ ହେବ ବେକାର: ଅଶ୍ୱିନୀ ଲଢ଼ିବେ କଟକରୁ !
Stop
Zee Odisha Desk|Updated: Jan 10, 2024, 01:00 PM IST

ଭୁବନେଶ୍ୱର: ଭାରତୀୟ ରାଜନୀତିରେ ଓଡ଼ିଶା ପାଇଁ କାମ କରୁଛନ୍ତି  ବୋଲି ନିଜର ପରିଚୟ ସୃଷ୍ଟି କରିଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ବିଜେପି ପାଇଁ ପରୋକ୍ଷରେ ବୋଝ ପାଲଟିବାକୁ ଯାଉଛନ୍ତି। ଗତ କିଛିଦିନ ହେଲା ସେ ଯେମିତି କଟକ ଲୋକସଭା ମଣ୍ଡଳୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ପେଣ୍ଠ ଗୁଡ଼ିକୁ ଗସ୍ତ କରୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ ସେ ଆସନ୍ତା ନିର୍ବାଚନ ଲାଗି କଟକ ନିର୍ବାଚନ ମଣ୍ଡଳୀ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହା ହେଲେ ରାଜ୍ୟ ବିଜେପି, ଶାସକ ଦଳ ବିଜେଡି ବିରୁଦ୍ଧରେ ଯେଉଁ ‘ଅଣ ଓଡ଼ିଆ’ ଅସ୍ତ୍ରଟି ପ୍ରୟୋଗ କରିବାକୁ ସ୍ଥିର କରିଛି ତାହା ୟୁ ଟର୍ନ ନେବା ଆଶଙ୍କା ବୃଦ୍ଧି ପାଇଛି। କାରଣ ଯେଉଁ ପାଣ୍ଡିଆନଙ୍କୁ ‘ଅଣ ଓଡ଼ିଆ’ କହି ବିଜେପି ଆକ୍ରମଣ କରୁଛି ଅଶ୍ୱିନୀ ତାହାର ଶିକାର ହୋଇପାରନ୍ତି। 

ଗତ କିଛି ମାସ ହେଲା ରାଜ୍ୟ ରାଜନୀତିରେ  ଭି କେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ପ୍ରବେଶ ଉଭୟ ବିରୋଧି କଂଗ୍ରେସ ଓ ବିଜେପି ଲାଗି ଅସହ୍ୟ ହୋଇଛି। ଶ୍ରୀ ପାଣ୍ଡିଆନ୍‍ଙ୍କୁ ‘ଅଣ ଓଡ଼ିଆ ’ କହି ସମାଲୋଚନା କରାଯିବା ଧାରା ଜାରି ରହିଛି। ଏହା ଅଳ୍ପ ବହୁତେ ଜନ ମତକୁ ମଧ୍ୟ ପ୍ରଭାବିତ କରିଛି। ସେଥିଲାଗି ନିଜ ପ୍ରତିଛବିକୁ ଅକ୍ଷୁର୍ଣ୍ଣ ରଖିବାକୁ ଯାଇ  ଶ୍ରୀ ପାଣ୍ଡିଆନ୍‍ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ଅସ୍ତ୍ରକୁ ବିଜେପି ଆଗକୁ ବ୍ୟବହାର କରି ଓଡ଼ିଆଙ୍କ ଗର୍ବ, ସ୍ୱାଭିମାନକୁ ନେଇ ନିର୍ବାଚନ ବୈତରଣୀ ପାର ହେବ ବୋଲି ଆଶା ରଖିଥିଲା। ହେଲେ ଏବେ ସମୀକରଣ ବଦଳିବାକୁ ଯାଉଛି।  

ନିକଟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ  ସାଂସଦମାନଙ୍କୁ ବିଧାନସଭା ନିର୍ବାଚନ ଲଢ଼ାଇ ସଫଳତା ପାଇବା ପରେ ଓଡ଼ିଶାରେ ସେହି ଧାରାକୁ ପାଳନ କରିବାକୁ ବିଜେପି ଉଦ୍ୟମ କରୁଛି। ଏହିକ୍ରମରେ କେନ୍ଦ୍ରରେ ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ପଡ଼ିପାରେ। ଏଣୁ ଶ୍ରୀ ପ୍ରଧାନ ସମ୍ବଲପୁର ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନରେ ତାଙ୍କ ପରାଜୟ ହାର ଯଥେଷ୍ଟ ରହୁଥିବାରୁ ଧର୍ମେନ୍ଦ୍ରଙ୍କ ଲାଗି ଏହା ‘କର ବା ମର’ ପରିସ୍ଥିତି ସୃଷ୍ଟି କରୁଛି। ନିଜ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ସେ ସମ୍ବଲପୁର ଲାଗି ଲଢ଼ିବା ଅର୍ଥାତ୍‍ ପୂର୍ବ ବିଜିତ  ଧାରାକୁ ବଜାୟ ରଖିବା। ଅର୍ଥାତ୍‍ ଦୁଇଟି ଚାପକୁ ଶ୍ରୀ ପ୍ରଧାନ ଏବେ ସମ୍ମୁଖୀନ ହେବ। ଗୋଟିଏ ନିଜକୁ ସାଂସଦ ଭାବେ ବଜାୟ ରଖିବା ଏବଂ ଅନ୍ୟଟି ସମ୍ବଲପୁରକୁ ଦଳ ପାଇଁ ସୁରକ୍ଷିତ କରିବା। ଶ୍ରୀ ପ୍ରଧାନ ଏଥିଲାଗି ବାରମ୍ବାର ସମ୍ବଲପୁର ଗସ୍ତରେ ଆସି ସଂଗଠନକୁ ମଜଭୁତ କରିବା ଦେଖିବାକୁ ମିଳୁଛି। ଏପରିକି ରାଜ୍ୟ ନେତାମାନଙ୍କ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଯେତେବେଳେ ସଂଗଠନ ବୈଠକ ଭୁବନେଶ୍ୱରରେ ଚାଲୁଛି ଶ୍ରୀ ପ୍ରଧାନଙ୍କୁ ସମ୍ବଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।  

