Hindi News >>Home >>Odisha Politics

Odisha Election 2024: ମୋହନା ବିଧାୟକ ପ୍ରାର୍ଥୀ ପାଇଁ ବିଜେପି ବଢ଼ାଉଛି ସସପେନ୍ସ!

Odisha Politics: ମୋହନା ବିଧାନସଭା ଆସନ ପାଇଁ ବିଜେଡ଼ି-କଂଗ୍ରେସ ପକ୍ଷରୁ ହୋଇସାରିଛି ପ୍ରାର୍ଥୀ ଘୋଷଣା। ହେଲେ ଏହି ଆସନରୁ କିଏ ହେବ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ!

Advertisement
କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ (ବାମ) ବିଜେଡ଼ି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ (ଡାହାଣ)
Stop
PREMANANDA PUJARI|Updated: Apr 09, 2024, 08:35 PM IST

Odisha Assembly Election 2024: (ପ୍ରେମାନନ୍ଦ ପୂଜାରୀ): ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଛି ଉଭୟ ବିଧାନସଭା-ଲୋକସଭା ନିର୍ବାଚନ। ଏହି ନିର୍ବାଚନକୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଆସନ ଲାଗି ବିଭିନ୍ନ ଦଳ ପକ୍ଷରୁ କରାଯାଇଛି ପ୍ରାର୍ଥୀ ଘୋଷଣା। ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନ ପାଇଁ ଉଭୟ କଂଗ୍ରେସ-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ହେଲେ ଏହି ଆସନ ପାଇଁ କିଏ ହେବେ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ବଢିଛି ସସପେନ୍ସ।   

ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ରହିଛି ମୋହନା ବିଧାନସଭା ଆସନ। ଆଦିବାସୀ ବର୍ଗଙ୍କ ସଂରକ୍ଷିତ ରହିଥିବା ଏହି ନିର୍ବାଚନମଣ୍ଡଳୀ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ଯାହାକୁ ନେଇ ଏବେ ସସପେନ୍ସ ବଢିବାରେ ଲାଗିଛି। ମୋହନା ବିଧାନସଭା ଆସନ ପାଇଂ ଅନ୍ୟ ୨ ପ୍ରମୁଖ ଦଳ କଂଗ୍ରେସ-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ସାରିଛି। ପ୍ରାର୍ଥୀ ଘୋଷଣା ହୋଇସାରିବା ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ଅଧିକ ଅଧିକରୁ ଭୋଟ ହାତେଇବାକୁ କସରତ କରୁଛନ୍ତି ବିଭିନ୍ନ ଦଳ। ଏଥର ବିଜେଡି ପକ୍ଷରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ କଂଗ୍ରେସ ପକ୍ଷରୁ ବର୍ତ୍ତମାନର ଦାଶରଥି ଗମାଙ୍ଗ ଦଳୀୟ ଟିକଟ ପାଇଛନ୍ତି। ହେଲେ ବିଜେପି ପକ୍ଷରୁ କିଏ ହେବେ ବିଧାୟକ ପ୍ରାର୍ଥୀ ତାହା ଜଣାପଡିନାହିଁ।  

ମୋହନା ଆସନ ପାଇଁ ମତଦାନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ତଥା ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି। ରାଜ୍ୟର ତିନି ରାଜନୈତିକ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ପକ୍ଷର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଜାରି ରହିଥିବା ବେଳେ ବିଭିନ୍ନ ଦଳର ବରିଷ୍ଠ ନେତା କର୍ମୀ ଦଳ ପରିବର୍ତ୍ତନ କରି ଚାଲିଛନ୍ତି। ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ୧୧୨, ବିଜେଡି ୧୦୮, କଂଗ୍ରେସ ୪୭ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରେ କେବଳ ବିଜେଡି-କଂଗ୍ରେସ ସେମାନଙ୍କର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ଦଳର ପୁରୁଖା ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ବିଧାୟକ ଦାଶରଥି ଗମାଙ୍ଗ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ମୋହାନ ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଦଳୀୟ ଟିକେଟ ପାଇବାକୁ ନେଇ ଦଳୀୟ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ବଢିବାରେ ଲାଗିଛି। ଏଥର ମୋହନା ଆସନରୁ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାକୁ ଅପେକ୍ଷା କରିଛନ୍ତି ସାଧାରଣ ଜନତା। 

ମୋହନା ବିଧାନସଭା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ଅଧିନରେ ୪ ବ୍ଲକ୍ ରହିଛି l ଏହାର  ମୋଟ ମତାଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୩୧ ହଜାର ୧୯୭। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୭୨ ଏବଂ ମହିଳା ଭୋଟର ସଂଖ୍ୟା ହେଉଛି ୧ ଲକ୍ଷ ୧୮ ହଜାର ୫୨୫। ସେଥିମଧ୍ୟରୁ କେବଳ ମୋହନା ବ୍ଲକ ଅଧିନରେ ୯୭ ହଜାର ଭୋଟର ଅଛନ୍ତି। ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ସର୍ବାଧିକ ୫୩ ହଜାର ୭୦୫ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀଙ୍କୁ ୩୨.୮ ପ୍ରତିଶତ ଭୋଟ ମିଳିଥିଲା। ସେହିପରି ବିଜେଡ଼ି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ (ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପତ୍ନୀ) ୫୧ ହଜାର ୩୫୧ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବିଜେଡ଼ି ପ୍ରାର୍ଥୀଙ୍କୁ ୩୧.୩ ପ୍ରତିଶତ ଭୋଟ ମିଳିଥିଲା। ସେହିପରି ବିଜେପି ପକ୍ଷରୁ ଟିକେଟ ପାଇଥିବା ପ୍ରଶାନ୍ତ ମଳିକଙ୍କୁ ୪୬ ହଜାର ୧୭୬ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀଙ୍କୁ ୨୮.୨ ପ୍ରତିଶତ ଭୋଟ ମିଳିଥିଲା। 

ମୋହନା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବର୍ଗର ଭୋଟର ଅଛନ୍ତି। ପ୍ରତ୍ୟେକ ନିର୍ବାଚନରେ ଜାତି ଭିତ୍ତିକ ଭୋଟ ନିର୍ଣ୍ଣାୟକ ହୋଇଥିବା ନଜିର ରହିଛି। ଏହି ଆସନ ପାଇଁ ବିଜେଡ଼ି-କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ବିଜେପି ଟିକେଟ ପାଇଁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ଚଳିତ ନିର୍ବାଚନରେ କାହାକୁ ପ୍ରାର୍ଥୀ କଲେ ମୋହନା ଆସନ ଦଖଲ କରିପାରିବ ତାକୁ ନେଇ ବିଜେପି ଅଙ୍କ କସୁଛି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଟିକେଟ ନପାଇବା ପୂର୍ବରୁ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ଦଳୀୟ କର୍ମୀଙ୍କ ବିରୋଧ ସହିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନର ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ନେଇ କଂଗ୍ରେସ କର୍ମ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳରୁ କାହାକୁ ପ୍ରାର୍ଥୀ କଲେ ମୋହନା ଆସନ ଦଖଲ କରିହେବ ତାହାକୁ ନେଇ ବିଜେପି ଅଙ୍କ କଷିବା ଜାରି ରଖିଛି। ହେଲେ କିଏ ବିଜେପି ବିଧାୟକ ପ୍ରାର୍ଥୀ ତାହା ଉପରେ ନଜର। 

{}{}