Hindi News >>Home >>Explainers

Year Ender 2023: ସରିଲା ସେମି ଫାଇନାଲ ମ୍ୟାଚ୍; ଏବେ ଫାଇନାଲ ମୁକାବିଲା ଉପରେ ନଜର

2023 Assembly Elections in India: ୨୦୨୩ ବର୍ଷରେ ଅନୁଷ୍ଠିତ ହୋଇଥିବା ସେମି ଫାଇନାଲ ମ୍ୟାଚ୍ ପରେ ଏବେ ୨୦୨୪ ବର୍ଷରେ ଫାଇନାଲ ମୁକାବିଲା ଉପରେ ରହିଛି ସବୁ ଦଳର ନଜର।

Advertisement
Year Ender 2023: ସରିଲା ସେମି ଫାଇନାଲ ମ୍ୟାଚ୍; ଏବେ ଫାଇନାଲ ମୁକାବିଲା ଉପରେ ନଜର
Stop
Zee Odisha Desk|Updated: Dec 25, 2023, 03:54 PM IST

Lok Sabha Election 2024: ଆଜକୁ ଆଉ ସପ୍ତାହ ପରେ ବିଦାୟ ନେଇଯିବ ବର୍ଷ ୨୦୨୩। ଆଉ ଆରମ୍ଭ ହୋଇଯିବ ନୂଆ ବର୍ଷ ୨୦୨୪। ବିଦାୟୀ ୨୦୨୩ ଦେଶ ରାଜ୍ୟନୈତିକ ଦୃଶ୍ୟପଟ୍ଟରେ ବେଶ ଗୁରୁତ୍ୱ ବହନ କରିଥିଲା। କାରଣ ୨୦୨୩ ବର୍ଷରେ ଦେଶର ୯ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ। ଯାହାକୁ ଦେଶର ଉଭୟ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳ ଲାଗି ସେମି ଫାଇନାଲ ମ୍ୟାଚ୍ ଭାବେ ବିବେଚନା କରାଯାଉଥିଲା। ବର୍ତ୍ତମାନ ନୂଆ ବର୍ଷ ୨୦୨୪ ମଧ୍ୟ ଭାଗ ଆଡ଼କୁ ହେବାକୁ ଯାଉଛି ଫାଇନାଲ ମୁକାବିଲା ଅର୍ଥାତ ଲୋକସଭା ନିର୍ବାଚନ। ଆସନ୍ତାବର୍ଷ ଦେଶରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ହେବାକୁ ଯାଉଛି।    

ଚଳିତ ବର୍ଷ ଦେଶର ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, କର୍ଣ୍ଣାଟକ, ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ପ୍ରଭୃତି ୯ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ। ଏହି ୯ ରାଜ୍ୟ ମଧ୍ୟରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଆଦି ୬ ରାଜ୍ୟରେ ସରକାର ଗଠନ କରିଛି। ସେହିପରି ଦେଶର ମୁଖ୍ୟ ବିରୋଧି ଦଳ କୁହାଯାଉଥିବା କଂଗ୍ରେସ କେବଳ କର୍ଣ୍ଣାଟକ-ତେଲେଙ୍ଗାନା ଆଦି ରାଜ୍ୟ ଦ୍ୱୟରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି। ଏକ ମାତ୍ର ରାଜ୍ୟ ମିଜୋରାମ ଠାରେ ଆଞ୍ଚଳିକ ଦଳ ସରକାର ଗଠନ କରିଛି। 

ଯଦି ୨୦୨୩ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ବିଶ୍ଲେଷଣ କରାଯାଏ ତାହେଲେ ଏହା ସ୍ପଷ୍ଟ ଯେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ବିରୋଧଙ୍କ ଆଗରେ ଭାରୀ ପଡ଼ିଛି। ଚଳିତ ବର୍ଷ ଦେଶର ଯେଉଁ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ତାହା ମଧ୍ୟରୁ ଅଧାରୁ ଅଧିକ ରାଜ୍ୟରେ ବିଜୟ ବାନା ଉଡାଇବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଦେଶର ପ୍ରମୁଖ ବିରୋଧି ଦଳ କଂଗ୍ରେସ  ଛତିଶଗଡ଼ ଏବଂ ରାଜସ୍ଥାନ ଆଦି ରାଜ୍ୟ ଦ୍ୱୟରେ ଶାସନ ଗାଦିରୁ ଗାଦିଚ୍ୟୁତ ହୋଇଛି। ଅନ୍ୟପଟେ ମଧ୍ୟ ପ୍ରଦେଶରେ ଦଳ ଗତ ଥର ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ହେଲେ ଏଥର ଦଳକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ଏହି ୩ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ ଦେଶର ପ୍ରମୁଖ ବିରୋଧି ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ନେତୃତ୍ୱ କଂଗ୍ରେସ ନେବା ଉପରେ ପ୍ରଶ୍ନ ଉଠିଛି।

