Hindi News >>Home >>Odisha National-International

BJD: ବିରୋଧି ମେଣ୍ଟରେ ସାମିଲ ହେବ ବିଜେଡି!

ପୁଣିଥରେ ବିଜେପି-ବିଜେଡି ମିଳିମିଶି କାମ କରିବେ। କେନ୍ଦ୍ରରେ ଯଦି ବିଜେପିର ସଂଖ୍ୟା ଅଧିକ ଆସେ ଏବଂ ସ୍ଥିର ସରକାର ହେବାର ସମ୍ଭାବନା ଆସେ ହୁଏତ ବିଜେଡି ଏକଘରକିଆ ବି ହୋଇପାରେ। କାରଣ ପୂର୍ବରୁ ବିରୋଧି ଦଳର ବରିଷ୍ଠ ନେତାମାନେ ନବୀନ ନିବାସରେ ମେଣ୍ଟ ପାଇଁ ଡେରା ପକାଇ ବିଫଳ ହୋଇଛନ୍ତି।

Advertisement
BJD: ବିରୋଧି ମେଣ୍ଟରେ ସାମିଲ ହେବ ବିଜେଡି!
Stop
Prabhudatta Moharana|Updated: May 24, 2024, 08:52 AM IST

BJD: ଭୁବନେଶ୍ୱର: ଦୀର୍ଘ ବର୍ଷ ହେଲା ରାଜନୀତିରେ ଉଭୟ କଂଗ୍ରସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବା ତଥା କେନ୍ଦ୍ରର ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇ ଆସିଥିବା ବିଜୁ ଜନତା ଦଳ ୨୦୨୪ ପରେ ନିଜର ଆଭିମୁଖ୍ୟ ବଦଳାଇବ କି? ବାରମ୍ବାର ବିଜେଡିର ନେତୃତ୍ୱ, ସଂଗଠନ, ଶାସନ, ନୀତି ବିରୁଦ୍ଧରେ କେନ୍ଦ୍ରୀୟ ନେତାଙ୍କ ଅଚାନକ ସମାଲୋଚନା ବିଜେଡିର ସମଦୂରତା ରାନୀତିକୁ ପାଣିଚିଆ କରିବ କି? ଏପରି ପ୍ରଶ୍ନ ଏବେ ରାଜନୀତିକ ମହଲରେ ଉଙ୍କି ମାରୁଛି। ଏପରିକି ବିଜେଡିର ଆଭିମୁଖ୍ୟକୁ ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଳଷାଚନା କରିବା ଦ୍ୱାରା ଏହି ଆଶଙ୍କା ସ୍ପଷ୍ଟ ହେଉଛି। 

ନିର୍ବାଚନର କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରନେତା ବୋଲି ସମ୍ବୋଧନ କରି ବିଜେପି ସହ ସହିତ ମେଣ୍ଟ କରିବା ପାଇଁ ଆଗ୍ରହୀ ଥିବା ବିଜେଡି ବିଫଳ ହୋଇଛି।  ଗତ କିଛି ରାଜନୈତିକ ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ବିଜେଡି ସହିତ ଇଣ୍ଡି ମେଣ୍ଟର ବୁଝାମଣା ଖୁବ୍‌ଶୀଘ୍ର ହୋଇପାରେ। ଏ ଦିଗରେ ବିଜେଡି ନୂଆ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଆଲୋଚନା କରିସାରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ କୋଷାଗାରର ଚାବି ତାମିଲନାଡୁକୁ ଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଗୋଟିଏ ଦିନ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‍ କେ ଷ୍ଟାଲିନ୍‍ ତାଙ୍କୁ ଟାର୍ଗେଟ କରିଛନ୍ତି । ଷ୍ଟାଲିନ୍‍ କହିଛନ୍ତି ଭୋଟ୍‍ ପଇଁ ତାମିଲମାନଙ୍କ ଭାବମୂର୍ତ୍ତିକୁ ଖରା କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି।  ପୁରୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଏହି ସରକାରଙ୍କ ହାତରେ ସୁରକ୍ଷିତ ନୁହେଁ ବୋଲି କହି ସୋମବାର ମୋଦୀ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ସହ ରତ୍ନ ଭଣ୍ଡାର ଚାବି ତାମିଲନାଡୁକୁ ଯାଇଛି ବୋଲି କହିଥିଲେ ।

