Hindi News >>Home >>Odisha Politics

Odisha Election 2024: ହିଞ୍ଜିଳି ଆସନରୁ ବିଜେଡ଼ି ଆରମ୍ଭ କଲା ବିଜୟ ଅଭିଯାନ; ବିଜୟ ଶଙ୍ଖଧ୍ବନୀ ଦେଲେ ମୁଖ୍ୟମନ୍ତ୍ରୀ

BJD Supremo Naveen Patnaik: ୨୦୨୪ ନିର୍ବାଚନ ପାଇଁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଆସନରୁ ଦଳର ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।

Advertisement
Odisha Election 2024: ହିଞ୍ଜିଳି ଆସନରୁ ବିଜେଡ଼ି ଆରମ୍ଭ କଲା ବିଜୟ ଅଭିଯାନ; ବିଜୟ ଶଙ୍ଖଧ୍ବନୀ ଦେଲେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Apr 24, 2024, 04:15 PM IST

Naveen Patnaik Election Campaign 2024: ବୁଧବାର (ଅପ୍ରେଲ ୨୪) ହିଞ୍ଜିଳି-ଶେରଗଡ ଠାରେ ବିରାଟ ଜନସଭା ସହ ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ଶେରଗଡ ବ୍ଲକ ଠାରେ ଦୁଇଟି ବିରାଟ ଜନସଭାରେ ଉଦ୍‌ବୋଧନ ଦେଇ ବିଜେଡ଼ି ସୁପ୍ରିମୋ ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। 

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ। ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ସେ କହିଥିଲେ। ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଉଭୟ ବିଧାନସଭା ସହ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ। ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହିଆସିଛି। ଜନତାଙ୍କ ଆଶୀର୍ବାଦରେ ୨୦୨୪ ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର ହେବ ଏବଂ ବିକାଶର ଯାତ୍ରାକୁ ଆହୁରି ମଜବୁତ କରିବ।

ହିଞ୍ଜିଳିବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ତାଙ୍କର ପରିବାର। ଏହି ସାଢେ ଚାରି କୋଟି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଏବଂ ଶେଷ ପର୍ଯ୍ୟନ୍ତ କରିଚାଲିବି। ସେ ପୁଣି କହିଥିଲେ ଯେ ହିଞ୍ଜିଳି-ଶେରଗଡ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି। ୫ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି ଶେରଗଡ଼ ବାସୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ଏନେଇ ସେ କହିଥିଲେ ଯେ ଓଡିଶାର ଚାଷୀ, ମିଶନ ଶକ୍ତି ମାଆ  ଜିରୋ ପରସେଣ୍ଟ ସୁଧରେ ଋଣ ପାଉଛନ୍ତି। ସଶକ୍ତ ଓଡିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ।

ଯୁବଶକ୍ତି ଉପରେ ନିଜର ଭରସା ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଯୁବ ବଜେଟ ଅସିବ। ୨୦୨୪ ବର୍ଷରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ। ଯୁବ ବଜେଟ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ। ଚଳିତ ବର୍ଷରୁ ଆସନ୍ତା ୨୦୩୪ ହେବ ଓଡିଶାର ଦଶକ ଏବଂ ଓଡିଶା ତାହାର କାମ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ। ୨୦୩୬ ବର୍ଷରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି କହିଥିଲେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ବିରୋଧି ଦଳର ରାଜନୀତି ଉପରେ ମତଦେଇ ସେ କହିଥିଲେ ଯେ ବିକାଶ ଆମର ପରିଚୟ ହୋଇଥିବା ବେଳେ, ବିରୋଧି ଦଳ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରିବା ସହ ଅପପ୍ରଚାର କରୁଛନ୍ତି। ଓଡିଶାବାସୀ ସେମାନଙ୍କ ଅସଲ ରୂପକୁ ଚିହ୍ନିଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହି ସଭାରେ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ। ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ଆପଣ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋୟୀ ପ୍ରମୁଖ ନିଜ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। 

 

 

Read More
{}{}