Hindi News >>Home >>Odisha Politics

ମୋଦିଙ୍କ ପିଚରେ କେଜ୍ରିୱାଲ କରୁଛନ୍ତି ବ୍ୟାଟିଂ! ଟଙ୍କାରେ 'ମାଁ ଲକ୍ଷ୍ମୀ-ଗଣେଶ'ଙ୍କ ଫଟୋ ଦାବି, ବିଜେପି ଓ କଂଗ୍ରେସ କହିଲେ...

ବର୍ତ୍ତମାନ ଦେଶରେ ଧର୍ମ ଓ ସାମ୍ପଦାୟିକ ରାଜନୀତି ଚାଲିଛି। ବିଶେଷ କରି ବିଜେପି  ଉପରେ ଏହି ଅଭିଯୋଗ ଲାଗୁଛି। ବିଜେପି ସବୁବେଳେ ହିନ୍ଦୁତ୍ୱର ରାଜନୀତି କରୁଥିବା କୁହାଯାଉଛି। କିନ୍ତୁ ଏହି ଧାର୍ମର ରାଜନୀତିର ରଙ୍ଗରେ ଏବେ ଅରବିନ୍ଦ କେଜ୍ରିୱାଲ ରଙ୍ଗିନ ହୋଇଛନ୍ତି। ନିର୍ବାଚନ ବେଳେ ମନ୍ଦିର ଯିବା ହେଉ କିମ୍ବା ନିଜ ମନ୍ତ୍ରୀଙ୍କ ଇସ୍ତଫା ଉପରେ ନି

Advertisement
ମୋଦିଙ୍କ ପିଚରେ କେଜ୍ରିୱାଲ କରୁଛନ୍ତି ବ୍ୟାଟିଂ! ଟଙ୍କାରେ 'ମାଁ ଲକ୍ଷ୍ମୀ-ଗଣେଶ'ଙ୍କ ଫଟୋ ଦାବି, ବିଜେପି ଓ କଂଗ୍ରେସ କହିଲେ...
Stop
Zee Odisha Desk|Updated: Oct 26, 2022, 04:15 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଧର୍ମ ଓ ସାମ୍ପଦାୟିକ ରାଜନୀତି ଚାଲିଛି। ବିଶେଷ କରି ବିଜେପି  ଉପରେ ଏହି ଅଭିଯୋଗ ଲାଗୁଛି। ବିଜେପି ସବୁବେଳେ ହିନ୍ଦୁତ୍ୱର ରାଜନୀତି କରୁଥିବା କୁହାଯାଉଛି। କିନ୍ତୁ ଏହି ଧାର୍ମର ରାଜନୀତିର ରଙ୍ଗରେ ଏବେ ଅରବିନ୍ଦ କେଜ୍ରିୱାଲ ରଙ୍ଗିନ ହୋଇଛନ୍ତି। ନିର୍ବାଚନ ବେଳେ ମନ୍ଦିର ଯିବା ହେଉ କିମ୍ବା ନିଜ ମନ୍ତ୍ରୀଙ୍କ ଇସ୍ତଫା ଉପରେ ନିରବତା, ତାଙ୍କର ହିନ୍ଦୁତ୍ୱର ରଜନୀତିକୁ ସ୍ପଷ୍ଟ କରିଛି। ଏବେ ଆହୁରି ଦୁଇ ପାଦ ଆଗକୁ ଯାଇ ସେ ଟଙ୍କାରେ ହିନ୍ଦୁ ଦେବାଦେବୀଙ୍କ ଛବିକୁ ସ୍ଥାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି। ଏପରି କି ଆସନ୍ତା ଦିନରେ ଏଥିପାଇଁ ସେ କେନ୍ଦ୍ର ସରକାରକୁ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି। ଅନ୍ୟପଟେ କେଜ୍ରିୱାଲଙ୍କ ଟଙ୍କାରେ ଭଗବାନ ବୟାନକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।

ହିମାଚଳ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହ। ଆଗକୁ ଗୁଜରାଟରେ ମଧ୍ୟ ପଡିବ ଭୋଟ। ହିମାଚଳରେ ନିରବ ଥିବା ଆମ ଆଦମୀ ପାର୍ଟି ପଞ୍ଜାବ ପରେ ଏବେ ଗୁଜରାଟ ଉପରେ ନଜର ପକାଇଛି। ତେବେ ନିର୍ବାଚନ ପୂର୍ବରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହିନ୍ଦୁତ୍ୱର  କୋଟରେ ବ୍ୟାଟିଂ କରିଛନ୍ତି। ନିଜ ସମାଜ କଲ୍ୟାଣ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲୁନଥିବା ମୁଖ୍ୟମନ୍ତ୍ରୀ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଏକ ବଡ ଦାବି କରିଛନ୍ତି। ଆପ୍ ମୁଖ୍ୟ ଏକ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଯେ, ହିନ୍ଦୁମାନେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତି। ଗଣେଶ, ବିଘ୍ନ ନାଶକ ଓ ଲକ୍ଷ୍ମୀ, ସମୃଦ୍ଧିର ପ୍ରତୀକ। ତେଣୁ ଭାରତୀୟ ମୂଦ୍ରାରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖାଯାଉ। 

