Hindi News >>Home >>Zee Odisha

IAS Abhishek Singh:ରାଜନୀତି କରିବାକୁ ଇସ୍ତଫା ଦେଇଥିବା ଆଇଏଏସ୍ ଅଧିକାରୀଙ୍କୁ ମିଳିଲାନି ଟିକେଟ୍,କ’ଣ ପୁଣି ଚାକିରିକୁ ଫେରି ପାରିବେ?

ଉତ୍ତରପ୍ରଦେଶ କ୍ୟାଡରର ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଭିଷେକ ସିଂହଙ୍କ ଇସ୍ତଫାକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତବର୍ଷ ଅକ୍ଟୋବରରେ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। ତାଙ୍କୁ ବିଜେପିରୁ ଟିକେଟ ମିଳିପାରେ ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । 

Advertisement
SOCIAL MEDIA
Stop
Zee Odisha Desk|Updated: Mar 05, 2024, 04:17 PM IST

IAS Abhishek Singh: ଉତ୍ତରପ୍ରଦେଶ କ୍ୟାଡରର ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଭିଷେକ ସିଂହଙ୍କ ଇସ୍ତଫାକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତବର୍ଷ ଅକ୍ଟୋବରରେ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। ତାଙ୍କୁ ବିଜେପିରୁ ଟିକେଟ ମିଳିପାରେ ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ବିଜେପି ତାଙ୍କୁ ଜୌନପୁରରୁ ଟିକେଟ ଦେଇପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା, କିନ୍ତୁ କୃପା ଶଙ୍କର ସିଂହଙ୍କୁ  ଏବେ ବିଜେପି ଏଠାରୁ ପ୍ରାର୍ଥୀ କରିଛି। ଯାହାର ଅର୍ଥ ହେଉଛି ଅଭିଷେକଙ୍କ ରାଜନୀତି ଆଶା ମଉଳି ଯାଇଛି।

ଏଭଳି ସ୍ଥିତିରେ ସେ ଆଇଏଏସ୍ ଚାକିରିକୁ ପୁଣି ଫେରିପାରିବେ କି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।  ଏବେ ପ୍ରଶ୍ନ ଉଠୁଛି ଯେ ଇସ୍ତଫା ଦେବା ପରେ ଜଣେ ଆଇଏଏସ୍ ଅଧିକାରୀ  ପୁଣି ଥରେ ନିଜ ଚାକିରିକୁ ଫେରିବା  ସମ୍ଭବ କି? ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ।

ଇସ୍ତଫା ଦେବାର ନିୟମ ଓ ପ୍ରଣାଳୀ କ'ଣ?

କେନ୍ଦ୍ରୀୟ କର୍ମଚାରୀଙ୍କ ଇସ୍ତଫା ଦେବାକୁ ନେଇ ନିୟମ  ରହିଛି। ସର୍ବଭାରତୀୟ ସେବାର ନିୟମ ୫(୧) ଓ ୫(୧)(ଏ)ରେ ଇସ୍ତଫା ସମ୍ପର୍କିତ ନିୟମ ଅନୁଯାୟୀ ଯଦି କୌଣସି ଅଧିକାରୀ ଇସ୍ତଫା ଦେବାକୁ ଚାହୁଁଛନ୍ତି, ତେବେ ତାଙ୍କ ଇସ୍ତଫା ନିଃସର୍ତ୍ତ ହେବା ଉଚିତ। ଇସ୍ତଫା ଦେବାର କାରଣ କ'ଣ ତାହା ଆବେଦନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବା ଆବଶ୍ୟକ।

ଯେଉଁ ରାଜ୍ୟରେ ଜଣେ ଆଇଏଏସ୍ ଅଫିସର ଅବସ୍ଥାପିତ ଅଛନ୍ତି, ସେହି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇବାକୁ ହୋଇଥାଏ। ଉଦାହରଣ ସ୍ୱରୂପ ଅଭିଷେକ ସିଂହ ଉତ୍ତରପ୍ରଦେଶ କ୍ୟାଡରର ହୋଇଥିବାରୁ ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ।  ସେହିଭଳି ଜଣେ ଆଇପିଏସ୍ ଅଧିକାରୀ ରାଜ୍ୟର ସର୍ବୋଚ୍ଚ ପୁଲିସ ଅଧିକାରୀ ବା ଡିଜିପିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥାନ୍ତି।

