Hindi News >>Home >>Odisha National-International

Aksai Chin: ଅକସାଇ ଚୀନ୍‌ ଅଞ୍ଚଳରେ ରେଳ ନେଟୱାର୍କ ବଢାଉଛି ଚୀନ, ଜବାବ ଦେବା ପାଇଁ କ'ଣ କରୁଛି ଭାରତ

India China Border: ରଣନୈତିକ ଦୃଷ୍ଟିକୋଣରୁ ସୀମାରେ ଉଭୟ ଭାରତ-ଚୀନ ସେମାନଙ୍କ ରେଳ ନେଟୱାର୍କ ବିସ୍ତାର କରିବାର ଯୋଜନା କରିଛନ୍ତି।  

Advertisement
Aksai Chin: ଅକସାଇ ଚୀନ୍‌ ଅଞ୍ଚଳରେ ରେଳ ନେଟୱାର୍କ ବଢାଉଛି ଚୀନ, ଜବାବ ଦେବା ପାଇଁ କ'ଣ କରୁଛି ଭାରତ
Stop
Zee Odisha Desk|Updated: Feb 14, 2023, 10:20 PM IST

China Railway Network in Aksai Chin: ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ଉଭୟ ଭାରତ-ଚୀନ୍‌ ସୈନ୍ୟବାହିନୀ ନିୟୋଜିତ ହୋଇଛନ୍ତି। ସୀମା ସହ ଜଡ଼଼ିତ ଅନେକ ପ୍ରସଙ୍ଗକୁ ନେଇ ଏବେ ମଧ୍ୟ ଭାରତ-ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି। ହେଲେ ଏବେ ଆସିଥିବା ଏକ ଖବର ଉଭୟ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ଆଗକୁ ଆହୁରି ବଢାଇପାରେ। ସୀମା ସୁରକ୍ଷାକୁ ନେଇ ଚୀନ ପକ୍ଷରୁ ନିଆଯାଇଥିବା ଏକ ନିଷ୍ପତ୍ତି ଆଗାମୀ ଦିନରେ ଭାରତ ସତର୍କ ଘଣ୍ଟି ସଦୃଶ୍ୟ ହୋଇପାରେ। ସଦ୍ୟ ଚୀନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଏହାର ରେଳ ନେଟୱାର୍କ ପରିସରରକୁ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆଶ୍ଚର୍ଯ୍ୟର କଥା ଏହା ଯେ ଚୀନ ଯେଉଁ ଅଞ୍ଚଳରେ ଏହାର ରେଳ ନେଟୱାର୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ତାହା ମଧ୍ୟ ଅକସାଇ ଚୀନ୍ ଅଞ୍ଚଳ ରହିଛି। ଯେଉଁ ଅଞ୍ଚଳ ଭାରତ-ଚୀନ ସୀମା ଠାରୁ ବେଶ ନିକଟରେ ଅବସ୍ଥିତ। 

ଗତ ୧୯୫୦ ଦଶକ ପର ଠାରୁ ଉଭୟ ଭାରତ-ଚୀନ ଉଭୟ ଅକସାଇ ଚୀନ ଅଞ୍ଚଳର ନିଜର ଅଧିକାର ଜାହିର କରୁଛନ୍ତି। ଗତ ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ବେଳେ ଅକସାଇ ଚୀନ ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା। ହେଲେ ବର୍ତ୍ତମାନର ଘଟଣାକ୍ରମ ଉପରେ ଭାରତ ସତର୍କ ନଜର ରଖିଛି। ଚୀନ୍‌ ଦ୍ୱାରା କରାଯାଉଥିବା ଭିତ୍ତିଭୂମି ବିକାଶ ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି। କାରଣ ରେଳ ନେଟୱାର୍କ ସାହାଯ୍ୟରେ ଚୀନ୍ ଏହାର ସୈନ୍ୟବାହିନୀକୁ ସୀମାର କୌଣସି ସ୍ଥାନରେ ମୁତୟନ କରିପାରିବ। 

ଚୀନ ପକ୍ଷରୁ କରାଯିବାକୁ ଥିବା ୧୩୫୯ କିଲୋମିଟର ଲମ୍ବା ରେଳ ନେଟୱାର୍କ ନବୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ ବିକାଶ ଏବଂ ସଂସ୍କାର ଆୟୋଗ ଦ୍ୱାରା ଉନ୍ମୋଚିତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ଜିନଜିଆଙ୍ଗ-ତିବ୍ଦତ ରେଳ ନେଟୱାର୍କ ଶିଗାତ୍ସେ-ପଖୁକ୍ତ୍ସୋ ଆସନ୍ତା ୨୦୨୫ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ। ଏହି ରେଳ ନେଟୱାର୍କ ଅକସାଇ ଚୀନ ଅଞ୍ଚଳ ଦେଇ ଯିବ। ଚୀନ ରାଷ୍ଟ୍ରୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୧୪ ତମ ପଞ୍ଚବାର୍ଷିକ ଯୋଜନା (୨୦୨୧-୨୦୨୫) ୫୫ ଜିଲ୍ଲା ଏବଂ କାଉଣ୍ଟି ରେଳ ନେଟୱାର୍କ ସହିତ ସଂଯୁକ୍ତ ହେବ।

