Hindi News >>Home >>Odisha Politics

Odisha Politics: ଘରେ ନପଶୁଣୁ ଚାଳ ବାଜିଲାଣି, ଫେରିବନି ତ ୧୯୯୯ ପରିସ୍ଥିତି !

ଆଞ୍ଚଳିକ ଦଳ, ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେବାର କ୍ଷମତା ବିଜେଡିକୁ ୨୪ ବର୍ଷ ଶାସନରେ ରଖିଲା। ଆଜି ଲୋକେ ବଦଳାଇଛନ୍ତି କିନ୍ତୁ ସେ ଆତ୍ମ ବିଶ୍ୱାସ ବିଜେପି ଭିତରେ ଦେଖିବାକୁ ପାଉ ନାହାନ୍ତି।  ଅର୍ଥାତ୍‍ ଏହା ୧୯୯୯ ମସିହାର ରାଜନୀତି ଅସ୍ଥିତରତାକୁ ମନେ ପକାଉ ନାହିଁ କି? 

Advertisement
Odisha Politics: ଘରେ ନପଶୁଣୁ ଚାଳ ବାଜିଲାଣି, ଫେରିବନି ତ ୧୯୯୯ ପରିସ୍ଥିତି !
Stop
Prabhudatta Moharana|Updated: Jun 10, 2024, 12:29 PM IST

Odisha Politics: ଭୁବନେଶ୍ୱର: ଆରମ୍ଭରୁ ରାଜ୍ୟ ବିଜେପି ତା’ର ପ୍ରତିଶୃତିରେ ଫେଲ ମାରିଛି। ଏପରିକି ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ତାହା ବି ପାଳନ ହୋଇପାରି ନାହିଁ। ଏବେଠାରୁ ଏପରି ପରିସ୍ଥିତି ଆଗକୁ ଓଡ଼ିଶାରେ ବିଜେପି ସରକାର ପାଇଁ ୧୯୯୯ ମସିହାର ପରିସ୍ଥିତିକୁ ପୁନରାବୃତ୍ତି କରାଇବ ନାହିଁ ତ? ଏ ପ୍ରଶ୍ନରେ ହୋଇଛି ଆନ୍ଦୋଳିତ। 

ଏଥର ନିର୍ବାଚନ ଫଳାଫଳ ଆଶାତୀତ। କେହି କେବେ ଆଶା ବା ଆକଳନ କରି ନଥିଲେ ଯେ ରାଜ୍ୟରେ ବିଜେପିକୁ ବିଧାନସଭାରେ ପୂର୍ଣ୍ଣ ବହୁମତ ମିଳିବ। ପୁଣି ଲୋକସଭାରେ ବିଜେଡି ମୂଳପୋଛ ହୋଇଯିବ। କିନ୍ତୁ ଓଡ଼ିଶାର ସଚେତନ ନାଗରିକ ତଥା ଭୋଟର ଏହାକୁ ପ୍ରମାଣିତ କରିଲେ। ପରିବର୍ତ୍ତନର ବିଜୟକୁ ସାକାର କରିବା ଲାଗି ଖାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦେଲେ ନାହିଁ ବରଂ ବିଜେଡିକୁ କେନ୍ଦ୍ରରେ ନିଷ୍ପ୍ରଭ କରି ଏକ ସ୍ଥିର ସରକାର ନିଶ୍ଚିତ କରାଇଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ସ୍ୱର ମିଳାଇ ୧୦ ତାରିଖରେ ନୂଆ ସରକାରଙ୍କ ଅପେକ୍ଷା କରିଲେ। କିନ୍ତୁ ଆଜି ୧୦ ତାରିଖ ହୋଇଥିଲେ ବି ସରକାର ଗଠନରେ ବିଫଳ ହୋଇଛି ବିଜେପି। ଖାଲି ସେତିକି ନୁହେଁ, ବିଧାୟକ ଦଳର ନେତା କିଏ ହେବେ ତାହା ବି ସ୍ଥିର କରିପାରୁ ନାହିଁ ବିଜେପି। ରାଜ୍ୟର ନେତା ଅପେକ୍ଷା କରିଛନ୍ତି କେନ୍ଦ୍ରୀୟ ଦଳର ନିଷ୍ପତ୍ତି ଉପରେ। 

