Hindi News >>Home >>Odisha Politics

Odisha Election 2024: ଓଡ଼ିଶାରୁ ପୁଣି ନିର୍ବାଚିତ ହେଲେ ଅଶ୍ୱିନୀ କିନ୍ତୁ ଗଲେ କୁଆଡ଼େ?

Odisha Election 2024 Ashwini vaishnaw: ୨୦୨୪ ମସିହାରେ ରାଜ୍ୟସଭାରେ ତାଙ୍କ ସଦସ୍ୟପଦ ଶେଷ ହେବାକୁ ଯାଉଥିବା ବେଳେ ପୁଣିଥରେ ଓଡ଼ିଶାରୁ ପ୍ରାର୍ଥୀ ହୋଇଥିଲେ। ଏଥର ବି ସମାନ ଭାବେ ସେ ନିର୍ବାଚିତ ହୋଇଛନ୍ତି।   

Advertisement
Odisha Election 2024 Ashwini vaishnaw
Stop
Zee Odisha Desk|Updated: Apr 17, 2024, 05:07 PM IST

ଭୁବନେଶ୍ୱର: ବିଜେଡି ବିଧାୟକଦଳଙ୍କ ଭୋଟ ବଳରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏବେ କେଉଁଠି? କିଛିଦିନ ତଳେ ସେ ଓଡ଼ିଶା ରାଜନୀତିରେ ବେଶ୍‍ ସକ୍ରିୟ ଥିଲେ। ଏପରିକି କଟକରୁ ସେ ଲୋକସଭା ଲଢ଼ିବେ ବୋଲି ବି ଚର୍ଚ୍ଚା ହେଉଥିଲା। ସବୁଠାରୁ ବଡ଼କଥା ତାଙ୍କ ନାଁରେ ଯାହା ବେଶ୍‍ ଚର୍ଚ୍ଚିତ ଥିଲା ତାହା ହେଲା ତଥାକଥିତ ମେଣ୍ଟର ସୂତ୍ରଧର ବା କିଙ୍ଗ୍ ପିନ୍‍ ଭାବେ। ଆଜି କିନ୍ତୁ ଦଳ ଏକାକୀ ନିର୍ବାଚନ ଲଢ଼ୁଛି, ହେଲେ ବୈଷ୍ଣବକୁ ଦେଖିବାକୁ ପାଉ ନାହିଁ। ପ୍ରଶ୍ନ ହେଉଛି, ସେ  ସତରେ କ’ଣ ବିଜେପିରେ ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ?

ଅଶ୍ୱିନୀ ଜଣେ ଟେକ୍ନୋକ୍ରାଟ। ଶିକ୍ଷାରେ ଜଣା ଇଞ୍ଜିନିୟର। କିନ୍ତୁ ଭାରତୀୟ ପ୍ରଶାସନିକ ସେବାଅଧିକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ଓଡ଼ିଶାରେ କାର୍ଯ୍ୟ କରିଛନ୍ତି ଅଶ୍ୱିନୀ। କଟକରେ ଜିଲ୍ଲାପାଳ ରହିବା ସହ ବିଭିନ୍ନ ସରକାରୀ କଳ ଓ ନେତାଙ୍କ ସହ ତାଙ୍କର ବିଶେଷ ପରିଚିତି ରହିଛି। ହେଲେ ତାଙ୍କୁ ପ୍ରଶାସନିକ ସେବା ସନ୍ତୁଷ୍ଟି ଦେଇପାରି ନାହିଁ। ଏଣୁ ସେ କର୍ପୋରେଟ ଓ ପରେ ରାଜନୀତି ଆଡ଼କୁ ଢଳି ଏବେ ବିଜେପିର ଜଣେ ‘ହ୍ୱାଇଟ୍‍ କଲାର’ ନେତା। ରାଜନୀତିକୁ ଆସିଲାକ୍ଷଣି ତାଙ୍କୁ ରାଜ୍ୟସଭା ଯିବାକୁ ସୁଯୋଗ ମିଳିଛି। ଅର୍ଥାତ୍‍ ସେ କେବେ ଲୋକଙ୍କ ସଙ୍ଗେ ରହି ନାହାନ୍ତି ବା ନିର୍ବାଚନ ଲଢ଼ି ନାହାନ୍ତି। କିନ୍ତୁ ବିଜେପିର ପ୍ରଭାରୀ ଭାବେ ମଧ୍ୟ ପ୍ରଦେଶରେ କିଛିଦିନ କାର୍ଯ୍ୟ କରିଛନ୍ତି ଯାହା ଦଳକୁ ସଫଳତା ଦେଇଥିବା କୁହାଯାଏ। 