ଏବେ ଷ୍ଟାଲିନ୍‍ ପ୍ରତିକ୍ରିୟା ରଖିଛନ୍ତି ଯେ ମୋଦୀ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ଶତ୍ରୁତାର ଭାବନା ସୃଷ୍ଟି କରୁଛନ୍ତି । ଜଗନ୍ନାଥଙ୍କ ପ୍ରତି ଅସୀମ ଭକ୍ତି ରଖିଥିବା ତାମିଲନାଡୁବାସୀଙ୍କ ବିରୋଧରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉତ୍ତେଜିତ କରୁଥିବା ଷ୍ଟାଲିନ୍‍ କହିଛନ୍ତି । ନିର୍ବାଚନ ପ୍ରଚାର ସଂହିତା ଉଲ୍ଲଂଘନ ନ କରି ନୀତି, କାର୍ଯ୍ୟଯୋଜନା ଓ ନିଜ ସରକାରଙ୍କ ସଫଳତା ଉପରେ ଗଠନମୂଳକ ସମାଲୋଚନା କରି ନିଜ ପ୍ରଚାରରେ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୃଣ୍ୟ ଭାଷଣ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶତ୍ରୁତା ଓ ରାଜ୍ୟମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଦେଶ ପାଇଁ ଭଲ ନୁହେଁ ।

ରାଜ୍ୟରେ ବିଜେଡି ୨୫ ବର୍ଷ ହେଲା କଂଗ୍ରେସକୁ କ୍ଷମତାଚ୍ୟୁତ କରି ଶାସନ କ୍ଷମତାରେ ଥିଲେ ହେଁ କଂଗ୍ରେସ ନେତାମାନେ ବିଜେଡିକୁ ସମାଲୋଚନା କରିବା ପରିବର୍ତ୍ତେ ବିଜେପିକୁ ସମାଲୋଚନା କରୁଛନ୍ତି । ଅମିତ ଶାହାଙ୍କର ନବୀନ ପଟ୍ଟନାୟକଙ୍କ ‘ବୟସାଧିକ' ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ସମାଲୋଚନା କରିଛନ୍ତି । ଚିଦାମ୍ବରମ୍ ତାଙ୍କ ଏକ୍ସ ଏକାଉଣ୍ଟରେ ଲେଖିଛନ୍ତି, ଯେତେବେଳେ ଅମିତ ଶାହା କହିଛନ୍ତି ଯେ ନବୀନ ପଟ୍ଟନାୟକ ବୟସ କାରଣରୁ ଅବସର ନେବା ଉଚିତ। ତାଙ୍କୁ ଏବେ ୭୭ ବର୍ଷ ବୟସ। 

ଏହି ନିୟମ ଯଦି ଊାଗୁ ହୁଏ ତେବେ ତାହା ବିପରୀତ ଭାବେ ଶାହଙ୍କୁ ଫାଇଦା ହେବେ ବୋଲି କହିଛନ୍ତି। ଯେହେତୁ ନରେନ୍ଦ୍ର ମୋଦୀଙ୍କ ଏବେ ୭୩ ବର୍ଷ, ୭ ମାସ ତେଣୁ ତାଙ୍କର ଅବସର ନେବା କଥା ସେ କହୁଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ବିଜେପି ସରକାର ଗଠନ ନ କଲେ ଅମିତ ଶାହା ସବୁଠାରୁ ଖୁସି ହେବେ ଏବଂ ମୋଦୀ ନୁହଁନ୍ତି ସେ ବିରୋଧୀ ଦଳ ନେତାଭାବେ ବସିବେ ବୋଲି ଜଣାପଡ଼ୁଛି ବୋଲି ଚିଦାମ୍ବରମ କହିଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲ୍ ବଶତଃ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଆମର ଅଭିଯୋଗକୁ ଦୃଢ଼ କରୁଛି ଯେ କ୍ଷମତାରେ ନିଶାଗ୍ରସ୍ତ ବିଜେପି ଭାରତର ଲୋକମାନଙ୍କ ସହିତ ଆମ ଭଗବାନଙ୍କୁ ମଧ୍ୟ ଛାଡିବ ନାହିଁ ।

