Hindi News >>Home >>Odisha LifeStyle and Others

Dussehra 2023: ଆଜି ମହାସପ୍ତମୀ, ମା’ କାଳରାତ୍ରୀଙ୍କ ଉପାସନା ଦ୍ବାରା ମିଳିଥାଏ ଏହିସବୁ ଲାଭ

Dussehra 2023: ଆଜି ନବରାତ୍ରୀର ସପ୍ତମୀ ତିଥି ବା ମହାସପ୍ତମୀ । ଆଜିର ଦିନରେ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । କାଳରାତ୍ରୀଙ୍କ ପୂଜାରେ ଭୟ ଓ ରୋଗ ନାଶ ହୋଇଥାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 21, 2023, 06:46 AM IST

Navaratri Day 7: ନବରାତ୍ରୀର ସପ୍ତମ ଦିନରେ ଦେବୀ ଦୁର୍ଗାଙ୍କୁ କାଳରାତ୍ରୀ ରୂପରେ ଉପାସନା କରାଯାଏ। ଏହି ରୂପରେ ଦେବୀ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।

ଆଜି ନବରାତ୍ରୀର ସପ୍ତମୀ ତିଥି ବା ମହାସପ୍ତମୀ । ଆଜିର ଦିନରେ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । କାଳରାତ୍ରୀଙ୍କ ପୂଜାରେ ଭୟ ଓ ରୋଗ ନାଶ ହୋଇଥାଏ । ଏହାସହ ଭୂତ, ପ୍ରେତ, ଅକାଳ ମୃତ୍ୟୁ, ରୋଗ, ଶୋକ ଆଦି ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । କୃଷ୍ଣ ବର୍ଣ୍ଣା ହୋଇଥିବାରୁ ତାଙ୍କୁ ‘କାଳରାତ୍ରୀ’ ବୋଲି କୁହାଯାଏ । ଗଧ ଉପରେ ବିରାଜମାନ ଦେବୀ କାଳରାତ୍ରୀଙ୍କର ତିନୋଟି ଆଖି ଅଛି। ଖଡଗ, କଣ୍ଟା (ଲୁହା ଅସ୍ତ୍ର) ମାଆଙ୍କ ଚାରି ବାହୁରେ ସୁସଜ୍ଜିତ। ବେକରେ ଥିବା ଫୁଲମାଳ ବିଜୁଳି ପରି ଝଲସି ଉଠିଥାଏ। ତାଙ୍କର ଗୋଟିଏ ନାମ ‘ଶୁଭଙ୍କରୀ’ ଅଟେ । ଭୂତ, ପ୍ରେତ କିମ୍ବା ମନ୍ଦ ଶକ୍ତି, ଶତ୍ରୁଙ୍କ ଭୟକୁ ଦୂର କରିବା ପାଇଁ ମାଆ କାଳରାତ୍ରୀଙ୍କ ଉପାସନା ଭଲ ବୋଲି ବିବେଚନା କରାଯାଏ। ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଅନ୍ୟପଟେ, କୁହାଯାଏ ମାଆଙ୍କ ଆରାଧ୍ୟନା ଫଳରେ ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ । କାଳରାତ୍ରୀଙ୍କୁ ‘ଐଶ୍ବର୍ଯ୍ୟର ଦେବୀ’ ବୋଲି ମଧ୍ୟ କୁହାଯାଏ। ଯେଉଁମାନେ ମହାସପ୍ତମୀ ଦିନ ମା’ କାଳରାତ୍ରୀଙ୍କୁ ପୂଜା କରନ୍ତି, ସେମାନେ ଜ୍ଞାନ ସହ ସୌଭାଗ୍ୟ ଲାଭ କରିଥାନ୍ତି । 

ମା କାଳରତ୍ରୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ। ଗୋଟିଏ ତନ୍ତ-ମନ୍ତ୍ରର ଉପାସକ ଓ ଅନ୍ୟଟି ଶାସ୍ତ୍ରୀୟ ଉପାସନା ଦ୍ୱାରା। ଗୃହସ୍ଥମାନେ ଶାସ୍ତ୍ରୀୟ ପଦ୍ଧତି ଅନୁଯାୟୀ ମାତାଙ୍କୁ ପୂଜା କରିବା ଉଚିତ୍। ଦେବୀଙ୍କ ପୂଜାରେ ନୀଳ ରଙ୍ଗ ବ୍ୟବହାର କରିବା ସହ ଗୁଡ଼ ଭୋଗ କରନ୍ତୁ। ଗେଣ୍ଡୁ ଫୁଲ ଅର୍ପଣ କରି ଘିଅର ଦୀପ ଜାଳନ୍ତୁ । ଏହାପରେ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ। ପୂଜାରେ ଶୁଦ୍ଧତା ନେଇ ବିଶେଷ ଧ୍ୟାନ ଦିଅନ୍ତୁ। ଶତ୍ରୁଙ୍କଠାରୁ ମୁକ୍ତି ପାଇବା ପାଇଁ, ରାତିରେ ସ୍ନାନ କରି ନାଲି ପୋଷାକ ପିନ୍ଧି, ନର୍ବାଣ ମନ୍ତ୍ର “ଓମ୍ ଫଟ ଶତୃନ୍ ସାଘୟ ଘାତୟ ଓମ୍”କୁ ୧୦୮ ଥର ଜପ କରନ୍ତୁ। ଏହା ଶୁଭ ଫଳାଫଳ ଦେବ ବୋଲି ବିଶ୍ୱାସ କରାଯାଏ। ପରେ ଦେବୀଙ୍କ ଆରତୀ କରି ସମସ୍ତଙ୍କ ମଧ୍ୟରେ ଗୁଡ଼ ନୈବଦ୍ୟ ବାଣ୍ଟନ୍ତୁ। ମନେରଖନ୍ତୁ, କୌଣସି ଭୁଲ ଉଦ୍ଦେଶ୍ୟରେ ମା’ କାଳରାତ୍ରୀଙ୍କୁ ପୂଜା କରିବା ଉଚିତ୍ ନୁହେଁ, ନଚେତ୍ ଏହା ଅପ୍ରୀତିକର ଫଳାଫଳ ଦେଇଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

 

 

Read More
{}{}