Hindi News >>Home >>Odisha State

Khordha: କ୍ୟାବିନ ସହର ପାଲଟିଛି ଖୋର୍ଦ୍ଧା, ଥଇଥାନ ପଛରେ ବିରାଟ ରାଜନୀତି

Khordha Town: ଅନେକ ବର୍ଷ ବିତିଯାଇଥିଲେ କ୍ୟାବିନ ବ୍ୟବସାୟୀଙ୍କ ଥଇଥାନ ହୋଇପାରିନାହିଁ। ଯାହା ଖୋର୍ଦ୍ଧା ସହରର ବିକାଶରେ ବାଧକ ସାଜିଛି।  

Advertisement
Khordha: କ୍ୟାବିନ ସହର ପାଲଟିଛି ଖୋର୍ଦ୍ଧା, ଥଇଥାନ ପଛରେ ବିରାଟ ରାଜନୀତି
Stop
Surya Narayana Mohanty|Updated: Apr 28, 2023, 05:49 PM IST

Cabin City Khordha: ଖୋର୍ଦ୍ଧା, ରାଜ୍ୟର ଏକମାତ୍ର ସହର ଯାହା କ୍ୟାବିନ ସହର ଭାବରେ ପରିଚିତ। ଖୋର୍ଦ୍ଧା ସହରରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସହ ଟ୍ରାଫିକ ସମସ୍ୟା ମଧ୍ୟ ବଢିଚାଲିଛି। ଏହାର ପ୍ରମୁଖ କାରଣ ହେଉଛି କ୍ୟାବିନ, ରାସ୍ତାକଡର ଉଠାଦୋକାନୀ ଏବଂ ଅବରୋଧ ଡ୍ରେନେଜ। ଯାହା ସହରର ବିକାଶରେ ସାଜିଛି ବାଧକ। କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ନେଇ ଚାଲିଛି ରାଜନୀତି। ଦୀର୍ଘ ବର୍ଷ ଧରି ସେମାନଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ରାଜନେତା। ନିର୍ବାଚନ ସରିବା ପରେ ପ୍ରତିଶୃତି ଏବଂ ବୈଠକରେ ସୀମିତ ରହିଯାଉଛି କ୍ୟାବିନ ପ୍ରସଙ୍ଗ। 

କ୍ୟାବିନ ବ୍ୟବସାୟୀଙ୍କୁ ନେଇ ରାଜନେତାଙ୍କ ତୁ ତୁ ମେଁ ମେଁ ମଧ୍ୟରେ ଫାଇଦା ନେବା ଲାଗି ଅନେକ କୁଜି ନେତା ତଥା ସାମାଜିକ ଅନୁଷ୍ଠାନ ଆଗେଇ ଆସିଛନ୍ତି। ବ୍ୟବସାୟୀଙ୍କ ପ୍ରତି ରହିଥିବା ଦରଦୀ ହୃଦୟର ବୁକୁଫଟା ଚିତ୍କାର କରୁଥିବା କେତେକ ନେତା, ସାମାଜିକ କର୍ମକର୍ତ୍ତା ଏବେ ସାମ୍ନାକୁ ଆସିଛନ୍ତି। ବ୍ୟବସାୟୀଙ୍କୁ ଥଇଥାନ ନେଇ ଶାସକ ଦଳର ଦୁଇ ପ୍ରମୁଖ ନେତାଙ୍କ ଆନ୍ତରିକତା ନଥିବା ବେଳେ ଗୋଳିଆ ପାଣିରୁ ଫାଇଦା ନେବା ଲାଗି ଚାଲିଛି ଛକାପଞ୍ଝା। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ନେଇ ଚାଲିଥିବା ସମସ୍ୟା ଅନ୍ତ ଘଟୁନଥିବା ବେଳେ ଏବେ ହଠାତ୍ ପରିବା ବ୍ୟବସାୟୀଙ୍କୁ ଥଇଥାନ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି। ଏ

ହି ପରିବା ବ୍ୟବସାୟୀଙ୍କ ମଧ୍ୟରେ ଅନେକ କ୍ୟାବିନ ବ୍ୟବସାୟୀ ମଧ୍ୟ ରହିଛନ୍ତି। ପୂର୍ବରୁ ହାବେଳି ପଡିଆରେ କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ନେଇ ହୋଇଥିଲା ଯୋଜନ । ଏବେ ସହରରେ କୌଣସି ଏକ ବଡ କାର୍ଯ୍ୟକ୍ରମ, ମହୋତ୍ସବ ଆୟୋଜନ ଲାଗି ସେଭଳି କୌଣସି ପଡ଼ିଆ ନାର୍ହି। ଅନ୍ୟପଟେ ଏହି ପଡିଆରେ ବିସ୍ତୀର୍ଣ୍ଣ ଖୋଲାସ୍ଥାନ ମଧ୍ୟ ରହିଛି। ଏଠାରେ ଜିଲା ପ୍ରଶାସନ ସମେତ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟରେ ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ସେପଟେ କ୍ୟାବିନ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ପାଚେରୀ ପଡିଥିବା ସ୍ଥାନ ବିଡିଏ, ଭୁବନେଶ୍ୱର ଅଧିନରେ ରହିଛି। ଏହାକୁ ଆଳ ଦେଖାଇ ସେଠାରେ କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରଶାସନ ପକ୍ଷରୁ ଆନ୍ତରିକତା ଦେଖାଉନଥିବା ବେଳେ ଶାସକ ଦଳର ଦୁଇ ବିଧାୟକ ମଧ୍ୟରେ ଏଥିପ୍ରତି ପଛାଘୁଞ୍ଚା ଦେଉଥିବାର ଦେଖିବାକୁ ମିଳିଛି। 