ତେବେ ଇସ୍ତଫା ଗ୍ରହଣ କରାଯିବ କି ନାହିଁ ତାହା ଏହି ଦୁଇ ଅଧିକାରୀ ନିଜେ ସ୍ଥିର କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବାକୁ ପଡ଼ିବ। ରାଜ୍ୟ ସରକାର ଇସ୍ତଫା, ଭିଜିଲାନ୍ସ ସ୍ଥିତି ଏବଂ ତାଙ୍କୁ ସରକାରଙ୍କୁ କୌଣସି ପ୍ରାପ୍ୟ ଦେବାର ଅଛି କି ନାହିଁ ତାହାର ରିପୋର୍ଟ କେନ୍ଦ୍ରକୁ ପଠାଇଥାନ୍ତି। ଜଣେ ଆଇଏଏସଙ୍କ ଇସ୍ତଫାକୁ ଡିଓପିଟି ଅର୍ଥାତ୍ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁମୋଦନ କରିଥାଏ।  ଆଇପିଏସଙ୍କ ଇସ୍ତଫାକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରୁଥିବା ବେଳେ ଭାରତୀୟ ଜଙ୍ଗଲ ସେବା ବା ଆଇଏଫଏସ ଅଧିକାରୀଙ୍କ ଇସ୍ତଫାକୁ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ  ଅନୁମୋଦନ ମିଳିବା ଆବଶ୍ୟକ ।

 କ'ଣ ଇସ୍ତଫା ଦେବା ପରେ ଜଣେ ଅଧିକାରୀ ଚାକିରିକୁ ଫେରି ପାରିବେ ?

ଆଇଏଏସ୍ ଓ ଆଇପିଏସ୍ ଭଳି ସର୍ବଭାରତୀୟ ସେବା ଅଧିକାରୀ ଇସ୍ତଫା ପ୍ରତ୍ୟାହାର କରିପାରିବେ, କିନ୍ତୁ ଏଥିପାଇଁ ମଧ୍ୟ ନିୟମ ରହିଛି। ତେବେ ଏଥିପାଇଁ ସେମାନଙ୍କୁ ୯୦ ଦିନ ମଧ୍ୟରେ ଇସ୍ତଫା ପ୍ରତ୍ୟାହାର କରିବାକୁ ପଡିବ । ଏଥିପାଇଁ ସେମାନଙ୍କୁ ଲିଖିତ ଭାବେ ଆବେଦନ କରିବାକୁ ପଡ଼ିବ।

ତେବେ ଏପରି କିଛି ପରିସ୍ଥିତି ମଧ୍ୟ ରହିଛି ଯେତେବେଳେ ଇସ୍ତଫା ପ୍ରତ୍ୟାହାର କରାଯାଇପାରିବ ନାହିଁ । ସର୍ବଭାରତୀୟ ସେବା ନିୟମ ଅନୁଯାୟୀ ଯଦି କୌଣସି ଅଧିକାରୀ କୌଣସି ରାଜନୈତିକ ଦଳରେ ଯୋଗ ଦେବା ପାଇଁ କିମ୍ବା ନିର୍ବାଚନରେ ଭାଗ ନେବା ଉଦ୍ଦେଶ୍ୟରେ ଇସ୍ତଫା ଦେଇଛନ୍ତି, ତେବେ ତାଙ୍କର ଇସ୍ତଫା ପ୍ରତ୍ୟାହାର କରିବାର ଅଧିକାର ରହିବ ନାହିଁ।

ଅଭିଷେକଙ୍କ କ୍ଷେତ୍ରରେ ତାଙ୍କ ଇସ୍ତଫା ମଂଜୁର ହୋଇ ସାରିଥିବାରୁ ସେ ଆଉ ଥରେ ଚାକିରିରେ ଯୋଗ ଦେଇ ପାରିବେ ନାହିଁ।

Read More
{}{}