Hindi News >>Home >>Odisha Politics

ବଡ଼ଚଣାରେ ମାଟି ଚିନ୍ତା: ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ବରିଷ୍ଠ ନାଗରିକଙ୍କ ବିରୋଧ

ଆଲୋଚନାର ନିଷ୍କର୍ଷ ଅନୁସାରେ ଚଳିତ ନିର୍ବାଚନରେ ପାର୍ଟି ନୁହେଁ ମାଟି ପାଇଁ କାମ କରିବା ସହିତ ସ୍ଥାନୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବେ ବୋଲି ବୈଠକରେ ଯୋଗଦେଇଥିବା ବ୍ୟକ୍ତିମାନେ ସ୍ଥିର କରିଛନ୍ତି ।

Advertisement
ବଡ଼ଚଣାରେ ମାଟି ଚିନ୍ତା: ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ବରିଷ୍ଠ ନାଗରିକଙ୍କ ବିରୋଧ
Stop
Soubhagya Ranjan Mishra|Updated: May 20, 2024, 09:00 PM IST

ଭୁବନେଶ୍ୱର: ମାଟିର ସ୍‍ୱାଭିମାନ ରକ୍ଷା ତଥା ମାଟିର ସନ୍ତାନକୁ ପ୍ରତିନିଧି ଭାବେ ପଠାଇବା ଲାଗି ତତ୍ପର ହୋଇଛନ୍ତି ବଡ଼ଚଣାବାସୀ।  ପାର୍ଟି ନୁହେଁ ମାଟି ହିଁ ବଡ଼ ଏହି ସ୍‍ୱର ଉତ୍ତୋଳନ କରିବା ଲାଗି ବଡ଼ଚଣା ବିକାଶ ସଂଗଠନ ଉଦ୍ୟମ ଆରମ୍ଭ କରିଛି। ଏ ଭିତରେ ଗୋଟିଏ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ବିଜେଡିର ବର୍ଷା ଏ ମାଟିର ଝିଅ ନୁହଁନ୍ତି ଏଣୁ ତାଙ୍କୁ ଭୋଟ ନଦେବା ସପକ୍ଷରେ ସଚେତନତା ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଛି। 

ବଡ଼ଚଣା ଗାନ୍ଧୀଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ପୁତ୍ର ବିଜୟ ତ୍ରିପାଠୀଙ୍କ ଆହ୍ୱାନକ୍ରମେ ଏହି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୁଇ ଶହରୁ ଅଧିକ ନେତୃସ୍ଥାନୀୟ ଲୋକମାନେ ଯୋଗ ଦେଇ ବଡ଼ଚଣାର ସ୍ୱାଭିମାନ କିପରି ରକ୍ଷା କରାଯିବ ତା’ ଉପରେ ଆଲୋଚନା କରିଥିଲେ । ଆଲୋଚନାର ନିଷ୍କର୍ଷ ଅନୁସାରେ ଚଳିତ ନିର୍ବାଚନରେ ପାର୍ଟି ନୁହେଁ ମାଟି ପାଇଁ କାମ କରିବା ସହିତ ସ୍ଥାନୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବେ ବୋଲି ବୈଠକରେ ଯୋଗଦେଇଥିବା ବ୍ୟକ୍ତିମାନେ ସ୍ଥିର କରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୦୪ରେ ମେଣ୍ଟ ଥିବାବେଳେ ବିଜେଡି ସ୍ଥାନୀୟ ପ୍ରାର୍ଥୀଙ୍କ ପରିବର୍ତ୍ତେ ଯାଜପୁର ଟାଉନ ଅଞ୍ଚଳର ଗୌତମ ରାୟଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ବଡ଼ଚଣାବାସୀ ପାର୍ଟି ପରିବର୍ତ୍ତେ ମାଟିର ପୁଅ ତଥା କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କୁ ବିଜୟୀ କରାଇ ଦଳକୁ ମାଟି କାମୁଡ଼ାଇ ଦେଇଥିଲେ । ଚଳିତ ନିର୍ବାଚନରେ ବର୍ଷାଙ୍କର ଗୌତମଙ୍କ ଭଳି ଅବସ୍ଥା ହେବ ବୋଲି ବୈଠକରେ ଯୋଗ ଦେଇଥିବା ନେତାମାନେ ମତବ୍ୟକ୍ତ କରିଥିଲେ ।

ଏହି ନେତାମାନଙ୍କ କହିବା ଅନୁସାରେ ବଡ଼ଚଣା ମାଟିରୁ ମୁଖ୍ୟମନ୍ତ୍ରୀ ଓ ଉପବାଚସ୍ପତି ହୋଇଥିବାବେଳେ କେହି କ୍ୟାବିନେଟ ମନ୍ତ୍ରୀ ହୋଇନାହାନ୍ତି । ତଥାପି ମଧ୍ୟ ଅଞ୍ଚଳବାସୀ ପାର୍ଟି ଅପେକ୍ଷା ମାଟିକୁ ଗୁରୁତ୍ୱ ଦେଇଆସିଛନ୍ତି । ସେହି ମାଟିର ସମ୍ମାନ ରକ୍ଷା କରିବା ପାଇଁ ବଡ଼ଚଣା ବିକାଶ ସଂଗଠନ ପ୍ରତି ପଞ୍ଚାୟତରେ ପ୍ରଚାର କରିବବୋଲି ବୈଠକରେ ସ୍ଥିର ହୋଇଛି । ଯଦି ଏପରି ହୁଏ ତେବେ ଅଭିନେତ୍ରୀରୁ ନେତ୍ରୀ ହେବାକୁ ମନ ବଳାଇଥିବା ବର୍ଷାଙ୍କର ପରାଜୟ ସୁନିଶ୍ଚିତ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Also Read- ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ନୈରାଶ୍ୟଜନକ, ସନ୍ଧ୍ୟା ୭ସୁଦ୍ଧା ୬୦.୭%

{}{}