ରାହୁଲ ଗାନ୍ଧ ଏହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ନିଜକୁ ସମ୍ରାଟ୍ ଭାବରେ ବିବେଚନା କରିବା ଆରମ୍ଭ କରନ୍ତି ଏବଂ ଦରବାରୀମାନେ ତାଙ୍କୁ ଭଗବାନ ଭାବରେ ବିଚାର କରିବା ଆରମ୍ଭ କରନ୍ତି, ସେତେବେଳେ ଏହା ସ୍ପଷ୍ଟ ଯେ ପାପର ଲଙ୍କା ପତନ ପାଖେଇ ଆସିଛି । କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେବାର ଅଧିକାର ହାତଗଣତି ଭାଜପା ଲୋକଙ୍କୁ କିଏ ଦେଲା? ଏହି ଅହଂକାର ସେମାନଙ୍କ ବିନାଶର କାରଣ ପାଲଟିବ ବୋଲି ରାହୁଲ ଗାନ୍ଧି କହିଛନ୍ତି । ରାହୁଲ ଏପ୍ରିଲ୍ ୨୮ ତାରିଖରେ ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କ ସମେତ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଥିଲେ । କିନ୍ତୁ ବଲାଙ୍ଗୀର ସଭାରେ ବିଜେଡି ଓ ଏହାର ନେତାଙ୍କ ଉପରେ କିଛି ନ କହି ନୀରବ ରହିଥିଲେ । ଆପ୍ ନେତା ଅରବିନ୍ଦ କେଜ୍‍ରିୱାଲ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ଉପରେ କହିଛନ୍ତି, ଭାଜପା ନେତାଙ୍କ ଅହଂକାରକୁ ଦର୍ଶାଉଛି । ଭାଜପାର ଏହି ବୟାନକୁ ମୁଁ ଦୃଢ଼ ନିନ୍ଦା କରୁଛି ।

 ଏଭଳି ପରିସ୍ଥିତି କେବଳ ନିର୍ବାଚନ ସମୟରେ ରହିବ ନା ସରକାର ଗଠନରେ ବି ନିରନ୍ତର ରହିବ ତାହାକୁ ନେଇ ପ୍ରଶ୍ନ। କାରଣ ରାଜନୀତିକ ବିଶେଷଜ୍ଞଙ୍କ ଅନୁସାରେ ନିର୍ବାଚନ ପରେ ସବୁ ଅଙ୍କ ବଦଳିଯିବ। ପୁଣିଥରେ ବିଜେପି-ବିଜେଡି ମିଳିମିଶି କାମ କରିବେ। କେନ୍ଦ୍ରରେ ଯଦି ବିଜେପିର ସଂଖ୍ୟା ଅଧିକ ଆସେ ଏବଂ ସ୍ଥିର ସରକାର ହେବାର ସମ୍ଭାବନା ଆସେ ହୁଏତ ବିଜେଡି ଏକଘରକିଆ ବି ହୋଇପାରେ। କାରଣ ପୂର୍ବରୁ ବିରୋଧି ଦଳର ବରିଷ୍ଠ ନେତାମାନେ ନବୀନ ନିବାସରେ ମେଣ୍ଟ ପାଇଁ ଡେରା ପକାଇ ବିଫଳ ହୋଇଛନ୍ତି।

Read More
{}{}