Hindi News >>Home >>Odisha Politics

Congress Crisis: କଂଗ୍ରେସ ହାତରୁ କେମିତି ଖସିଲା ସାତ ରାଜ୍ୟ? ବିଜେପିଠୁ କିଛି ଶିଖିପାରିଲାନି ହାଇକମାଣ୍ଡ

Congress Crisis: ୨୦୧୯ରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଗଠନ କରାଯାଇଥିଲା। ଏଥିରେ ଶିବସେନା, ଏନସିପି ସହ କଂଗ୍ରେସ ମେଣ୍ଟ କରିଥିଲା। ଶିବାସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

Advertisement
Congress Crisis: କଂଗ୍ରେସ ହାତରୁ କେମିତି ଖସିଲା ସାତ ରାଜ୍ୟ? ବିଜେପିଠୁ କିଛି ଶିଖିପାରିଲାନି ହାଇକମାଣ୍ଡ
Stop
Zee Odisha Desk|Updated: Sep 27, 2022, 02:46 PM IST

Congress Crisis: ୧୯୯୦ ପର୍ଯ୍ୟନ୍ତ ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିଲା। କିନ୍ତୁ ତାପର ବର୍ତ୍ତୀ ସମୟରେ ଗଂଗ୍ରେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାକୁ ଲାଗିଲା। ଏଥିପାଇଁ ଦୁର୍ବଳ ନତୃତ୍ୱ ଓ ପ୍ରଭାବହୀନ ରଣନୀତିକୁ ଦାୟୀ କରାଯାଇଛି। ବର୍ତ୍ତମାନ ଛତିଶଗଡ ଓ ରାଜସ୍ଥାନରେ ଦେଶର ସର୍ବପୁରାତନ ରାଜନୈତିକ ଦଳର ରାଜ ଚାରିଛି। ବିହାର ଓ ଝାଡଖଣ୍ଡରେ ଆଞ୍ଚଳିକ ଦଳକୁ ସମର୍ଥନ କରୁଛି। ତେବେ ଦଳୀୟ କନ୍ଦଳ ପାଇଁ ରାଜସ୍ଥାନ ମଧ୍ୟ କଂଗ୍ରେସ ହାତରୁ ଯିବାକୁ ବସିଲାଣି। ଅଶୋକ ଗେହଲୋଟଙ୍କ ପରେ କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ କଂଗ୍ରେସରେ ଦ୍ୱନ୍ଦ ଲାଗିରହିଛି। ବିଗତ ଦିନରେ କଂଗ୍ରେସ ହାତରୁ ବିଜେପି ଅଧିକଂଶ ରାଜ୍ୟ ଛଡାଇ ନେଇଛି। ତଥାପି ଦଳ କିଛି ଶିଖି ପାରିଲା ନାହିଁ ବୋଲି କୁହାଯାଉଛି।

ମହାରାଷ୍ଟ୍ର 

୨୦୧୯ରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଗଠନ କରାଯାଇଥିଲା। ଏଥିରେ ଶିବସେନା, ଏନସିପି ସହ କଂଗ୍ରେସ ମେଣ୍ଟ କରିଥିଲା। ଶିବାସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୨୦୨୨ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ଥିଲେ ଓ ମହାବିକାଶ ଅଘାଡି ସରକାର କ୍ଷମତାରେ ଥିଲେ। କିନ୍ତୁ ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ମହାବିକାଶ ଅଘାଡି ସରକାର ଭାଙ୍ଗିଗଲା। ବର୍ତ୍ତମାନ ସିନ୍ଧେ ଗୋଷ୍ଠୀ, ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ନୂଆ ସରକାର ଚଳାଉଛି।

ପଞ୍ଜାବ

୨୦୨୨ରେ ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିବା ପୂର୍ବରୁ କଂଗ୍ରେସର ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ମଧ୍ୟକ୍ଷ ଚାଲିଥିବା ଲଢେଇ ମଧ୍ୟରେ ଏହି ରାଜ୍ୟ ମଧ୍ୟ କଂଗ୍ରେସ ହାତରୁ ଯାଇଛି। ଶେଷରେ ଅମରିନ୍ଦର ସିଂହ ଦଳରୁ ଇସ୍ତଫା ଦେଇ ନୂଆ ଦଳ ଗଠନ କଲେ ଆଉ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ବିଧାନସଭା ନିର୍ବାଚନରେ ଉଭୟ ଅମରିନ୍ଦର, ସିଦ୍ଧୁ ଏବଂ ଚନ୍ନି ନିର୍ବାଚନରେ ହାରିଗଲେ। କଂଗ୍ରେସକୁ ମାତ୍ର ୧୮ଟି ଆସନ ମିଳିଲା। ଆମ୍ ଆଦମୀ ପାର୍ଟି ରାଜ୍ୟରେ ବିପୁଳ ବିଜୟ ଲାଭ କରି ସରକାର ଗଠନ କଲା।