କଂଗ୍ରେସ କେବଳ କର୍ଣ୍ଣାଟକ-କଂଗ୍ରେସ ଆଦି ରାଜ୍ୟ ଦ୍ୱୟରେ ଶାସନ ଗାଦି ନିଜ ଦଖଲକୁ ନେବାକୁ ସକ୍ଷମ ହୋଇଛି। ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ମିଜୋରାମ ଆଞ୍ଚଳିକ ଦଳ ଦଖଲକୁ ଚାଲିଯାଇଛି। ଚଳିତ ବର୍ଷ  ଦେଶର ୬ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇ ସାରିବା ପରେ ଏବେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ଧାରା ଜାରି ରଖିବା ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଛି। ଏପରିକି ଗତ ଜୁଲାଇ ୧୮ ତାରିଖରେ ଏନଡିଏ ମେଣ୍ଟର ଅଂଶୀଦାର ଦଳଙ୍କୁ ନେଇ ଏକ ଜାତୀୟ ସ୍ତରୀୟ ବୈଠକ କରିଥିଲେ ବିଜେପି କେନ୍ଦ୍ରୀୟ ନେତୃତ୍ୱ। ଯଦି ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳକୁ ବିଶ୍ଲେଷଣ କରାଯାଏ ତାହେଲେ ଏହା ସ୍ପଷ୍ଟ ଭାବରେ ଜଣାପଡୁଛି ବିଜେପି ପଲ୍ଲା କଂଗ୍ରେସ ତୁଳନାରେ ଭାରୀ ରହିଛି।

୨୦୨୩ ବିଧାନସଭା ନିର୍ବାଚନରେ ବାଜିମାତ କରିସାରିବା ପରେ ବିଜେପି ନଜର ଏବେ ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି। ଦେଶର ଅଧାରୁ ଅଧିକ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିଜେପି ଏକ ଅପରଜେୟ ଶକ୍ତି ଭାବେ ଉଭା ହୋଇଛି। ଅନ୍ୟପଟେ ବିରୋଧି ଦଳ କଂଗ୍ରେସ କେବଳ ୩ ରାଜ୍ୟ ମଧ୍ୟରେ ସୀମିତ ହୋଇଯାଇଛି। ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ସହ ଏକାକୀ ସରକାର ଗଠନ କରିଛି। ଅନ୍ୟପକ୍ଷରେ ବିହାର ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟ ଦ୍ୱୟରେ କ୍ଷମତାସୀନ ମେଣ୍ଟ ସରକାରରେ କଂଗ୍ରେସ ଏକ ଅଂଶୀଦାର ଦଳ ଭୂମିକାରେ ରହିଛି। ସେହିପରି ବିଜେପି ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଆଦି ବଡ଼ ବଡ଼ ରାଜ୍ୟ ସହ ଛତିଶଗଡ଼, ଉତ୍ତରାଖଣ୍ଡ, ହରିୟାଣା ଭଳି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। 

ହିନ୍ଦୀ ଭାଷା ଭାଷୀ ଉତ୍ତର ଭାରତୀୟ ରାଜ୍ୟରେ ବିଜେପି ପଲ୍ଲା ଅନ୍ୟ ଦଳ ଅପେକ୍ଷା ଭାରୀ ରହିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ଭାରତର ୨୨୬ ଲୋକସଭା ସିଟ୍ ମଧ୍ୟରୁ ହିନ୍ଦୀ ଭାଷା ରାଜ୍ୟର ୧୫୨ ଆସନ ଦଖଲ କରିଥିଲା। ଦଳ ଏଥର ଆହୁରି ଅଧିକ ଆସନ ହାତେଇବା ଲକ୍ଷ୍ୟରେ ରହିଛି। ହିନ୍ଦୀ ଭାଷୀ ରାଜ୍ୟ ମଧ୍ୟରୁ ବିହାର ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଲାଗି ଅଗ୍ନିପରୀକ୍ଷା ସଦୃଶ୍ୟ ହୋଇଛି। ଏହି ତାଲିକାରେ ଝାଡ଼ଖଣ୍ଡ ମଧ୍ୟ ସାମିଲ କରାଯାଇପାରେ। କାରଣ ଏହି ହିନ୍ଦୀ ଭାଷୀ ରାଜ୍ୟ ଦ୍ୱୟରେ ବିରୋଧି ମହାଗଠବନ୍ଧନ ସରକାର ରହିଛି। ଏହି ରାଜ୍ୟ ଦ୍ୱୟରେ ଲଢେଇ ଜୋରଦାର ହୋଇପାରେ। ଅନ୍ୟପଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୁହାଯାଉଥିବା ଉତ୍ତର ପ୍ରଦେଶରେ ବିଜେପି ନିଜର ତାକତ ବଳରେ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇବାକୁ ଯୋଜନା କରିଛି। 