ସୀମାରେ ଚୀନ୍ ଏହାର ପାର୍ଶ୍ୱରେ ଆନୁଷଙ୍ଗୀକ କ୍ଷମତାକୁ କ୍ରମାଗତ ଭାବେ ବଢାଇବାରେ ଲାଗିଛି। ଗତ ୨୦୦୬ ଜୁଲାଇରେ କିହ୍ନାଇ-ତିବ୍ଦତ ରେଳ ଲାଇନ ଖୋଲା ଯାଇଥିଲା। ସେହିପରି ଗତ ୨୦୧୪ ବର୍ଷରେ ଲାସା-ଶିଗାତ୍ସୋ ଲାଇନ ଏବଂ ୨୦୨୧ ଜୁନରେ ଲାସା-ନ୍ୟଙ୍ଗଚି ଲାଇନ ଖୋଲା ଯାଇଥିଲା। ଏହି ରେଳମାର୍ଗ ଖୋଲିଯିବା ପରେ ବର୍ତ୍ତମାନ ମୋଟ ରେଳ ନେଟୱାର୍କ ଦୂରତା ୧୩୫୯ କିଲୋମିଟର ହୋଇଯାଇଛି। ପ୍ରାୟ ୪୩୫ କିଲୋମିଟର ଲମ୍ବା କିଲୋମିଟର ଲମ୍ବା ଲାସା-ନିଙ୍ଗଚି ଲାଇନ ଘଣ୍ଟା ପ୍ରତି ୧୬୦ କିଲୋମିଟର ଟ୍ରେନ୍ ଚଳାଇବାକୁ ସକ୍ଷମ।

ଏହାର ଜବାବରେ ଭାରତ ମଧ୍ୟ ଚୀନ୍ ସୀମା ନିକଟରେ ଏକ ରଣନୈତିକ ରେଳ ଲାଇନ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଛି। ସୀମା ଅଞ୍ଚଳରେ ଭାରତର ରେଳ ମାର୍ଗ ମାନଚିତ୍ରରେ ଚାରୋଟି ପ୍ରସ୍ତାବିତ ଲାଇନ ରହିବ। ତିନୋଟି ଲାଇନ ଉତ୍ତର-ପୂର୍ବରେ ଏବଂ ଗୋଟିଏ ଦେଶର ଉତ୍ତରରେ ରହିବ। ଯାହାର ଦୂରତା ପ୍ରାୟ ୧୩୫୨ କିଲୋମିଟର ହେବ। ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଲଦାଖ ପର୍ଯ୍ୟନ୍ତ ୪୯୮ କିଲୋମିଟର ଲମ୍ବା ଭାନୁପାଲି-ବିଲାସପୁର-ମନାଲି-ଲେହ ଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୮୩ ହଜାର ୩୬୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହି ରଣନୈତିକ ରେଳଲାଇନ ସମାପ୍ତ ହେଲେ ଚୀନ କିଙ୍ଘାଇ-ତିବ୍ଦତ ଲାଇନ ବ୍ୟତୀତ ବିଶ୍ୱର ସର୍ବୋଚ୍ଚ ରେଳ ଲାଇନ ହେବ।

ଅନ୍ୟ ୩ ପ୍ରସ୍ତାବିତ ରେଳ ଲାଇନ

  • ମିସାମାରି-ତେଙ୍ଗା-ତାୱାଙ୍ଗ ( ଦୂରତା-୩୭୮ କିଲୋମିଟର, ବ୍ୟୟ ଅଟ୍ଟକଳ ୫୪ ହଜାର ୪୭୩ କୋଟି ଟଙ୍କା)
  • ପାସିଘାଟ-ତେଜୁ-ରୂପଇ ( ଦୂରତା ୨୨୭ କିଲୋମିଟର, ବ୍ୟୟ ଅଟ୍ଟକଳ ୯୨୨୨ କୋଟି ଟଙ୍କା)
  • ଉତ୍ତର ଲଖୀମପୁର-ବାମ-ସିଲପଥର୍ (ଦୂରତା ୨୪୯ କିଲୋମିଟର, ବ୍ୟୟ ଅଟ୍ଟକଳ ୨୩ ହଜାର ୩୩୯ କୋଟି ଟଙ୍କା)

ଏନେଇ ଅଧିକାରୀଙ୍କ କହିବା ଯେ ସଶସ୍ତ୍ର ବାହିନୀର ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯାଉଥିବା ଏହି ରେଳମାର୍ଗ ଆନୁଷ୍ଠାନିକ ଭାବରେ ରଣନୈତିକ ରେଳ ଲାଇନ ଭାବରେ ନାମିତ କରାଯାଇଛି। ଏହି ବ୍ରଡ-ଗେଜ୍ ଲାଇନ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ଅତି କମରେ ଏକ ଦଶନ୍ଧି ପୁରୁଣା।

 

Read More
{}{}