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜ ରାଜ୍ୟ ରାଜସ୍ଥାନ ଛାଡ଼ି ଓଡ଼ିଶାରେ ଡେରା ପକାଉଥିବା ଦେଖିବାକୁ ମିଳିଛି। କିଛିଦିନ ଆଇଏଏସ୍‍ ଅଧିକାରୀ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିବାରୁ ସେ ନିଜକୁ ଓଡ଼ିଆ ଭାବେ ପରିଚୟ ଦେବାକୁ ଚାହିଁଛନ୍ତି। ଏହିକ୍ରମରେ ସେ କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ବଡ଼ମ୍ବା-ନରସିଂହପୁର, ଆଠଗଡ଼, ଖଣ୍ଡପଡ଼ା ସମେତ କଟକର ବିଭିନ୍ନ ଅଞ୍ଚଳ ଗସ୍ତରେ ଯିବା ଏବଂ ସେଠାରେ ବିଭିନ୍ନ ଜନ ସଂଗଠନ ଓ ନେତାଙ୍କ ସହ ବୈଠକ ଏହି ଚର୍ଚ୍ଚାକୁ ଅଧିକ ଖୋରାକି ଦେଇଛି।  

କଟକ ଏମିତି ଏକ ନିର୍ବାଚନ ମଣ୍ଡଳୀ ଯାହା ଅତୀତରେ ରାଜଧାନୀ ଭାବେ ପରିଚିତ ହେବା ସହ ବିଭିନ୍ନ ଓଡ଼ିଆ ଭାଷା, ସଂସ୍କୃତି ଆନ୍ଦୋଳନର ପେଣ୍ଠସ୍ଥଳ ରହି ଆସିଛି। ଏବେ ବି କଟକର ଲୋକେ ନିଜର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ ଭର୍ତ୍ତୃହରି ମହତାବ ଏଠାରେ ୧୯୯୮ ମସିହାରୁ ସାଂସଦ ଭାବେ ନିଜର ପରିଚୟ ବଜାୟ ରଖିଛନ୍ତି। ଲଗାତାର ୬ ଥର ସେ ନିର୍ବାଚିତ ହୋଇଛନ୍ତି। ଏଥର ରାଜନୀତିକ ମହଲର ଚର୍ଚ୍ଚା ଅନୁସାରେ ତାଙ୍କୁ ନେଇ ବିଜେଡି ମହଲ ଶଙ୍କାରେ ରହିଛି। ଏପରିକି ଅତୀତରେ ତାଙ୍କୁ ବିଜେପି ଲବିରେ ଯୋଡ଼ି ଚର୍ଚ୍ଚା କରାଯାଉଥିଲା। ହେଲେ ଏବେ ବିଜେପି ମହଲରେ ବୈଷ୍ଣବଙ୍କ ଆବିର୍ଭାବ ତାଙ୍କର ଅସ୍ତିତ୍ୱକୁ ବି ଅସ୍ଥିର କରିଛି।  

ଅପରପକ୍ଷେ ଜଣେ ଅଣ ଓଡ଼ିଆ ଆଇଏଏସ୍‍ଙ୍କୁ ପୂର୍ବ ନିର୍ବାଚନରେ ପ୍ରାର୍ଥୀ କରି ବିଜେପି ସଫଳତା ପାଇଛି। ତାଙ୍କ ପ୍ରତି ଜନ ସମର୍ଥନଦେଖି ଏଥର ବି ଭୁବନେଶ୍ୱରରୁ ବିହାରୀ ଝିଅ ଅପରାଜିତା ଷଡ଼ଙ୍ଗୀ ଲଢ଼ିବେ ବୋଲି ଆଶା କରାଯାଉଛି। ହେଲେ ରାଜଧାନୀରେ ଆବାସ ନେଇଥିବା ଭୋଟରଙ୍କ ଭିତରେ କଟକର ସ୍ଥାୟୀ ଭୋଟରଙ୍କୁ ତୁଳନା କରାଯାଇ ନପାରେ। ଏଣୁ ପ୍ରଶ୍ନ ହେଉଛି କଟକର ଲୋକେ ଅଶ୍ୱିନୀଙ୍କୁ ନିଜର ପ୍ରତିନିଧି ଭାବେ ଗ୍ରହଣ କରିପାରିବେ କି?   ବିଜେପିର ଗର୍ଭଗୃହ ନିଷ୍ପତ୍ତି ଓ ଲୋକଙ୍କ ପ୍ରତିକ୍ରିୟା ହିଁ ଏହାକୁ ସ୍ପଷ୍ଟ କରିବ।  

Read More
{}{}