Hindi News >>Home >>Odisha State

ଅର୍ଥ ସାଜିଛି ବାଧକ; ଡାକ୍ତରଖାନାରେ ବନ୍ଧା ପଢ଼ିଛି ନବଜାତ ଶିଶୁ

ଶିଶୁ କେଉଁଠି ଅଛି ଏବଂ କେଉଁ ପରିସ୍ଥିତିରେ ଅଛି ତାହାର ଠିକଣା କାହାରି ପାଖରେ ନାହିଁ।

Advertisement
ଅର୍ଥ ସାଜିଛି ବାଧକ; ଡାକ୍ତରଖାନାରେ ବନ୍ଧା ପଢ଼ିଛି ନବଜାତ ଶିଶୁ
Stop
Tushar Ranjan Sahu|Updated: May 30, 2022, 09:46 PM IST

ରାୟଗଡ଼ା: ଅର୍ଥ ଆଗରେ ହଜିଯାଇଛି ମାନବିକତା। ଭଗବାନଙ୍କ ଅବତାର କୁହାଯାଉଥିବା ଡାକ୍ତର ପାଖରେ ବନ୍ଧା ପଢ଼ିଛି ନବଜାତ ଶିଶୁ। ଶିଶୁର ମୂଲ୍ୟ ୩୭,୫୦୦ ଟଙ୍କା। ଅନ୍ୟପଟେ ଶିଶୁ କେଉଁଠି ଅଛି ଏବଂ କେଉଁ ପରିସ୍ଥିତିରେ ଅଛି ତାହାର ଠିକଣା କାହାରି ପାଖରେ ନାହିଁ। ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାରୁବାଇ ପଞ୍ଚାୟତରେ ଘଟିଛି ଏଭଳି ଘଟଣା। ରାଇସିଙ୍ଗ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ଗତ ମାର୍ଚ୍ଚ ୧୭ ତାରିଖ ଦିନ କାରୁବାଇ ଗ୍ରାମର କମ୍ପାରିଗଣ୍ଡା ପାହାଡ଼ ଉପରେ ଥିବା ଏକ କୁଡ଼ିଆ ଘରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।  ପ୍ରସବ ବେଦନା ସହି ନ ପାରି ଶେଷରେ ଆଖି ବୁଜିଦେଲେ ନବଜାତ ଶିଶୁର ମାଆ ପ୍ରଭାତୀ। 

ପରବର୍ତ୍ତୀ ସମୟରେ ଏଏନଏମ, ଆଶାଦିଦି ଯାଇ ସେମାନଙ୍କ ନିକଟରେ ପହଞ୍ଚିଲେ। ଏହା ମଧ୍ୟରେ ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାନି ତଥାପି ଶିଶୁ ପୁତ୍ରର ସନ୍ଧନ ପାଉନି ବାପା ରାଇସିଙ୍ଗ। ପରିବାର ବର୍ଗ ମଧ୍ୟ ସ୍ନେହ ଶ୍ରଦ୍ଧାରେ ଲାଳନ ପାଳନ କରିବା ପାଇଁ ଚାହିଁ ବସିଛନ୍ତି। ଏପରି ସ୍ଥଳେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ପାଖରେ ୩୭ ହଜାର ୫୦୦ ଟଙ୍କାରେ ବନ୍ଧା ପଡିଛି ଶିଶୁପୁତ୍ର। ବାପା ଏବଂ ପରିବାର ଗରିବ ଆଦିବାସୀ ମଜୁରିଆ ହୋଇଥିବାରୁ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ତାଙ୍କ ପାଖରେ ସମ୍ଭବପର ନଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ।

