Hindi News >>Home >>Jajpur

ସରପଞ୍ଚରୁ ସଂସଦ; କିଛି ଏପରି ରହିଛି ସୁଲତାଙ୍କ ରାଜନୈତିକ ଯାତ୍ରା

Sulata Deo Political Career: ରବିବାର ଦିନ ବିଜୁ ଜନତା ଦଳ (BJD) ପକ୍ଷରୁ ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେଥିମଧ୍ୟରୁ ଏକ ମାତ୍ର ମହିଳା ପ୍ରାର୍ଥୀନୀ ଭାବେ ସୁଲତା ଦେଓଙ୍କ (Sulata Deo) ନାମରେ ମୋହର ଲାଗିଛି । 

Advertisement
ସୁଲତା ଦେଓ (ଫାଇଲ ଫଟୋ)
Stop
Sandipta Roy|Updated: May 29, 2022, 04:33 PM IST

ଯାଜପୁର: ଆଜି ଅର୍ଥାତ ରବିବାର ଦିନ ବିଜୁ ଜନତା ଦଳ (BJD) ପକ୍ଷରୁ ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେଥିମଧ୍ୟରୁ ଏକ ମାତ୍ର ମହିଳା ପ୍ରାର୍ଥୀନୀ ଭାବେ ସୁଲତା ଦେଓଙ୍କ (Sulata Deo) ନାମରେ ମୋହର ଲାଗିଛି । ସୁଲତା ଦେଓ ବେଶ କିଛି ବର୍ଷ ଧରି ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ବିଶେଷ କରି ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ ହେବା ପରେ ଦଳୀୟ ଭାବ ମୂର୍ତ୍ତିକୁ ରକ୍ଷା କରିବା ଦିଗରେ ବେଶ ସଫଳ ହୋଇଥିଲେ । 

ଯଦିଓ ସେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ପଂଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ୨୦୦୭ ମସିହାରେ ଜିଲାପରିଷଦ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେତେବେଳେ ଜିଲାପରିଷଦ ଅଧ୍ୟକ୍ଷା ପାଇଁ ମଧ୍ୟ ସୁଲତାଙ୍କ ନାଁ କୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ସେ ବରୀ ବିଧାନସଭା ଆସନ ପାଇଁ ମଧ୍ୟ ଅଶାୟୀ ଥିଲେ । କିନ୍ତୁ ତତ୍କାଳୀନ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Naveen Patnaik) ଅତ୍ୟନ୍ତ ଘନିଷ୍ଠ ଯୋଗୁଁ ସୁଲତାଙ୍କୁ ନିରାଶ ହେବାକୁ ପଡିଥିଲା । ଯଦିଓ ସୁଲତା ସେତେବେଳେ ତତ୍କାଳୀନ ବିଜେଡି ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଗୁଡ଼ ବୁକରେ ଥିଲେ । ତଥାପି ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଶେଷରେ ବରୀ ବିଧାନସଭା ଆସନ ଟିକେଟ ଆଶା ଛାଡି ରାଜ୍ୟ ରାଜନୀତି ଆଡକୁ ମନ ବଳାଇଥିଲେ । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିଜେଡ଼ି ପାଇଁ କାମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଜଣେ ତୃଣମୂଳ ସ୍ତରରୁ ଆସି ବିଜେଡିର ଶୃଙ୍ଖଳିତ କର୍ମୀ ଭାବେ କାମ କରି ଦଳୀୟ ନେତୃବୃନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେଥିପାଇଁ ପ୍ରଥମେ ତାଙ୍କୁ ବିଜେଡି ର ମୁଖପାତ୍ର ଭାବେ ନିଯୁକ୍ତି ଦିଆ ଯାଇଥିଲା ।

ମୁଖପାତ୍ର ଭାବେ ବିଭିନ୍ନ ଫୋରମରେ ଯୋଗ ଦେଇ ଦଳର ଭାବମୂର୍ତି ପାଇଁ ଗଠନ ମୁଳକ ଯୁକ୍ତି ଉପସ୍ଥାପନ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଥିଲେ । ଏହା ପରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ମଧ୍ୟ ସରକାର ନିଯୁକ୍ତି ଦେଇଥିଲେ । ନିକଟରେ ଅନୁଷ୍ଠିତ ବି.ଏମ.ସି. ନିର୍ବାଚନରେ ମେୟର ପଦବୀ ପାଇଁ ସେ ଅନ୍ୟତମ ଦାବିଦାର ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ଆସନ ସୁଲୋଚନା ଦାସଙ୍କୁ ଦିଆଯିବା ପରେ ମଧ୍ୟ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ । 

ରବିବାର ଦିନ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଲତାଙ୍କ ନାଁ ଘୋଷଣା ହେବାପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁଲତାଙ୍କୁ ଏଭଳି ସରପ୍ରାଇଜ ମିଳିବା ପଛରେ ସୁଲତାଙ୍କ ଶୃଙ୍ଖଳିତ ଆଚରଣ ଓ ନିରନ୍ତର ଦଳୀୟ କାର୍ଯ୍ୟରେ ସମର୍ପଣ ଭାବ ଦାୟୀ ବୋଲି ଚର୍ଚ୍ଚା ହେଉଛି । ସେ ଯାହା ବି ହେଉ ଜଣେ ସାଧାରଣ ପରିବାରରୁ ବୋହୂ ହୋଇ ସରପଞ୍ଚରୁ ସଂସଦ ପର୍ଯ୍ୟନ୍ତ ପହଂଚି ପାରିବା ମଧ୍ୟ ଏକ ଛୋଟିଆ କଥା ନୁହେଁ ।

ଏହା ବି ପଢ଼ନ୍ତୁ: BJD ଘୋଷଣା କଲା ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ଏଥିରେ ବି ୩୩% ସଂରକ୍ଷଣ

Read More
{}{}