Hindi News >>Home >>Odisha State

କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ

ସରୁନି ବିସ୍ଥାପିତଙ୍କ ଦୁଃଖ, ପ୍ରକଳ୍ପ ନିର୍ମାଣ ପାଇଁ ସେମାନଙ୍କ ଘର ଗଲା, ଜମିବାଡ଼ି ଗଲା,ସବୁ କିଛି ଚାଲିଗଲା।ଆଖିର ଲୁହ, ମନର କୋହକୁ ଛାତି ଭିତରେ ଚାପି ରଖି ସେମାନେ ଭିଟାମାଟି ଛାଡିଲେ।

Advertisement
କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ
Stop
Zee Odisha Desk|Updated: Oct 20, 2022, 06:32 PM IST

ନୂଆପଡ଼ା (ରୁଦ୍ରରାଜ ବାଗ): ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ, ସେଥିପାଇଁ ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଦାବି ପୁରଣ କରୁନାହିଁ। ଏନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ ବିରାଟ ରେଲି ସହ ନିମ୍ନ ଇନ୍ଦ୍ରା ଜଳସେଚନ ପ୍ରକଳ୍ପ ଖଡ଼ିଆଳକୁ ଘେରାଓ କରାଯିବା ସହ ଧାରଣା ଦିଆଯାଇଛି।

ନୂଆପଡା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ହେଉଛି ଇନ୍ଦ୍ରା ଲୋୟର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଏକୋଇଶ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣି ୩ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ଏହି ପ୍ରକଳ୍ପରୁ ନୂଆପଡା ଜିଲ୍ଲା ଖଡ଼ିଆଳ ଓ ବୋଡେ଼ନ ବ୍ଲକର ତେର ହଜାର ପାଞ୍ଚ ଶହ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୬ ହଜାର ଚାରିଶହ ହେକ୍ଟର ଜମି ଜଳସେଚିତ ହେଉଛି।

୨ ହଜାର ମସିହାରେ ଏହି ଡ୍ୟାମ ନିର୍ମାଣ ଆରମ୍ଭ ହୋଇଥିଲା ଓ ଦୁଇ ହଜାର ଅଠର ମସିହାରେ କାର୍ଯ୍ୟକ୍ଷମ ହୋଇ ପାରିଥିଲା। ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ତିରିଶଟି ଗାଁ କୁ ବୁଡି ଅଞ୍ଚଳ ଭାବରେ ଘୋଷଣା ହୋଇଥିଲା । ଦଶଟି ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ହୋଇଥିବା ବେଳେ କୋଡିଏ ଗାଁ ଆଂଶିକ ବୁଡି ଅଞ୍ଚଳ ଭାବରେ ଘୋଷିତ ହୋଇଥିଲା। କିନ୍ତୁ ଏଯାଏ ବିସ୍ଥାପିତଙ୍କ ଅନେକ ଦାବି ପୂରଣ ହୋଇ ନାହିଁ, ତେଣୁ ପାଞ୍ଚ ଗ୍ରାମ ପଞ୍ଚାୟତ ଯଥା କୋମନା, ଆଗ୍ରେନ, ପେଣ୍ଡରା ବନ୍ଧ, କୋନାବିରାଓ ରଜନା ର ଶହ ଶହ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଖଡ଼ିଆଳ ଠାରେ ବିରାଟ ପଟୁଆରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ପରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଓ କରି ଗଣ ଧାରଣା ଦେଇଛନ୍ତି।

ସରୁନି ବିସ୍ଥାପିତଙ୍କ ଦୁଃଖ, ପ୍ରକଳ୍ପ ନିର୍ମାଣ ପାଇଁ ସେମାନଙ୍କ ଘର ଗଲା, ଜମିବାଡ଼ି ଗଲା,ସବୁ କିଛି ଚାଲିଗଲା।ଆଖିର ଲୁହ, ମନର କୋହକୁ ଛାତି ଭିତରେ ଚାପି ରଖି ସେମାନେ ଭିଟାମାଟି ଛାଡିଲେ।ଯେଉଁମାନେ ଛାଡିଲେ ନାହିଁ ସେମାନଙ୍କୁ ଜୋର ଜବରଦସ୍ତ ଗ୍ରାମରୁ ବାହାର କରାଗଲା କିନ୍ତୁ ହରାଇଥିବା ଜମିର ଉପଯୁକ୍ତ କ୍ଷତିପୂରଣ ପାଇଲେ ନାହିଁ ସେମାନେ।ସରକାର ସେମାନଙ୍କ ଜମି ପାଇଁ ଶାଗ ମାଛ ଦରରେ କ୍ଷତିପୂରଣ ଦେଇଥିଲା।ଏତେ କମ ସହାୟତାରେ ସେମାନେ ବଞ୍ଚିବେ କେମିତି?

ଏନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ ଏଗାର ଦଫାର ଦାବିପତ୍ର ପ୍ରଦାନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇ ଅତି ଶୀଘ୍ର ଏସବୁ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି। ପେଣ୍ଡରାବନ ଗ୍ରାମକୁ ବୁଡି ଅଞ୍ଚଳ ଘୋଷଣା,ବିସ୍ଥାପିତ ପରିବାରଙ୍କ ଯୋଗ୍ୟ ପୁଅଝିଅଙ୍କୁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରକଳ୍ପ ନିର୍ମାଣ ସମୟରେ ଅନୁପସ୍ଥିତ ଥିବା ପରିବାରଙ୍କ ଜମି ଅଧିଗ୍ରହଣ କରି ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ,ସମସ୍ତ ବିସ୍ଥାପିତ ପରିବାରଙ୍କୁ ଅତିଶୀଘ୍ର ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ପ୍ରଦାନ,ପ୍ରକଳ୍ପ କାର୍ଯ୍ୟାଳୟ ରେ କିଛି ଅଫିସର ଏକଛତ୍ରବାଦ ଚଲାଇ ଲୋକଙ୍କ ଦୁଃଖ ବୁଝୁ ନାହାନ୍ତି ସେସବୁ ବନ୍ଦ କରାଯାଉ ଆଦି ଦାବିପତ୍ରରେ ଉଲ୍ଲେଖ ରହିଅଛି। ସେମାନଙ୍କ ଦାବିପତ୍ର ସରକାରଙ୍କୁ ପ୍ରେରଣ କରାଯିବ ଓ ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି।

ବିସ୍ଥାପିତଙ୍କ ଆନ୍ଦୋଳନ ଏବର ନୁହଁ ଦୀର୍ଘ ଦିନର । ତିଖାଲି ଡ୍ୟାମ ଆରମ୍ଭ ସମୟରୁ ପ୍ରତିବର୍ଷ ସେମାନେ ଆନ୍ଦୋଳନ କରୁଛନ୍ତି।ପ୍ରଶାସନ ଯାହା ସହଯୋଗ କରୁଛି ସେଥିରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ।ଆଜିର ଆନ୍ଦୋଳନ ପରେ କେମିତି ସହଯୋଗର ହାତ ବଢ଼ାଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।

Read More
{}{}