Hindi News >>Home >>Explainers

Gandhi Jayanti Special: ନିଜର ଜୀବନ କାଳରେ କେତେ ଥର ଓଡ଼ିଶା ଗସ୍ତରେ ଆସିଥିଲେ ମହାତ୍ମା ଗାନ୍ଧୀ?

Mahatma Gandhi Odisha Tour History: ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ହେଲେ କ'ଣ ଆପଣ ଜାଣିଛନ୍ତି ନିଜର ଜୀବନ କାଳ ମଧ୍ୟରେ କେତେ ଥର ଓଡ଼ିଶା ଗସ୍ତରେ ଆସିଥିଲେ ଗାାନ୍ଧୀଜୀ?

Advertisement
Gandhi Jayanti Special: ନିଜର ଜୀବନ କାଳରେ କେତେ ଥର ଓଡ଼ିଶା ଗସ୍ତରେ ଆସିଥିଲେ ମହାତ୍ମା ଗାନ୍ଧୀ?
Stop
Zee Odisha Desk|Updated: Oct 02, 2023, 01:48 AM IST

Odisha Tour of Mahatma Gandhi: ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟ ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ। ମାତ୍ର ନିଜର ଜୀବନ କାଳ ମଧ୍ୟରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀ ନାମରେ ସମଗ୍ର ବିଶ୍ୱରେ ପରିଚିତ ଥିଲେ। ଅହିଂସା ଏବଂ ସତ୍ୟାଗ୍ରହର ପୂଜାରୀ ଭାବରେ ଜଣାଶୁଣା ମହାତ୍ମା ଗାନ୍ଧୀ ପରାଧିନ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ମୁଖ୍ୟ ପୁରୋଧା ରହିଥିଲେ। ତାଙ୍କୁ ଆଦରରେ ଜାତିର ପିତା ଏବଂ ବାପୁଜୀ ବୋଲି ଡକାଯାଏ।

ହେଲେ କ'ଣ ଆପଣ ଜାଣିଛନ୍ତି ନିଜର ଜୀବନ କାଳ ମଧ୍ୟରେ କେତେ ଥର ଓଡ଼ିଶା ଗସ୍ତରେ ଆସିଥିଲେ? ସର୍ବପ୍ରଥମେ ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିଲେ। ସେହିପରି ଶେଷ ଥର ପାଇଁ ମହାତ୍ମା ଗାନ୍ଧୀ ୧୯୪୬ ମସିହାରେ ଓଡ଼ିଶା ଆସିଥିଲେ। ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ମୋଟ ୮ ଥର ଓଡ଼ିଶା ଗସ୍ତ କରିଥିଲେ।

ପ୍ରଥମ ଗସ୍ତ: ୧୯୨୧
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସି କଟକ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ସର୍ବପ୍ରଥମେ ୧୯୨୧ ମସିହାରେ ଓଡ଼ିଶା ଗସ୍ତରେ ଆସିଥିଲା। ଓଡ଼ିଶା ଗସ୍ତ ଅବସରରେ କଟକ ଏବଂ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ମହାତ୍ମା ଗାନ୍ଧୀ। 

ଦ୍ୱିତୀୟ ଗସ୍ତ: ୧୯୨୫
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ ତାରିଖରେ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସି କଟକ ଠାରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ଓଡ଼ିଶା ଗସ୍ତ ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପରିଦର୍ଶନ କରି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ ମହାତ୍ମା ଗାନ୍ଧୀ।

ତୃତୀୟ ଗସ୍ତ: ୧୯୨୭
ଓଡ଼ିଆ ଭାଷାକୋଷବିଦ୍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତୃତୀୟ ଥର ପାଇଁ ୧୯୨୭ ମସିହାରେ ଓଡ଼ିଶା ଗସ୍ତରେ ଆସି କଟକ ଠାରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ପ୍ରଥମ ଓଡ଼ିଆ ଶବ୍ଦକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନ ନିଜର କଠିନ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ କରିଥିବାରୁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ  ଭୂୟସୀ ପ୍ରଶଂସା କରିଥିଲେ ମହାତ୍ମା ଗାନ୍ଧୀ। 

ଚତୁର୍ଥ ଗସ୍ତ: ୧୯୨୮
୧୯୨୮ ମସିହାରେ ଗାନ୍ଧୀଜୀ ଚତୁର୍ଥ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିଲେ ମହାତ୍ମା ଗାନ୍ଧୀ। ମାତ୍ର ସେତେବେଳକୁ ତାଙ୍କର ସହକର୍ମୀ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଦେହାନ୍ତ ହୋଇସାରିଥିଲା। ଗୋପବନ୍ଧୁଙ୍କ ନିଃସ୍ୱାର୍ଥପର ଜନସେବାକୁ ସ୍ମରଣ କରି ଉତ୍କଳ ମଣିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ବର୍ଣ୍ଣନା କରିଥିଲେ। 

ପଞ୍ଚମ ଗସ୍ତ: ୧୯୩୪
୧୯୩୪ ମସିହା ମେ ୫ ତାରିଖରେ ପଞ୍ଚମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡା ଠାରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ଝାରସୁଗୁଡ଼ା ଠାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀ ଠାରେ ପହଞ୍ଚିଥିଲେ ଗାନ୍ଧୀଜୀ। ଏହି ଗସ୍ତ ଅବସରରେ ମେ ୮ ତାରିଖରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ତାଙ୍କର ବହୁଚର୍ଚ୍ଚିତ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ।

ଷଷ୍ଠ ଗସ୍ତ-୧୯୩୪
୧୯୩୪ ମସିହା ମେ ୨୧ ତାରିଖରେ ଷଷ୍ଠ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଯାଜପୁର ବୈରୀ ଠାରେ ଆସି ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ଏହି ଗସ୍ତ ଅବସରରେ ବୈରୀ ରେଳ ଷ୍ଟେସନ ଠାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ଗାନ୍ଧୀଜୀ। କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଶ୍ରମ ଠାରେ ଅବସ୍ଥାନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ପଦଯାତ୍ରା ଶେଷରେ ରେଳଯୋଗେ ବାଲେଶ୍ବର ଦେଇ ୱାର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲେ ମହାତ୍ମା ଗାନ୍ଧୀ।

ସପ୍ତମ ଗସ୍ତ-୧୯୩୮
୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖରେ ସପ୍ତମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ପୁରୀ ଡେଲାଙ୍ଗ ସ୍ଥିତ ବେରବୋଇ ଠାରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ଏହି ଅବସରରେ କୃଷି ଏବଂ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ ଗାନ୍ଧୀଜୀ। ଏହି ଅବସରରେ ମାର୍ଚ୍ଚ ୨୬ ତାରିଖରୁ ୩୧ ପର୍ଯ୍ୟନ୍ତ ବେରବୋଇ ଟାରେ ଅବସ୍ଥାନ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଅଷ୍ଟମ ଗସ୍ତ-୧୯୪୬
୧୯୪୬ ଜାନୁଆରି ୨୦ ତାରିଖରେ ରେଳ ଯୋଗେ କଲିକତା ଠାରୁ ମାଡ୍ରାସ ଯିବା ସମୟରେ ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମହାତ୍ମା ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। 

 

 

Read More
{}{}