ମଧ୍ୟପ୍ରଦେଶ

ପଞ୍ଜାବ ପରି କ୍ଷମତାର ଲଢେଇ ପାଇଁ କଂଗ୍ରେସ ପଞ୍ଝାରୁ ମଧ୍ୟ ପ୍ରଦେଶରେ ଯାଇଛି। ୧୫ ବର୍ଷ ପରେ କଂଗ୍ରେସ ମଧ୍ୟପ୍ରଦେଶରେ ସତ୍ତାକୁ ଫେରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କମଲ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଥିବା ମତଭେଦ ଦେଖିବାକୁ ମିଳିଥିଲା। ସିନ୍ଧିଆ ନିଜର ସମର୍ଥକଙ୍କୁ ନେଇ କଂଗ୍ରେସଠାରୁ ଦୂରେଇ ଗଲେ। ଆଉ ଦୁଇ ବର୍ଷ ମଧ୍ୟ ଚାଲିନଥିବା କଂଗ୍ରେସ ସରକାର ୨୦୨୦ ମାର୍ଚ୍ଚରେ ଭାଙ୍ଗିଗଲା। ସିନ୍ଧିଆ ବିଜେପିରେ ଯୋଗ ଦେଇ ରାଜ୍ୟ ସଭାକୁ ଗଲେ, ଏବେ ସେ ମୋଦି ସରକାରରେ ମନ୍ତ୍ରୀ ଅଛନ୍ତି।

କର୍ଣ୍ଣାଟକ

୬ ବର୍ଷ ପରେ କର୍ଣ୍ଣାଟକରେ ୨୦୧୩ରେ କଂଗ୍ରେସ କ୍ଷମତାକୁ ଫେରିଥିଲା। ସିଦ୍ଧରମୈୟାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା। ସେ ୨୦୧୮ ପର୍ଯ୍ୟନ୍ତ ପୂର୍ଣ୍ଣକାଳୀଳ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ୧୫ତମ ବିଧାନସଭା ନିର୍ବାଚନରେ ବିଜେପି ହାୱାରେ କଂଗ୍ରେସ ଉଡିଗଲା। ମାତ୍ର ୬ ଦିନ ପାଇଁ ବିଏସ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହେଲେ। ତପରେ ଜନତାଦଳ ସେକୁଲାରର ଏଚଡି କୁମାରସ୍ୱାମୀ ଶାସନ ଗାଦି ସମ୍ଭାଳିଲେ। କିନ୍ତୁ ୧୪ ମାସରେ କୁମାରସ୍ୱାମୀଙ୍କ ସରକାର ମଧ୍ୟ ଭାଙ୍ଗିଗଲା ଆଉ ପୁଣିଥରେ ବିଜେପି କ୍ଷମତାକୁ ଫେରିଲା। ତେବେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବା ପାଇଁ ବିଜେପି, ଜେଡିଏସ ବିଧାୟକଙ୍କୁ କିଣିଥିବା ଅଭିଯୋଗ ହୋଇଥିଲା।

ଆନ୍ଧ୍ରପ୍ରଦେଶ

ଗତ କିଛି ବର୍ଷ ମଧ୍ୟରେ କଂଗ୍ରେସ ନିଜର ଅନେକ ଯୁବ ତଥା ଲୋକପ୍ରିୟ ନେତାଙ୍କୁ ହରାଇଛି। ଟିଡିପିକୁ ହରାଇ ୨୦୦୪ରେ ଆନ୍ଧ୍ରରେ କଂଗ୍ରେସ କ୍ଷମତାକୁ ଆସିଥିଲା। ୧୨ତମ ଓ ୧୩ତମ ବିଧାନସଭା ନିର୍ବାଚନ ପରେ ୱାଇଏସ ରାଜଶେଖର ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ତାଙ୍କ ଦ୍ୱିତୀୟ ପାଳିର ୪ ମାସ ନପୁରୁଣୁ ୨୦୦୯ ସେପ୍ଟେମ୍ବରରେ ହୋଇଥିବା ଏକ ହେଲିକେପଟ୍ର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହେଲା। ରାଜଶେଖର ରେଡ୍ଡୀଙ୍କ ଉତ୍ତରାଧିକାରୀ ଜଗନମୋହନଙ୍କ ବଦଳରେ କଂଗ୍ରେସ, କୋନିଜେତି ରୋସୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲା। ଏପରି କି ଜଗନଙ୍କୁ ରାଜ୍ୟରେ ଯାତ୍ରା କରିବାକୁ ଅନୁମତି ଦିଆଯାଇନଥିଲା, ସେତେବେଳେ ସେ କଂଗ୍ରେସଠାରୁ ଅଲଗା ହୋଇ YSRC ନାମକ ଦଳ ଗଠନ କଲେ। ୨୦୧୪ରେ ତେଲେଙ୍ଗାନାଠାରୁ ଅଲଗା ହେବା ପରେ ଟିଡିପି ଆନ୍ଧ୍ରରେ ପ୍ରଥମ ସରକାର ଗଠନ କଲା। କିନ୍ତୁ ୨୦୧୯ ଆସୁ ଆସୁ ଚନ୍ଦ୍ରବାବୁ ନାଇଡୁଙ୍କ ବିକଳ୍ପ YSRC ହେଲା। ଏବେ ଜଗନମୋହନ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଅଛନ୍ତି।

