Hindi News >>Home >>Odisha Latest News

ଛଉନୃତ୍ୟ ଜଗତରେ ଶୋକ: ବିଶିଷ୍ଟ ବଂଶୀ ବାଦକ ବାବାଜି ଦାସଙ୍କ ପରଲୋକ

Babaji Das Death: ମୟୁରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟର ବିଶିଷ୍ଟ ବଂଶୀବାଦକ ବାବାଜୀ ଦାସଙ୍କ (Babaji Das) ଶୁକ୍ରବାର ପରଲୋକ ହୋଇଯାଇଛି। ୯୪ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । 

Advertisement
ସୌ: ସୋସିଆଲ ମିଡିଆ
Stop
Durga Madhaba Pattanayak|Updated: Aug 26, 2022, 08:36 PM IST

ବାରିପଦା: ମୟୁରଭଞ୍ଜ (Mayurbhanj) ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟର ବିଶିଷ୍ଟ ବଂଶୀବାଦକ ବାବାଜୀ ଦାସଙ୍କ (Babaji Das) ଶୁକ୍ରବାର ପରଲୋକ ହୋଇଯାଇଛି। ୯୪ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ଭଳି ଜଣେ ସ୍ନେହୀ, ସରଳ, ପ୍ରତିଭାଶାଳୀ କଳାକାରଙ୍କୁ ହରାଇ ମୟୁରଭଞ୍ଜ ସମେତ ଅନ୍ୟ ଅଞ୍ଚଳର କଳାକାରମାନେ ମର୍ମାହତ ହୋଇ ପଡ଼ିଛନ୍ତି। ସେ ରାଜା ରାଜୁଡ଼ା ଅମଳରୁ ଛଉ ନୃତ୍ୟରେ ବଂଶୀ ବାଦକ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରି ଆସିଛନ୍ତି । ତାଙ୍କ ମୃତ୍ୟରେ ଛଉନୃତ୍ୟରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟିହେଲା ଏବଂ ତାଙ୍କପରି ଆଉ ବଂଶୀ ବାଦକ ମିଳିବା ଅସମ୍ଭବ ବୋଲି ଛଉ ନୃତ୍ୟ କଳାକାର ମାନେ ମତବ୍ୟକ୍ତ କରିଛନ୍ତି । ତେବେ ଆଜି ତାଙ୍କର ବାରିପଦା ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତେବେ  ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଛଉ ନୃତ୍ୟ କଳାକାର ମାନେ ଶେଷ ଦର୍ଶନ କରିଛନ୍ତି । ବାବାଜିଙ୍କ ମୃତ୍ୟୁ ପରେ ସାରା ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ବାବାଜିଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଛଉକଳାକୁ ବିଭିନ୍ନ ସ୍ଥାନରେ ପରିଚିତ କରାଇଥିବା ମୟୁରଭଞ୍ଜ ଜିଲ୍ଲାରେ ବିଶିଷ୍ଠ ବଂଶୀବାଦକ ବାବାଜୀ ଦାସ ଜିଲ୍ଲା ପ୍ରଶାସନ ଦ୍ୱାରା ଅନେକ ସମୟରେ ପୁରସ୍କୃତ ହୋଇଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଅନେକ ସ୍ଥାନରେ ସେ ଛଉନୃତ୍ୟ ଦଳ ସହ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିଲେ। ୧୯୭୦ ମସିହାରେ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ବାବାଜୀ ପ୍ରଥମେ ବଂଶୀ ବାଦକ ଭାବେ ଯୋଗ ଦେଇଥିଲେ। ଏହାର ଦୁଇବର୍ଷ ପରେ ୧୯୭୨ ମସିହାରେ ସେ ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିରକୁ ଆସିଥିଲେ ଓ ୨୦୨୨ ପର୍ଯ୍ୟନ୍ତ ଦକ୍ଷିଣ ସାହିର କଳାକାର ଭାବେ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ । ବାବାଜୀ ନୂଆ ପୁରୁଣା ଅନେକ ନୃତ୍ୟରେ ତାଙ୍କର ବଂଶୀ ବାଦନରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ବୟସ ତାଙ୍କ ଆଗରେ ହାର ମାନିଥିଲା ତଥାପି ସେ ୨୦୨୨ ର ଚୈତ୍ରପର୍ବରେ ରାତିସାରା ମଞ୍ଚ ଧାରରେ ଠିଆ ହୋଇ ବଂଶୀ ବଜାଇ ସମସ୍ତଙ୍କୁ ସେ ବିମୋହିତ କରିଥିଲେ।

ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଏହାଭିତରେ ଛଉନୃତ୍ୟ ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ  ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଛଉନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଛଉନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ବିଭିନ୍ନ ଯାତ୍ରା ଓ ମହୋତ୍ସବମାନ । ଏହା ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ଛଉନୃତ୍ୟର ପ୍ରଚଳନ ରହିଛି । ଛଉନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ଛଉନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢ଼ଗଢ଼ମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ଏହା ବି ପଢ଼ନ୍ତୁ: GN Azad Quits Congress: ତାତି ଉଠିଲା କଂଗ୍ରେସ! ଗୁଲାମ ନବୀ ଆଜାଦଙ୍କ DNA ଓ ଚରିତ୍ର ଉପରେ ଉଠାଇଲା ପ୍ରଶ୍ନ

Read More
{}{}