ଉତ୍ତର-ପୂର୍ବ ଏବଂ ପଶ୍ଚିମ ଭାରତ ଏବେ ବିଜେପି ଦଖଲରେ ରହିଛି। ବିଜେପି ୨୦୨୨ ବିଧାନସଭା ନିର୍ବାଚନରେ ଗୁଜୁରାଟ ଗଡ଼ ବଜାୟ ରଖିବାରେ ସଫଳ ହୋଇଛି। ଅନ୍ୟପଟେ ମହାରାଷ୍ଟ୍ର ସମେତ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ସିକ୍କିମ୍, ମେଘାଳୟ,ତ୍ରିପୁରା, ମଣିପୁର ପ୍ରଭୃତି ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାର କ୍ଷମତାସୀନ ରହିଛି। ଏହି ସମସ୍ତ ରାଜ୍ୟରେ ମୁଖ୍ୟ ବିରୋଧି ଦଳ କୁହାଯାଉଥିବା କଂଗ୍ରେସ ସ୍ଥିତି ସେତେ ମାତ୍ରାରେ ମଜବୁତ ନାହିଁ। ମୋଟ ଉପରେ କହିବାକୁ ଗଲେ ଉତ୍ତର-ପୂର୍ବ ସହ ଉତ୍ତର ଏବଂ ପଶ୍ଚିମ ଭାରତ ବିଜେପି ଲାଗି ଏକ ପ୍ରକାର ଆଶ୍ୱସ୍ତି ଆଣିଦେଇଛି।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପ୍ରକୃତ ଅର୍ଥରେ ଦକ୍ଷିଣ-ପୂର୍ବ ଭାରତରେ ଲଢେଇ କରିବ। କାରଣ ଦେଶର ୫ ଦାକ୍ଷିଣାତ୍ୟ ରାଜ୍ୟ ମଧ୍ୟରୁ କଂଗ୍ରେସ ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଆଦି ୩ ରାଜ୍ୟରେ କ୍ଷମତାସୀନ ରହିଛି। ଅନ୍ୟପଟେ କେରଳରେ ବାମ ମେଣ୍ଟ ଏବଂ ଆନ୍ଧ୍ର ପ୍ରଦେଶରେ ୱାଇଏସଆର କଂଗ୍ରେସ ପାର୍ଟି ସରକାର ରହିଛି। ସେହିପରି ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାରେ ବିଜେଡ଼ି ଏବଂ ପଶ୍ଚିମବଙ୍ଗରେ ଟିଏମସି ଶାସନ ଗାଦିରେ ବସିଛି। ଦୁଇ ପୂର୍ବ ଭାରତୀୟ ରାଜ୍ୟରେ ବିଜେପି ସିଧାସଳଖ ଆଞ୍ଚଳିକ ଦଳ ସହ ଲଢେଇ କରିବ। ଦାକ୍ଷିଣାତ୍ୟ ରାଜ୍ୟ ମଧ୍ୟରୁ କେବଳ କର୍ଣ୍ଣାଟକରେ ବିଜେପି-କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଆଦି ରାଜ୍ୟର ରାଜନୀତିରେ ବିଜେପି ଉପସ୍ଥିତି ସେତେ ମଜବୁତ ନୁହେଁ। ତେଲେଙ୍ଗାନାରେ ବିଜେପି-କଂଗ୍ରେସ-ବିଆରଏସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବ। ୨୦୨୪ ଲଢେଇରେ କିଏ ମାରିବ ବାଜି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ। 

 

 

 

Read More
{}{}