ଗତ ମାର୍ଚ୍ଚ ମାସ ୧୭ ତାରିଖଦିନ ଶିଶୁ ପୁତ୍ର ଜନ୍ମ ହେବା ପରେ ଆଖି ବୁଜି ଦେଇଥିଲା ମାଆ। ଶିଶୁପୁତ୍ର ଅସୁସ୍ଥ ଥିବା କହି ଉପସ୍ଥିତ ଥିବା ସ୍ଥାନୀୟ ଏଏନଏମ ପ୍ରଭାତୀ ଜେନା ଶିଶୁପୁତ୍ରକୁ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିବା ପରିବର୍ତ୍ତେ ଏକ ଘରୋଇ କ୍ଲିନିକ ଠାରେ ଭର୍ତ୍ତି କରିଥିଲେ। ଏହି ମହିଳା ସ୍ୱାସ୍ଥ୍ୟ କର୍ମୀ ନେଉଛନ୍ତି ସରକାରୀ ବେତନ ଆଉ କାମ କରୁଛନ୍ତି ଘରୋଇ କ୍ଲିନିକର। ଚିକିତ୍ସା ନାମରେ ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଲାଳନ ପାଳନ କରିଥିବା ଖର୍ଚ୍ଚ ବାବଦକୁ ଏବେ ୩୭,୫୦୦ ଟଙ୍କା ଦିଅ ବୋଲି ଦାବି କରୁଛନ୍ତି ବୋଲି ଶିଶୁପୁତ୍ରର ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ଏନେଇ ଆମେ ଘରୋଇ କ୍ଲିନିକ ମୁଖ୍ୟ ଡାକ୍ତର ନବ କିଶୋର କୁଣ୍ଡୁଙ୍କୁ ପଚାରିବାରୁ ଶିଶୁ ପୁତ୍ର ଭର୍ତ୍ତି ହେବାର ୧୫-୧୭ ଦିନ ମଧ୍ୟରେ ଶିଶୁର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର କୁଣ୍ଡୁ। ଅନ୍ୟପଟେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଭାତୀ ଜେନାଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଶିଶୁ ମାସକ ପୂର୍ବରୁ ସୁସ୍ଥ ଥିବା ବେଳେ ସେ  ଆଶା, ଅଙ୍ଗନବାଡ଼ି, ସମନ୍ୱିତ ଶିଶୁ ବିକାଶ ସୁପର ଭାଇଜର ଙ୍କୁ ଶିଶୁର ଦାୟୀତ୍ୱ ଦେଇଥିବା କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ଶିଶୁର କୌଣସି ସନ୍ଧାନ ମିଳୁନଥିବା ବେଳେ ଶିଶୁ ବିକ୍ରି ହୋଇଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ର ଧରିଛି।

ଏ ସଂକ୍ରାନ୍ତରେ ଅଙ୍ଗନବାଡ଼ି କର୍ମୀ ପାର୍ବତୀ ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ସେ କହିଛନ୍ତି କି ଉକ୍ତ ଶିଶୁକୁ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଘରୋଇ ନର୍ସିଂହୋମ ଡାକ୍ତର ନବ କିଶୋର କୁଣ୍ଡୁ ଉଭୟ ମିଶି ଶିଶୁକୁ ଗାୟବ କରିଦେଇଛନ୍ତି ବୋଲି ସ୍ୱଷ୍ଟ ଭାବେ କହିବା ସହ ଶିଶୁକୁ ବିକ୍ରି କରିଦେଇ ମୃତ୍ୟୁର ଆଖ୍ୟା ଦେଉଛନ୍ତି। ଯଦି ଶିଶୁର ମୃତ୍ୟୁ ହୋଇଥିଲା ତାହେଲେ ଶିଶୁର ମୃତଦେହ କୁଆଡେ ଗଲା ବୋଲି ଅଙ୍ଗନବାଡ଼ି କର୍ମୀ ପ୍ରଶ୍ନ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସମସ୍ତ ପ୍ରତିକ୍ରିୟା ଭିନ୍ନ ଭିନ୍ନ ରହିଥିବାରୁ ଏବେ ଏହି ଶିଶୁ ଜୀବିତ ଅଛି ନା ତାହାର ମୃତ୍ୟୁ ହୋଇଛି ନା ତାକୁ ବିକ୍ରି କରାଯାଇଛି, ତାହା ଏବେ ସନ୍ଦେହ ଘେରରେ ରହିଛି। ସ୍ଥାନୀୟ ପ୍ରଶାସନ ଅଥବା ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। 

Read More
{}{}