Also Read: ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେଡି

 

କେଜ୍ରିୱାଲ ପୁଣି କହିଛନ୍ତି ଯେ, ନୋଟରେ ଗାନ୍ଧିଙ୍କ ଫଟୋ ଅପରିବର୍ତ୍ତୀତ ରହିବ, କିନ୍ତୁ ଅନ୍ୟ ପାର୍ଶ୍ୱରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବ। ଏହାକୁ ଏକାଥରେ ନ ବଦଳାଇ, ପ୍ରତି ମାସରେ ଯେଉଁ ନୂଆ ନୋଟ ଛପା ଯାଉଛି ସେଥିରେ ସ୍ଥାନିତ କରାଯାଉ। ଭାରତକୁ ନିଜର ଅର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଅନେକ କାମ କରିବାର ଅଛି, ତତସହିତ ଦେବୀ ଦେବତାଙ୍କ ଆଶୀର୍ବାଦର ମଧ୍ୟ ଆବଶ୍ୟକତା ରହିଛି। ମୁସଲିମ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆର ନୋଟରେ ଗଣେଶଙ୍କ ଫଟୋ ଅଛି। ସେଠାରେ ୮୫ ପ୍ରତିଶତ ମୁସଲମାନ ରହୁଥିବା ବେଳେ ମାତ୍ର ଦୁଇ ପ୍ରତିଶତ ହିନ୍ଦୁ ରୁହନ୍ତି। ତଥାପି ସେଠାକାର ସରକାର ହିନ୍ଦୁ ଦେବତାଙ୍କୁ ତାଙ୍କ ମୂଦ୍ରାରେ ସ୍ଥାନ ଦେଇଛନ୍ତି। ନୋଟରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛପା ଯିବା ନେଇ ସେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। 

କେଜ୍ରିୱାଲଙ୍କ ଏହି ବୟାନ ପରେ ବିଜେପି ଓ କଂଗ୍ରେସ ଆକ୍ଟିଭ ହୋଇଯାଇଛନ୍ତି। ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ, ଗୁଜରାଟର ଆପ୍ ମୁଖ୍ୟ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛନ୍ତି। ସେମାନେ ଭଗବାନଙ୍କୁ ନେଇ ବହୁତ କିଛି କହିଛନ୍ତି। ତଥାପି ସେମାନେ ବର୍ତ୍ତମାନ ମଧ୍ୟ ଦଳରେ ଅଛନ୍ତି। ଆପ୍ ନେତାମାନେ ରାମ ମନ୍ଦିରକୁ ବିରୋଧ କରିଥିଲେ। ଅନ୍ୟପଟେ ଆଗାମୀ ନିର୍ବାଚନକୁ ଦେଖି କେଜ୍ରିୱାଲ ଭଗବାନଙ୍କ ପଛରେ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଆପ୍ ନୂଆ ଷଡଯନ୍ତ୍ର କରୁଛି। ଏମାନେ ଦିନ୍ଦୁ ଦେବତାଙ୍କୁ ଅପମାନ କରିବେ ଆଉ ନିର୍ବାଚନ ସମୟରେ ନିଜ ରଙ୍ଗ ବଦଳାଇ ଦେବେ ବୋଲି ଦିଲ୍ଲୀର ପୂର୍ବତନ ବିଜେପି ମୁଖ୍ୟ କହିଛନ୍ତି।

ସେହିପରି କଂଗ୍ରେସ ନେତା ସଲମାନ ସୋଜ, କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ଯଦି ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରହିଲେ ଦେଶର ସମୃଦ୍ଧ ହେବ ତେବେ ସେଥିରେ ଆଲ୍ଲା, ଯୀଶୁ ଓ ଗୁରୁ ନାନକଙ୍କୁ ମଧ୍ୟ ସାମିଲ କରାଯିବା ଆବଶ୍ୟକ। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ବିଜେପି ଓ ଆରଏସଏସର ବି ଟିମ। ତାଙ୍କ ପାଖରେ କୌଣସି ବୁଦ୍ଧି ନାହିଁ। ଏହା ତାଙ୍କର ଭୋଟର ରଜନୀତି। ଯଦି ସେ ପାକିସ୍ତାନ ଗଲେ ନିଜକୁ ପାକିସ୍ତାନୀ ବୋଲି କହିବେ ଆଉ ସେଥିପାଇଁ ଭୋଟ ମଧ୍ୟ ମାଗିବେ।

