Hindi News >>Home >>Odisha Latest News

ମଙ୍କିପକ୍ସ ନେଇ ରାଜ୍ୟ ସରକାରଙ୍କ ତତ୍ପରତା, ୩୦ରେ ହେବ ଉଚ୍ଚସ୍ତରୀୟ ବୈଠକ

Monkeypox: ଆସନ୍ତା ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଉଚ୍ଚାଧିକାରୀ ମାନେ ଯୋଗଦେବେ । 

Advertisement
ସୌ: ସୋସିଆଲ ମିଡିଆ
Stop
Bharat Bhusan Parida|Updated: Jul 26, 2022, 02:48 PM IST

ଭୁବନେଶ୍ୱର: ଦେଶର ଏକାଧିକ ରାଜ୍ୟରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସେଥିପାଇଁ ଆସନ୍ତା ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଉଚ୍ଚାଧିକାରୀ ମାନେ ଯୋଗଦେବେ । ତେବେ ସତର୍କତା, ସଚେତନତା ଓ ସଂକ୍ରମଣ ରୋକିବା ନେଇ ବୈଠକରେ ଆଲୋଚନା ହୋଇପାରେ ।

ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖାଯାଇଥିବା ନେଇ କହିଛନ୍ତି । ଏହାସହ ଯେଉଁମାନଙ୍କର ମଙ୍କିପକ୍ସ ଭଳି ଲକ୍ଷଣ ରହିଛି ସେମାନେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଗାଇଡ଼ଲାଇନ ଆସିବା ପରେ ଏବେ ହସ୍ପିଟାଲ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନବ ଦାସ ।

ଦେଶରେ ଏବେ ଦିଲ୍ଲୀ ଓ କେରଳରୁ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ପୂର୍ବରୁ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିଲ୍ଲୀରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେପଟେ କେରଳରୁ ଚିହ୍ନଟ ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିବା ନେଇ ସୂଚନା ରହିଛି । ଏପରି ପରିସ୍ଥିତିରେ ବିଭିନ୍ନ ରାଜ୍ୟକୁ ସତର୍କତା ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ବିଶ୍ୱର ପ୍ରାୟ ୭୦ରୁ ଅଧିକ ଦେଶରେ ଏବେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବିଭିନ୍ନ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଏହାସହ ମଙ୍କିପକ୍ସକୁ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଦେଶମାନେ ନିଜ ଆଡୁ ସତର୍କତା ଅବଲମ୍ୱନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସତର୍କ କରାଇଛି WHO ।

ପ୍ରଥମେ କେନ୍ଦ୍ର ଓ ପଶ୍ଚିମ ଆଫ୍ରିକୀୟ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା ବେଳେ ଏହା ଏବେ ପ୍ରାୟ ୭୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । ତେବେ ମଙ୍କିପକ୍ସ ଆହୁରି ଦ୍ରୁତ ସଂକ୍ରମଣଶୀଳ ଭାବେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ନିଜ ଆଡୁ ସମସ୍ତ ପୂର୍ବ ପ୍ରସ୍ତୁତି କରିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।

ମଙ୍କିପକ୍ସ ଭୂତାଣୁ ଜନିତ ରୋଗ ହୋଇଥିବା ବେଳେ ଏହା ବାୟୁ ବାହକ । ତେଣୁ ରୋଗ ଆକ୍ରାନ୍ତଙ୍କ ଠାରୁ ସହଜରେ ଅନ୍ୟମାନଙ୍କ ପାଖକୁ ବ୍ୟାପିପାରେ । ଦିଲ୍ଲୀ ଓ କେରଳ ଭଳି ରାଜ୍ୟରେ ଭୂତାଣୁ ଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାର ଆବଶ୍ୟକତା ରହିଛି । ଏପରିକି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଏବଂ କେରଳ ଫେରନ୍ତା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି ।

ଏହା ବି ପଢ଼ନ୍ତୁ: କମନୱେଲ୍ଥ ଗେମ୍ସରୁ ନିଜେ ଓହରି ଗଲେ ନୀରଜ ଚୋପ୍ରା, ଜାଣନ୍ତୁ କ'ଣ ରହିଛି କାରଣ

Read More
{}{}