ଆସାମ

ଆସାମରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ଏକ ବଡ଼ ବିଫଳତାର ସମ୍ମୁଖୀନ ହୋଇଥିଲା । ଏଠାରେ ଦଳ ତରୁଣ ଗୋଗୋଇ ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଗୋଗଇ ଓ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ବିବାଦକୁ କଂଗ୍ରେସ ସମ୍ଭାଳି ପାରିଲା ନାହିଁ ଏବଂ ରାଜ୍ୟର କ୍ଷମତା ହାତରୁ ଚାଲିଗଲା। ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଛନ୍ତି। ତରୁଣ ଗୋଗୋଇଙ୍କ ପରେ ୨୦୧୬ରେ ବିଜେପି କ୍ଷମତାକୁ ଆସିଥିଲା। ପ୍ରଥମେ ସର୍ବାନନ୍ଦ ସୋନୋୱାଲ ଓ ପରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ବିଜେପି ଆସାମର ମୁଖ୍ୟମନ୍ତ୍ରୀ କରିଛି।

ପୁଡୁଚେରୀ

୨୦୦୮ରେ କଂଗ୍ରେସର ଅକଲ ଗୁଡୁମ ହୋଇଯାଇଥିଲା। ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ରାଜସ୍ଥାନ କଂଗ୍ରେସ ଗତି କରୁଛନ୍ତି ଠିକ ସେହିପରି ପରିସ୍ଥିତି ପୁଡୁଚେରୀରେ ସୃଷ୍ଟି ହୋଇଥିଲା। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗସ୍ୱାମୀଙ୍କୁ ପଦବୀରୁ ଜବରଦସ୍ତ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ଭି ବୈଥିଲଙ୍ଗମଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତ କରିଥିଲେ। ୨୦୧୧ ମସିହାରେ ରଙ୍ଗାସ୍ୱାମୀ କଂଗ୍ରେସ ଦଳ ଛାଡି NRC ଗଠନ କରିଥିଲେ ଏବଂ ୨୦୧୧ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ସିଟ ପାଇ ପଡୁଚେରୀର ମୁଖ୍ୟମନ୍ତ୍ରୀ ହେଲେ। ୨୦୧୬ରେ କଂଗ୍ରେସ କ୍ଷମତାକୁ ଫେରିଲା କିନ୍ତୁ ୨୦୨୧ରେ ବିଜେପି ନେତୃତ୍ୱାଧିନ ଏନଡିଏରେ ମିଶି ଏନ ରଙ୍ଗସ୍ୱାମୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ବିଜେପି କରୁଛି କଣ?

କଂଗ୍ରେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସି ଖସି ଯାଉଛି। ୨୦୨୪ ପରେ ହୁଏତ ଦେଶର ସର୍ବପୂରାତନ ଦଳ ବିରଳ ହୋଇଯିବ। କୁହାଯାଉଛି ନେତୃତ୍ୱ ଦୁର୍ବଳ ଥିବାରୁ ଦଳ ତ୍ୱାରିତ ନିଷ୍ପତ୍ତି ନେଇ ପାରୁନାହିଁ। ଦଳ ଛାଡୁଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ କଂଗ୍ରେସ କୋଣଠାସା କରି ରଖୁଥିଲା ଓ ସେମାନଙ୍କୁ ଗୁରୁତ୍ୱ ମଧ୍ୟ ଦେଉନଥିଲା। ଅନ୍ୟପଟେ ବିଜେପି ଏହି ସବୁ ସମସ୍ୟାର ସମାଧାନ କରିବାରେ ମାହିର ବୋଲି ପ୍ରମାଣିତ କରିଛି। ଉତ୍ତରାଖଣ୍ଡରେ ଦଳ ଦୁଇଥର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି, ତଥାପି ବିଦ୍ରୋହର ଶବ୍ଦ ଶୁଣିବାକୁ ମିଳିନାହିଁ। ଗୁଜୁରାଟରେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସମଗ୍ର କ୍ୟାବିନେଟରେ ପରିବର୍ତ୍ତନ କରାଯାଇଛି। ଆସାମରେ ଦଳଡିଆଁଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଧ୍ୟରେ ବିବାଦ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏସବୁକୁ ବିଜେପି ନିରବତାର ସହ ଚପେଇ ଦେବାରେ ସକ୍ଷମ ହୋଇଛି। ତେବେ ଏହା କେବଳ ଦଳର ନେତୃତ୍ୱ ଓ ନେତାଙ୍କ ମଧ୍ୟରେ ଥିବା ସକରାତ୍ମକ ବୁଝାମଣା ପାଇଁ ସମ୍ଭବ ହୋଇଥିବା କୁହାଯାଉଛି। 

 

 

 

   

{}{}