ବିଜେପି ଓ କଂଗ୍ରେସର ପ୍ରତିକ୍ରିୟା ପରେ ଆପର ଚାରି ଜଣ ନେତା ପ୍ରେସ କନ୍ଫରେନ୍ସ କରି ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଛନ୍ତି। ଆପ ପ୍ରବକ୍ତା ଅତିଶି କହିଛନ୍ତି ଯେ, ବିଜେପି, ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧ କରୁ କିନ୍ତୁ ଲକ୍ଷ୍ମୀ ଓ ଗଣେଶଙ୍କୁ ନୁହଁ। ଏହା କେବଳ କେଜ୍ରିୱାଲଙ୍କ ପ୍ରସ୍ତାବ ନୁହଁ, ବରଂ ୧୩୦ କୋଟି ଦେଶବାସୀଙ୍କ ପ୍ରସ୍ତାବ। ସେହିପରି ସଞ୍ଜୟ ସିଂହଙ୍କ କହିବା ହେଲା, ମୂଦ୍ରାରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ କେଜ୍ରିୱାଲ ଦେଇଥିବା ପ୍ରସ୍ତାବକୁ ବିଜେପି ବିରୋଧ କରୁଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ, କେଜ୍ରିୱାଲଙ୍କ ଦାବିରେ ସହମତ ନା ନୁହଁ? ସେ ବିରୋଧ କରୁଛନ୍ତି, ତେବେ କାହିଁକି କରୁଛନ୍ତି? 

Also Read: ହାତ କହେ ଭାଗ୍ୟ: ନିଜ ହାତ ରେଖାରୁ ଜାଣନ୍ତୁ ଆପଣଙ୍କ ପାର୍ଟନର ସହ କେମିତି ରହିବ ସମ୍ପର୍କ

ଅନ୍ୟପଟେ ଆପ ପ୍ରବକ୍ତା ସୌରଭ ଭରଦ୍ୱାଜ କହିଛନ୍ତି, "ବିଜେପିକୁ ମାଁ ଲକ୍ଷ୍ମୀ ଓ ଗଣେଶଙ୍କ ଉପରେ ଏତେ ଘୃଣା ହୋଇଗଲାଣି ଯେ ସେମାନେ ନୋଟରେ ଦେବୀ ଦେବତାଙ୍କ ଫଟୋ ଲଗାଇବାକୁ ବିରୋଧ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ କୌଣସି ମୁସଲମାନ ନେତା ବିରୋଧ କରିନାହାନ୍ତି। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ବିଜେପିର ନେତାମାନେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପ୍ରସ୍ତାବକୁ ବିରୋଧ କରୁଛନ୍ତି। ସେମାନେ କାହିଁକି ଏହାକୁ ବୋରୋଧ କରୁଛନ୍ତି ସେ ଏହା ବିଷୟରେ ଜାଣିନାହାନ୍ତି ବୋଲି ସିସୋଦିଆ କହିଛନ୍ତି।   

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଦିଲ୍ଲୀରେ ଅଶୋକ ବିଜୟାଦଶମୀରେ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ୧୦ ଜହାର ଲୋକ ହିନ୍ଦୁ ଧର୍ମ ତ୍ୟାଗ କରି ବୌଦ୍ଧ ଧମ୍ମ ଗ୍ରହଣ କରିଥିବା ଦାବି କରାଯାଉଛି। ଏହି କାର୍ଯ୍ୟକ୍ରମର କେଜ୍ରିୱାଲଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ୨୨ ପ୍ରତିଜ୍ଞା ଦୋହରା ଯାଇଥିଲା। ଏହାକୁ ବିଜେପି, ହିନ୍ଦୁ ବିରୋଧି ବୋଲି କହିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ଘଟଣାର ସପ୍ତାହେ ନ ପୁରୁଣୁ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ପଦରୁ ଇସ୍ତଫା ଦେଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିମ୍ବା ତାଙ୍କର କୌଣସି ନେତା ରାଜେନ୍ଦ୍ର ପାଲଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ପ୍ରତିକ୍ରିୟା ରଖିନାହାନ୍ତି।

 

Read More
{}{}