ସେପଟେ କ୍ୟାବିନ ବ୍ୟବସାୟୀଙ୍କ ପକ୍ଷରୁ ହାଇକୋର୍ଟରେ କେଶ ମଧ୍ୟ ଚାଲିଛି। ତେବେ ନିକଟରେ ପୌର, ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ପନିପରିବା ଏବଂ ଫଳ ଦୋକାନୀଙ୍କୁ ଥଇଥାନ ନେଇ ଆଲୋଚନା ହୋଇଥିବା ବେଳେ କ୍ୟାବିନ ପ୍ରସଙ୍ଗ ଉଠିନଥିଲା। ହେଲେ କ୍ୟାବିନ ବିବାଦ ତୁଟି ନଥିବା ବେଳେ ପରିବା ବ୍ୟବସାୟୀଙ୍କୁ ଥଇଥାନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କ୍ୟାବିନ ବିବାଦରେ କୌଣସି ପ୍ରଶାସନିକ ଅଧିକାରୀ ମୁଣ୍ଡ ପୁରାଇବାକୁ ଚାହୁଁନଥିବା ବେଳେ ଶାସକ ଦଳର ଦୁଇ ବିଧାୟକ ମଧ୍ୟ ଏ ଦିଗରେ ନୀରବଦ୍ରଷ୍ଟା ସାଜିଛନ୍ତି। ସେପଟେ ଖୋର୍ଦ୍ଧା ପୌର ପ୍ରଶାସନ ମଧ୍ୟ ନୀରବ ରହିଛି।

ହେଲେ ମାରୱାଡି ପଟି, ପୁରୁଣା ବସଷ୍ଟାଣ୍ଡ, ସମବାୟ ଛକ ଠାରୁ ଏସବିଆଇ ଛକ ପର୍ଯ୍ୟନ୍ତ ପ୍ରାୟ ୫୪୦ କ୍ୟାବିନ ରହିଛି। ଖୋର୍ଦ୍ଧା ସମେତ ଆଖପାଖ ଗ୍ରାମର ଲୋକେ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବ୍ୟବସାୟ କରି ଆସୁଛନ୍ତି। ସହର ସୌନ୍ଦର୍ଯ୍ୟକରଣରେ କ୍ୟାବିନ, ରାସ୍ତା ଏବଂ ଡ୍ରେନ ଅବରୋଧ ବାଧକ ସାଜିଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଧିକାଂଶ କ୍ୟାବିନ ଡ୍ରେନ ଉପରେ ରହିଛି। ଡ୍ରେନକୁ ଅବରୋଧ ମୁକ୍ତ କରିବାକୁ ହେଲେ ଏହା ଉପରେ ରହିଥିବା କ୍ୟାବିନ ହଟାଇବାକୁ ପଡ଼ିବ। ଅନ୍ୟପଟେ ରାସ୍ତା ଉପରେ ଦୋକାନ ବଜାର ଗଢି ଉଠିଥିବାରୁ ଦୈନିକ ସଉଦାପତ୍ର କିଣିବା ଲାଗି ଆସୁଥିବା ଲୋକେ ଆଣୁଥିବା ଯାନବାହନ ରାସ୍ତା ଉପରେ ପାକିଂ କରୁଛନ୍ତି। ଫଳରେ ପୁରୁଣା ବସଷ୍ଟାଣ୍ଡ ଠାରୁ ଗୋଡି ପୋଖରୀ ଛକ ଏବଂ ଟ୍ରାଫିକ ଛକ ଠାରୁ ନୂଆ ବସଷ୍ଟାଣ୍ଡ ପଯ୍ୟନ୍ତ ଦୈନିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ଗତ ୨୦୦୩ ମସିହାରେ କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ଲାଗି ଜିଲା ପ୍ରଶାସନ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ହାବେଳି ପଡିଆ ଠାରେ କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏନେଇ ପ୍ରତି ବ୍ୟବସାୟୀଙ୍କ ଠାରୁ ମୁଣ୍ଡପିଛା ୩ ହଜାର ଟଙ୍କା ସାଲାମି ସଂଗ୍ରହ କରାଯାଇଥିଲା। ପ୍ରାୟ ୧୫ଲକ୍ଷ ଟଙ୍କା ପୌର ପ୍ରଶାସନ ପକ୍ଷରୁ ସଂଗୃହୀତ ହୋଇଥିଲା। ଆଦାୟ ଅର୍ଥରେ ଚାରିପଟ ପାଚେରୀ ଏବଂ ପଡିଆକୁ ସମତୁଳ କରିବାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଥିବା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରାୟ ୫୪୦ କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ଲାଗି ପୌର ପକ୍ଷରୁ ୩୪ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ସେବେ ଠାରୁ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

 

Read More
{}{}