ଗଲା ୨୪ ବର୍ଷ ହେଲା ସରକାର ପରିଚାଳନାରେ କେନ୍ଦ୍ରର ହସ୍ତକ୍ଷେପକୁ ରାଜ୍ୟ ଦେଖି ନଥିଲା। ଯାହା ନିଷ୍ପତ୍ତି ନବୀନ ନିବାସରେ ବା ତୃତୀୟ ମହଲାରେ ହେଉଥିଲା ତାହା ଥିଲା ଫାଇନାଲ୍‍। କିନ୍ତୁ ଏବେ ପୁଣି ଯେଉଁ ପରିସ୍ଥିତି ଦେଖିବାକୁ ମିଳୁଛି ତାହା କଂଗ୍ରେସ ରାଜୁତିର ପୁନରାବୃତ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଜାତୀୟ ଦଳର ସରକାର ହେଲେ ଏପରି ହୁଏ ବୋଲି କହୁଥିଲେ ମଧ୍ୟ ଏହା ୧୯୯୯ ମସିହାର ଅସ୍ଥିରତାକୁ ବି ମନେ ପକାଇ ଦେଉଛି ବୋଲି କହୁଛନ୍ତି। ଯେଉଁ କାରଣ ଯୋଗୁ ଏପରି ସନ୍ଦେହ ସୃଷ୍ଟି ହୋଇଛି ସେଥି ଭିତରେ ରହିଛି ମୁଖ୍ୟ ମନ୍ତ୍ରୀ ପ୍ରାର୍ଥ ଚୟନରେ ବିଳମ୍ବ ଏବଂ ସରକାର ଗଠନ ତାରିଖରେ ପରିବର୍ତ୍ତନ। 

ନିର୍ବାଚନ ଫଳାଫଳ ପ୍ରକାଶର ୬ ଦିନ ବିତିଥିଲେ ମଧ୍ୟ ବିଧାୟକ ଦଳର ନେତା କିଏ ହେବେ ତଥା ରାଜ୍ୟ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରାଯାଇ ପାରୁ ନାହିଁ। କାରଣ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ଭିତରେ ଅନେକ ନବାଗତ। ଯେଉଁମାନେ ପୁରୁଖା, ଅଭିଜ୍ଞ ସେମାନଙ୍କ ଭିତରେ କିଏ ଅପରାଧରେ ଜଡ଼ିତ ତ କାହାର ପ୍ରତିଚ୍ଛବି ସ୍ୱଚ୍ଛ ନାହିଁ। ଏହା ଦୁଇଟି ଆଶଙ୍କା ଦେଉଛି। ଗୋଟିଏ ହେଲା ଦଳରେ ନେତାଙ୍କ ଅଭାବ। ଦ୍ୱିତୀୟଟି ହେଉଛି ଅତ୍ୟଧିକ କେନ୍ଦ୍ରୀୟ ହସ୍ତକ୍ଷେପ। ବିନା କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପରେ ଏଠାରେ ବିଧାୟକମାନେ ନିଜର ନେତା ମଧ୍ୟ ବାଛି ପାରୁ ନାହାନ୍ତି। ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଓଡ଼ିଶା ଗସ୍ତ ଏହାକୁ ସ୍ପଷ୍ଟ କରୁଛି।   ଏହା ସ୍ପଷ୍ଟ କରୁଛି ଯେ, କେନ୍ଦ୍ରୀୟ ନେତାଙ୍କ ଯାହା ଆଦେଶ ସେହି ଅନୁସାରେ ହିଁ ରାଜ୍ୟରେ ଶାସନ ଚାଲିବ। 

୧୯୯୯ ମସିହାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁମତରେ ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଯଦି ୨୦୦୦ ମସିହାରେ ବିଜେଡି ହରାଇଥିଲା ତାହାର କାରଣ ଥିଲା କଂଗ୍ରେସ ଭିତରେ ନେତୃତ୍ୱର କୃତ୍ରିମ ଅଭାବ ଏବଂ କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପ। 

