Hindi News >>Home >>Odisha Politics

Maharashtra Political Crisis: ୪୮ ଘଣ୍ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟପାଳ

Maharashtra Politics: ଆଗାମୀ ୪୮ ଘଣ୍ଟା  ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାର ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।   

Advertisement
Maharashtra Political Crisis: ୪୮ ଘଣ୍ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟପାଳ
Stop
Subhramjit Ray|Updated: Jun 28, 2022, 07:01 PM IST

Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟର ପରିଣାମ କ'ଣ ହେବ ତାହା ଜଣାପଡ଼ିନାହିଁ। ମାତ୍ର ଆଗାମୀ ୪୮ ଘଣ୍ଟା  ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାର ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜେ ରାଜ୍ୟର ରାଜନୈତିକ ସ୍ଥିତିକୁ ଜାଣି ବିଧାନସଭାରେ ବହୁମତ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଯଦି ଏହା ଘଟେ ତାହେଲେ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇପାରେ।  

ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକନାଥ ସିନ୍ଦେ ମଙ୍ଗଳବାର କିମ୍ବା ବୁଧବାର ମୁମ୍ବାଇ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ସେ ମହାବିକାଶ ଅଘାଡ଼ି ସରକାରରୁ ୩୯ ଜଣ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ରାଜ୍ୟପାଳଙ୍କୁ ଏହି ପତ୍ର ପ୍ରଦାନ କରିପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ବାବଦରେ ନୀରବତା ଅବଲମ୍ବନ କରୁଥିବା ବିଜେପି ଏକନାଥ ସିନ୍ଦେଙ୍କ ପତ୍ର ରାଜ୍ୟପାଳଙ୍କୁ ମିଳିବା ପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ। ଏହି ସମୟ ମଧ୍ୟରେ ରାଜଧାନୀ ମୁମ୍ବାଇ ଆସିବାକୁ ପ୍ରସ୍ତୁତ ହେବା ଲାଗି ଦଳର ବିଧାୟକଙ୍କୁ ଜଣାଇ ଦେଇଛି ବିଜେପି।

ରାଜ୍ୟରେ ସରକାର ଗଠନ ପ୍ରସଙ୍ଗରେ ମଙ୍ଗଳବାର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ବାସଭବନରେ ବରିଷ୍ଠ ବିଜେପି ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହାୟତାରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇପାରେ। ଯଦି ବିଜେପି ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହାୟତାରେ ସରକାର ଗଠନ କରେ ତାହେଲେ ଶିବସେନା ଏ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟରେ ଏହାକୁ ଜୋରଦାର ବିରୋଧ କରିପାରେ। ଏହି ସମୟରେ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାୱାର ତାଙ୍କ ଦିଲ୍ଲୀ ଗସ୍ତ ସାରି ଗୃହ ରାଜ୍ୟ ମହାରାଷ୍ଟ୍ର ଫେରିଛନ୍ତି।
 
ଦଳ ବିରୋଧରେ ଦଳୀୟ ବିଧାୟକ ବିଦ୍ରୋହ କରିବାକୁ ନେଇ ତାତି ଉଠିଛନ୍ତି ଶିବସେନା ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ। ବିଦ୍ରୋହୀ ଶିବେସନା ବିଧାୟକଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ବ୍ୟବହାର କରି ସେ କହିଛନ୍ତି ଅଯୋଗ୍ୟ ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକୁଟିଆ ଛାଡି ଦେଇଛନ୍ତି। ଯେଉଁମାନେ ରାଜନୀତି ବୁଝନ୍ତି ନାହିଁ ସେମାନେ ମଧ୍ୟ କହୁଛନ୍ତି ଯେ ଭୁଲ୍ ହେଉଛି। ଏହି ସ୍ୱର ଗୌହାଟି ଠାରେ ପହଞ୍ଚୁଛି। ସେମାନଙ୍କୁ ଟିକେଟ ନ ଦେବାକୁ ଆମକୁ ଅନେକ ଲୋକ କହିଥିଲେ ହେଲେ ତଥାପି ଆମେ ସେମାନଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିଲୁ। ନିଜ ଲୋକ ଆମ ସହ ଗଦ୍ଦାର ହେଲେ। ଆମ ସହ ବିଶ୍ୱାସଘାତକତା କଲେ। ବିଦ୍ରୋହ ପାଇଁ ସେମାନଙ୍କୁ ସୁରଟ ଯିବାକୁ ପଡିଲା। କେହି ରିକ୍ସା ଚଳାଉଥିଲେ ଏବଂ କେହି ଜଣେ ପାନ ଦୋକାନ କରୁଥିଲା। ହେଲେ ଆମେ ତାଙ୍କୁ ବିଧାୟକ କରିଛୁ। ତଥାପି ସେ ଆମକୁ ଏପରି ବ୍ୟବହାର କଲେ। ଯଦି ଆପଣଙ୍କର ସାହସ ଅଛି ତାହେଲେ ସାମ୍ନାକୁ ଆସ। ନିଜ ପଦରୁ ଇସ୍ତଫା ଦିଅ ଏବଂ ପୁନର୍ବାର ନିର୍ବାଚନ ଲଢ। ଶିବ ସୈନିନି ଆପଣଙ୍କୁ ପରାସ୍ତ କରିବାକୁ ଛିଡା ହୋଇଥିବାର ମିଳିବେ।