ଦଳ ପାଇଁ ସମ୍ପତ୍ତି ଥିବା ବୈଷ୍ଣବ ନିଜର ପଦ ବା କ୍ଷମତା କେବେ ଛାଡ଼ି ନାହାଁନ୍ତି। ଅନ୍ୟ ବିଜେପି ନେତାମାନେ ଯେମିତି ତୃଣମୂଳସ୍ତରରେ ପରିଶ୍ରମ କରି ଲୋକଙ୍କ ଠୋକର ଖାଇଛନ୍ତି ତାହା କେବେ ଘଟିନି ବୈଷ୍ଣବଙ୍କ ପାଖରେ। ହେଲେ ଦଳରେ ଶିଖର ହାସଲ କରିବା ତାଙ୍କର ପାରିଲାପଣିଆକୁ ଇଙ୍ଗିତ କରେ। 

ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ଅକସ୍ମାତ ଖାଲି ହୋଇଥିବା ଏକ ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ପ୍ରଥମେ ତାଙ୍କୁ ବିଜେଡି ନିଜର ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ପରେ ସେ ବିଜେପି ପ୍ରାର୍ଥୀ ହୋଇଥିଲେ ଏବଂ ବିଜୁ ଜନତା ଦଳ ତାଙ୍କୁ ସମର୍ଥନ ଦେଇଥିଲା। ବିଜେଡି ବିଧାୟକଙ୍କ ଆଶୀର୍ବାଦ ଯୋଗୁଁ ହିଁ ସେ ରାଜ୍ୟସଭା ଯାଇପାରିଥିଲେ। ଖାଲି ସେତିକି ନୁହେଁ ସେ ଦିଲ୍ଲୀରେ ମନ୍ତ୍ରୀ ବି ହୋଇଥିଲେ। ସେହିଦିନଠାରୁ ରାଜ୍ୟରେ କେନ୍ଦ୍ର ସହ ସମ୍ପର୍କ ବଢ଼ି ଚାଲିଥିଲା। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଲୋକସଭାରେ ସମର୍ଥନ ଦେଉଥିଲେ ବିଜେଡି। ଅପରପକ୍ଷେ ରାଜ୍ୟର ବିଭିନ୍ନ ନିଷ୍ପତ୍ତିକୁ ମଧ୍ୟ କେନ୍ଦ୍ରର ସମର୍ଥନ ଯଥାଶୀଘ୍ର ମିଳୁଥିଲା। ଏପରିକି ଅନ୍ୟ ବିରୋଧି ଶାସିତ ରାଜ୍ୟରେ ଅନେକ ଏଜେନ୍ସୀ ଚଢ଼ଉ ହେଉଥିବା ବେଳେ ଓଡ଼ିଶା ଏଥିରୁ ଦୂରରେ ରହିଥିଲା। 

୨୦୨୪ ମସିହାରେ ରାଜ୍ୟସଭାରେ ତାଙ୍କ ସଦସ୍ୟପଦ ଶେଷ ହେବାକୁ ଯାଉଥିବା ବେଳେ ପୁଣିଥରେ ଓଡ଼ିଶାରୁ ପ୍ରାର୍ଥୀ ହୋଇଥିଲେ। ଏଥର ବି ସମାନ ଭାବେ ସେ ନିର୍ବାଚିତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ସାଧାରଣ ନିର୍ବାଚନ ପାଇଁ ଯେତେବଳେ ରଣନୀତି ପ୍ରକ୍ରିୟା ଚାଲିଥିଲା ସେତେବଳେ ଶାସକ ଓ ବିରୋଧି ଦଳ ଭିତରେ ମେଣ୍ଟ ପାଇଁ ଯେଉଁ ସମୀକରଣ କଷା ଚାଲିଥିଲା ସେ ସେଥିରେ ମୁଖ୍ୟ ସୂତ୍ରଧର ଥିଲେ ବୋଲି କୁହାଯାଉଛି। ହେଲେ ଆଜି ମେଣ୍ଟ ନହୋଇ ପାରିବାରୁ ସେ ରାଜ୍ୟ ମାଡ଼ୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ଜାତୀୟ ଗଣମାଧ୍ୟମରେ ଯେତେବଳେ ତାଙ୍କୁ ଏବାବଦରେ ପ୍ରଶ୍ନ ପଚରାଯାଉଛି ସେ ତାହାକୁ ଏଡ଼ାଇ ଯାଉଛନ୍ତି। ‘କାମ କଥା କୁହନ୍ତୁ’ କହି ଦୂରେଇ ଯାଉଛନ୍ତି ବୈଷ୍ଣବ। 

ଏପରି ପରିସ୍ଥିତି ସୃଷ୍ଟି ହେବାର କାରଣ କ’ଣ? ଓଡ଼ିଶା  ବିଜେପି ନେତାଙ୍କୁ ଭୟ କରୁଛନ୍ତି କି ଅଶ୍ୱିନୀ ନା ନିଜକୁ ସଙ୍କୁଚିତ ମନେ କରୁଛନ୍ତି? ତାଙ୍କ ଆଗମନ ଓଡ଼ିଶାରେ ଭୋଟ୍‍ ଭାଙ୍ଗିବା ଆଶଙ୍କା କରିଛି କି?

Read More
{}{}