୧୯୯୫ ମସିହା ମାର୍ଚ୍ଚ ୫ ତାରିଖରେ ତୃତୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପାଇଁ ୧୯୯୯ ବେଳକୁ ପରିସ୍ଥିତି ବିଷମ ହୋଇପଡ଼ିଥିଲା। କେନ୍ଦ୍ରୀୟ ନେତା କିଛି କଂଗ୍ରେସ ନେତାଙ୍କ ପ୍ରରୋଚନାରେ ଓଡ଼ିଶାରେ ନେତା ବଦଳାଇ ଗିରିଧର ଗମାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ କରିଲେ। ଏହା ୧୯୯୯ ମସିହା ଫେବୃୟାରୀ ୧୭ ତାରିଖର କଥାା। ସେତେବଳେ ସେ ସଂସଦରୁ ଇସ୍ତଫା ନଦେଇ ମୁଖ୍ୟମନ୍ତୟୀ ଆସନ ଅଳଂକୃତ କରିଥିଲେ। ହେଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନେତା ଚିହ୍ନିବାରେ ଅକ୍ଷମତା ସମସ୍ୟାକୁ ଜଟିଳ କରିଥିଲା। ରାଜ୍ୟରେ ମହାବାତ୍ୟା ଏହିୀ ଜଟିଳତାକୁ ଆହୁରି ଅଡ଼ୁଆ କରିଲା। ଶେଷରେ ଗିରିଧର ଅସହାୟ ବୋଧକରି ମୁଖ୍ୟମନ୍ତ୍ରୀତ୍ୱ ଆସନ ଛାଡ଼ିଲେ। ଏହା ବି ଏଆଇସିସି ବାକେନ୍ଦ୍ରୀୟ ନେତାଙ୍କ ଦ୍ୱାରା ସମ୍ପାଦନ କରାଯାଇଥିଲା। 

ନିର୍ବାଚନର କିଛିଦିନ ପୂର୍ବରୁ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଲେ। ରାଜ୍ୟର ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ବେଶ୍‍ ଖ୍ୟାତି ଅର୍ଜନ କରିଥିଲେ ବି ଲୋକଙ୍କ ଭୋଟ ଅର୍ଜନର ବିଫଳ ହେଲେ। ଫଳରେ ଶାସନ ଗ୍ରହଣ କରିଥିଲେ ବିଜେଡି। 

ଆଞ୍ଚଳିକ ଦଳ, ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେବାର କ୍ଷମତା ବିଜେଡିକୁ ୨୪ ବର୍ଷ ଶାସନରେ ରଖିଲା। ଆଜି ଲୋକେ ବଦଳାଇଛନ୍ତି କିନ୍ତୁ ସେ ଆତ୍ମ ବିଶ୍ୱାସ ବିଜେପି ଭିତରେ ଦେଖିବାକୁ ପାଉ ନାହାନ୍ତି।  ଅର୍ଥାତ୍‍ ଏହା ୧୯୯୯ ମସିହାର ରାଜନୀତି ଅସ୍ଥିତରତାକୁ ମନେ ପକାଉ ନାହିଁ କି? 

ଯଦି ବିଜେପି ଏବେ ଉଚିତ ନେତାଙ୍କୁ ବିଧାୟକ ଦଳର ନେତା ବା ମୁଖ୍ୟମନ୍ତ୍ରୀ ଭାବେ ନ ବାଛେ ତେବେ ହୁଏତ ଏହା ବିଜେପି ଲାଗି ବୁମେରାଂ ହେବ। ଆଗକୁ ପଞ୍ଚାୟତ ବା ପୌର ନିର୍ବାଚନ ଏହାର ପ୍ରଥମ ପରୀକ୍ଷା ହେବ। ପୌର ଏବଂ ପଞ୍ଚାୟତ ନିର୍ବାଚନରେ  ସଂଗଠନ ଦୁର୍ବଳ ରହିଲେ ତାହା ଆଗକୁ   ଦଳ ପାଇଁ ବିପର୍ଯ୍ୟୟ ଆଶଙ୍କା ସୃଷ୍ଟି କରିପାରେ!

{}{}