ସେହିପରି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଶିବସେନା ଅର୍ଥ ନୁହେଁ ବିଧାୟକ। ଶିବସେନା ହେଉଛି କର୍ମକର୍ତ୍ତା। ଆମେ ସେମାନଙ୍କର ଭୋଟ୍ ବଳରେ ନିର୍ବାଚନରେ ଜିତିଥାଉ।  ବର୍ତ୍ତମାନ ଦଳର ଯେଉଁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା ସେଥିରେ କୁହାଯାଇଥିଲା ଯେ ବାଲାସାହେବ ଠାକରେ ଏବଂ ଶିବସେନା ନାମ କୌଣସି ଦଳ କିମ୍ବା ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ। ଉଦ୍ଧବ ଠାକରେ ଗାଦି ପାଇଁ ଲୋଭୀ ନୁହଁନ୍ତି। ସେଥିପାଇଁ ସେ ସରକାରୀ ବଙ୍ଗଳା ଛାଡି ତାଙ୍କ ବ୍ୟକ୍ତିଗତ ବାସଭବନକୁ ଚାଲି ଯାଇଥିଲେ।

ମହାରାଷ୍ଟ୍ର ମହାବିକାଶ ଅଘାଡ଼ି  ସରକାର ଉପରେ ମାଡ଼ି ଆସୁଥିବା ସଙ୍କଟକୁ ନେଇ କେବଳ ଏନସିପି ନୁହେଁ କଂଗ୍ରେସ ଶିବିରରେ ମଧ୍ୟ ସୃଷ୍ଟି ହୋଇଛି ହଟଚମଟ। ଏ ପ୍ରସଙ୍ଗରେ ବରିଷ୍ଠ  କଂଗ୍ରେସ ନେତା ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ସ୍ଥିର ଅଛି। ବିଧାନସଭାରେ ଆମର ସଂଖ୍ୟାଗରିଷ୍ଠତା ଅଛି। ସୋମବାର ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାହା କହିଛନ୍ତି, ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା ହୋଇଥିଲା। ଗୌହାଟି ଠାରେ ଅବସ୍ଥାନ କରୁଥିବା ସମସ୍ତ ବିଧାୟକଙ୍କୁ ସେଠାରେ ଚେତାଶୂନ୍ୟ ଇଞ୍ଜେକ୍ସନ ଦିଆଯାଇଛି। ଏହା ସହିତ ପ୍ରତ୍ୟେକ ବିଧାୟକଙ୍କୁ ୫୦-୫୦ କୋଟି ଟଙ୍କା ଦେବାକୁ ମଧ୍ୟ କୁହାଯାଇଛି।

Also Read: Maharashtra Politics: କାହା କଥାରେ ଆସିଛନ୍ତି ଗୌହାଟି? ନିଜେ ପର୍ଦ୍ଦାଫାଶ କଲେ ବିଦ୍ରୋହୀ ଶିବସେନା ବିଧାୟକ

Also Read: Maharashtra Politics: ମହାରାଷ୍ଟ୍ର ଯିବେ ଏକନାଥ ସିନ୍ଦେ, ଶିବସେନାକୁ ନେଇ କହିଲେ ଏକଥା

 

 

 

Read More
{}{}